ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ର ଟିମ୍ ଇଭେଣ୍ଟରେ ଭାରତ ଉଭୟ ମହିଳା ଓ ପୁରୁଷ ବର୍ଗରେ ଚାମ୍ପିଅନ୍ ହୋଇଛି। ଦଳୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ଦଳ ଟାଇଟଲ୍ ହାସଲ କରିପାରିଛି। ଉଭୟ ବର୍ଗରେ ଇଂଲଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ଇଂଲଣ୍ଡ ରୌପ୍ୟରେ ସନ୍ତୁଷ୍ଟ ହୋଇଥିବା ବେଳେ ଉଭୟ ପୁରୁଷ ଓ ମହିଳା ବର୍ଗରେ ସିଙ୍ଗାପୁର ବ୍ରୋଞ୍ଜ ପଦକ ହାସଲ କରିଛି।

ମହିଳା ବର୍ଗର ଫାଇନାଲରେ ଭାରତ ଏକତରଫା ଭାବେ ୩-୦ ସେଟରେ ବିଜୟୀ ହୋଇଥିଲା। ଅର୍ଚ୍ଚନା କମାଥ୍ ପ୍ରଥମ ଗେମରେ ଇଂଲଣ୍ଡର ହୋ ଟିନ୍ ଟିନଙ୍କୁ ଭେଟିଥିଲେ। ପ୍ରଥମ ସେଟରେ ୮-୧୧ରେ ପଛୁଆ ରହିଥିଲେ ବି ପରବର୍ତ୍ତି ସେଟଗୁଡ଼ିକରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିରେ ଅର୍ଚ୍ଚନା ୧୩-୧୧, ୧୧-୯, ୧୧-୯ ପଏଣ୍ଟରେ ହୋ ଟିନ୍ ଟିନଙ୍କୁ ମାତ୍ ଦେଇଥିଲେ। ଦ୍ୱିତୀୟ ଗେମରେ ମନିକା ବାତ୍ରାଙ୍କ ସାମ୍ନାସାମ୍ନି ହୋଇଥିଲା ଡେନିସ୍ ଦେପଟଙ୍କ ସହ।

ଏଥିରେ ମନିକା ଏକତରଫା ଭାବେ ୧୧-୬, ୧୧-୪ ଏବଂ ୧୧-୩ ପଏଣ୍ଟରେ ବିଜୟୀ ହୋଇ ଦଳର ବିଜୟ ପକ୍କା କରିଥିଲେ। ତୃତୀୟ ଗେମରେ ମଧୁରିକା ପଟକରଙ୍କୁ ବି ଏତେଟା କଷ୍ଟ କରିବାକୁ ପଡିନଥିଲା। ୧୧-୯, ୧୧-୭, ୧୧-୬ ପଏଣ୍ଟରେ ପ୍ରତିପକ୍ଷ ଇମ୍‌ଲି ବଲ୍ଟନଙ୍କୁ ହରାଇ ଟାଇଟଲ୍ ଭାରତ ନାଁରେ କରିଥିଲେ ମଧୁରିକା। ଏହାପୂର୍ବରୁ ସେମିଫାଇନାଲ ପ୍ରତିଯୋଗିତାରେ ଭାରତ ସିଙ୍ଗାପୁରକୁ ୩-୦ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ମନିକା ବାତ୍ରା ପ୍ରଥମ ଗେମରେ ୫ଟି ଗେମର ସମୟ ନେଇ ବିଜୟୀ ହେବା ପରେ ଅର୍ଚ୍ଚନା ବି ପ୍ରତିପକ୍ଷକୁ ବିଜୟର ସୁଯୋଗ ଦେଇନଥିଲେ। ମନିକା ଓ ଅର୍ଚ୍ଚନାଙ୍କ ପରେ ମଧୁରିକା ପଟକର ୩ ଗେମରେ ଖେଳ ଶେଷ କରିଦେଇଥିଲେ। ଏହି ବିଜୟ ସହ ଭାରତ ଫାଇନାଲକୁ ପ୍ରବେଶ କରିପାରିଥିଲା।

ପୁରୁଷ ବର୍ଗରେ ଭାରତର ବିଜୟ ଏତେଟା ସହଜ ନଥିଲା। ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଟାଇଟଲ୍ ପାଇଁ ପୂରା ଦମ୍ ଲଗାଇଦେଇଥିଲେ ଉଭୟ ଦଳର ଖେଳାଳି। ପ୍ରଥମ ଗେମରେ ମଇଦାନକୁ ଓହ୍ଲାଇଥିଲେ ବିଶ୍ୱର ୩୨ନମ୍ବର ରାଙ୍କରେ ଥିବା ଭାରତର ଶରତ କମଲ୍। ସାମ୍ନାରେ ଥିଲେ ଥୋମାସ୍ ଜରଭିସ୍। ଥୋମାସ୍‌ଙ୍କ ଷ୍ଟ୍ରାଇକ୍ ଆଗରେ ଶରତଙ୍କ ବ୍ୟାଟ୍ କାମ କରିନଥିଲା। ଯାହାଫଳରେ ଏକତରଫା ଭାବେ ୧୧-୭, ୧୧-୮, ୧୧-୪ ରେ ନିଜ ପକ୍ଷରେ ଗେମ୍ କରି ଫାଇନାଲର ପ୍ରଥମ ପାଳିକୁ ଇଂଲଣ୍ଡ ନାଁରେ କରିଥିଲେ ଥୋମାସ୍।

ଦ୍ୱିତୀୟ ଗେମରେ ବିଶ୍ୱ ରାଙ୍କିଂରେ ୨୪ରେ ଥିବା ଭାରତୀୟ ଷ୍ଟାର ଟିଟି ତାରକା ଜି.ସାଥିୟାନ୍ କଡା ମୁକାବିଲାର ସାମ୍ନା କରିବାକୁ ପଡିଥିଲା। ୫-୧୧, ୯-୧୧ ରେ ପ୍ରଥମ ଦୁଇ ସେଟ୍ ଜିତିଥିଲେ ବି ପରେ ଲଗାତାର ତିନି ସେଟ୍ ନିଜ ପକ୍ଷରେ ରଖିଥିଲେ ସାମୁଏଲ୍। ଯାହାଫଳରେ ଭାରତ ଲଗାତାର ଦୁଇ ସେଟରେ ପରାସ୍ତ ହୋଇଯାଇଥିଲା। ତୃତୀୟ ଖେଳାଳି ଭାବେ ହରମିତ୍ ଦେଶାଇ ୪-୧୧, ୧୧-୫, ୮-୧୧, ୧୧-୮, ୧୧-୮ ପଏଣ୍ଟରେ ପ୍ରତିଯୋଗିତାକୁ ଜିତାଇ ଭାରତ ପାଇଁ ଆଶା ସଂଚାର କରିଥିଲେ।

ପରେ ଜି.ସାଥିୟାନ୍ ଏବଂ ଶରତ କମଲ୍ ଆଉ ଦୁଇ ଗେମ୍ ଖେଳି ଭାରତକୁ ବିଜୟୀ କରାଇଥିଲେ। ଏହାପୂର୍ବରୁ ଭାରତ ସିଙ୍ଗାପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏଥିରେ ଭାରତ ୩-୦ ସେଟରେ ମ୍ୟାଚ ଜିତିଥିଲା। ପୁରୁଷ ବର୍ଗର ତୃତୀୟ ସ୍ଥାନ ପାଇ ମ୍ୟାଚରେ ସିଙ୍ଗାପୁର ୩-୦ ରେ ମାଲେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିପାରିଛି।

Comment