ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆୟୋଜକ ଭାବେ ଦଳୀୟ ଖେଳାଳି ପ୍ରତିଯୋଗିତାରେ ପ୍ରଭାବ ବିସ୍ତାର କରି ପ୍ରତିପକ୍ଷକୁ ମାତ୍ ଦେଇଛନ୍ତି। ଲିଗ୍ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚିତ୍ତାକର୍ଷକ ବିଜୟ ହାସଲ କରି କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ସ୍ଥାନ ଏକପ୍ରକାର ପକା କରିପାରିଛନ୍ତି।

ଟିମ୍ ଇଭେଣ୍ଟରେ ଜି ସାଥିୟାନ୍, ଶରତ କମଲ, ହରମିତ ଦେଶାଇଙ୍କ ଭାଗିଦାରୀରେ ଭାରତ ପ୍ରତିଯୋଗିତାକୁ ଓହ୍ଲାଇଛି। ପ୍ରଥମ ରାଉଣ୍ଡରେ ଭାରତ ପ୍ରତିପକ୍ଷ ସ୍କଟଲାଣ୍ଡକୁ ଟକ୍କର ଦେଇଛି। ଏଥିରେ ଭାରତ ୩-୦ ସେଟରେ ସ୍କଟଲାଣ୍ଡକୁ ମାତ୍ ଦେବାରେ ସଫଳ ହୋଇପାରିଛି। ବିଶ୍ୱ ରାଙ୍କିଙ୍ଗରେ ୨୪ନମ୍ବର ସ୍ଥାନରେ ଥିବା ଜି.ସାଥିୟାନ୍ ପ୍ରଥମ ଖେଳାଳି ଭାବେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କ ସାମ୍ନାରେ ଥିଲେ ସ୍କଟଲାଣ୍ଡ ଷ୍ଟାର୍ ନିଆଲ୍ କାମେରନ୍। ସାଥିୟାନ୍ ପ୍ରଥମରୁ ନିଆଲଙ୍କ ଉପରେ ଚାପ ପକାଇଥିଲେ। ଯାହାଫଳରେ ୧୧-୪, ୧୧-୭, ୧୧-୮ରେ ତିନି ସେଟ୍ ଜିତି ରାଉଣ୍ଡଲିଗରେ ବିଜୟର ମୂଳଦୁଆ ପକାଇଥିଲେ।

ତାଙ୍କ ପରକୁ ଶରତ କମଲ୍ ଓହ୍ଲାଇ ସ୍କଟଲାଣ୍ଡ କୋଲିନ୍ ଡାଲଗ୍ଲେଇସଙ୍କୁ ୧୧-୨, ୧୧-୬, ୧୧-୯ ରେ ପରାସ୍ତ କରି ଦଳକୁ ୨-୦ ସେଟରେ ଆଗୁଆ କରାଇଥିଲେ। ଶେଷରେ ହରମିତ ଦେଶାଇ ମଧ୍ୟ ୧୧-୨, ୧୧-୬, ୧୧-୧ ପଏଣ୍ଟରେ ଡାଇଲାନ୍ କରିଙ୍କୁ ହରାଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥିଲେ। ପୁରୁଷ ଟିମ୍ ଇଭେଣ୍ଟର ଅନ୍ୟ ମ୍ୟାଚଗୁଡିକରେ ଇଂଲଣ୍ଡ ୩-୦ ସେଟରେ ସାଇପ୍ରସକୁ, ନାଇଜେରିଆ ୩-୦ ସେଟରେ ବାଂଲାଦେଶକୁ, ଅଷ୍ଟ୍ରେଲିଆ ୩-୦ ସେଟରେ ୱେଲ୍ସକୁ ହରାଇଛି।

ମହିଳା ବର୍ଗରେ ବି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ମନିକା ବାତ୍ରା, ଅର୍ଚ୍ଚନା କମାଥ୍, ଆହ୍ୟିକା ମୁଖାର୍ଜୀଙ୍କ ଭାଗିଦାରୀରେ ଭାରତ ଶ୍ରୀଲଙ୍କାକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛି। ରାଉଣ୍ଡ ଲିଗ୍‌ର ଏହି ପ୍ରଥମ ମୁକାବିଲାରେ ମନିକା ଦଳ ତରଫରୁ ଓପନ୍ କରିଥିଲେ। ସାମ୍ନାରେ ଥିଲେ ଶ୍ରୀଲଙ୍କାର ବିମାନ୍ଦି ବାନ୍ଦରା। ମନିକାଙ୍କ ଖେଳ କୌଶଳ ଆଗରେ ବିମାନ୍ଦି ଦୁର୍ବଳ ସାବ୍ୟସ୍ତ ହୋଇଥିଲେ।

ଯାହାଫଳରେ ମନିକା ୧୧-୫, ୧୧-୪, ୧୧-୫ ପଏଣ୍ଟରେ ବିଜୟଲାଭ କରିଥିଲେ। ପରେ ଅର୍ଚ୍ଚନା ୧୧-୫, ୧୧-୫, ୧୨-୧୦ ପଏଣ୍ଟରେ ଇସାରା ମଦୁରଙ୍ଗୀଙ୍କୁ, ଆହ୍ୟିକା ୧୧-୩, ୧୧-୩, ୮-୧୧, ୧୧-୪ ପଏଣ୍ଟରେ ଚାମଥାସରାଙ୍କୁ ହରାଇ ଦଳ ପାଇଁ ବିଜୟ ନିଶ୍ଚିତ କରାଇଥିଲେ। ସେହିପରି ଭାରତ ଟିମ୍ ଇଭେଣ୍ଟର ଦ୍ୱିତୀୟ ମୁକାବିଲାରେ ଦକ୍ଷିଣଆଫ୍ରିକାକୁ ୩-୦ ସେଟରେ ମାତ୍ ଦେଇଛି।

ଅର୍ଚ୍ଚନା କମାଥ୍ ୧୧-୬, ୧୧-୨, ୧୧-୨ ରେ ପ୍ରତିପକ୍ଷ ଡାନିସା ପଟେଲଙ୍କୁ, ମଧୁରିକା ୧୧-୨, ୧୧-୫, ୧୧-୩ରେ ପଲେସା ସୁଲାଇବଙ୍କୁ, ସୁତିର୍ଥା ୧୧-୧, ୧୧-୪, ୧୧-୪ ପଏଣ୍ଟରେ ସିମେନ୍ ମୋକେରିଙ୍କୁ ହରାଇ ଭାରତକୁ କ୍ୱାର୍ଟରଫାଇନାଲରେ ପ୍ରବେଶ କରାଇଛନ୍ତି।

ମହିଳା ବର୍ଗର ଅନ୍ୟ ମ୍ୟାଚଗୁଡିକରେ ଶକ୍ତିଶାଳୀ ସିଙ୍ଗାପୁର ୩-୦ ସେଟରେ ସ୍କଟଲାଣ୍ଡକୁ, ଅଷ୍ଟ୍ରେଲିଆ ୩-୦ ସେଟରେ ସାଇପ୍ରସକୁ, ନାଇଜେରିଆ ୩-୦ ସେଟରେ ବାଂଲାଦେଶକୁ, ସିଙ୍ଗାପୁର ୩-୦ ସେଟରେ ୱେଲ୍ସଙ୍କୁ ହରାଇ ଆଗକୁ ବଢିଛନ୍ତି।

Comment