ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଟିମ୍‌ ଇଣ୍ଡିଆ ଘରକୁ ଫେରିଥିଲା। ବିଶ୍ୱକପରୁ ବିଦା ହେବା ପରେ ବର୍ତ୍ତମାନ ଆକ୍ସନ ମୁଡ୍‌ରେ ବିସିସିଆଇ। ମଙ୍ଗଳବାର ବୋର୍ଡ ଅଫ୍‌ କ୍ରିକେଟ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିସିଆଇ) ଏକ ବଡ଼ ଘୋଷଣା କରିଛି। ବିସିସିଆଇ ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍, ସାଇକୋଥେରାପିଷ୍ଟ, ଆଡମିନିଷ୍ଟ୍ରେଟିଭ ପଦ ପାଇଁ ଦରଖାସ୍ତ ଆହ୍ଵାନ କରିଛି।

ଆଶାୟୀ ପ୍ରାର୍ଥୀମାନେ ଉପରୋକ୍ତ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ଜୁଲାଇ ୩୦ ତାରିଖ ସନ୍ଧ୍ୟା ୫ଟା।

ବିସିସିଆଇର ଦରଖାସ୍ତ ଆହ୍ଵାନ ପରେ ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ କିଏ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଅଛନ୍ତି ରବି ଶାସ୍ତ୍ରୀ। ପୂର୍ବତନ କୋଚ୍‌ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ସରିବା ପରେ ୨୦୧୭ ମସିହାରେ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

ତେବେ ନୂଆ କୋଚ୍‌ ହେବା ପାଇଁ ରବି ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ। ହେଲେ ଚଳିତ ବିଶ୍ୱକପ୍‌ରେ ଭାରତର ପରାଜୟ ପରେ ରବି ଶାସ୍ତ୍ରୀ ପୁଣିଥରେ କୋଚ୍‌ ପଦ ପାଇଁ ଆଗ୍ରହୀ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି। ୫୭ ବର୍ଷୀୟ ଶାସ୍ତ୍ରୀ ଅଗଷ୍ଟ୨୦୧୪ରୁ ଜୁନ ୨୦୧୬ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଟିମ୍‌ର ନିର୍ଦ୍ଦେଶକ ଥିଲେ।

Comment