ଓଡ଼ିଶାଲାଇଭ ବ୍ୟୁରୋ

ରାସ୍ତା ଉପରେ ପଡ଼ିଥିବା ଏକ ପର୍ସ ପାଇ ତାକୁ ତା’ର ସଠିକ୍ ମାଲିକ ପାଖରେ ପହଞ୍ଚାଇ ସାଧୁତାର ପରିଚୟ ଦେଇଛନ୍ତି ଭିକ୍ଷା ବୃତ୍ତି କରୁଥିବା ବିପିନ ନାୟକ। ବିପିନ ଜଣେ ଭିନ୍ନକ୍ଷମ। ତିନିଚକିଆରେ ବୁଲି ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି। ଏକା ସାଙ୍ଗରେ ଏତେ ଗୁଡିଏ ଟଙ୍କା ପାଇ ଲୋଭର ବଶବର୍ତ୍ତି ନହୋଇ ତାକୁ ତା’ର ସଠିକ ମାଲିକ ପାଖରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି।

ମଙ୍ଗଳବାର ବିପିନ ତାଙ୍କ ତିନିଚକିଆରେ ଭିକ୍ଷାବୃତ୍ତି କରିବାକୁ ଯାଉଥିବା ବେଳେ ଜୋବ୍ରା ମାତାମଠ ରାସ୍ତାରେ ଏକ ପର୍ସ ପାଇଥିଲେ। ଯେଉଁଥିରେ ୧୨ହଜାର ୫୦୦ ଟଙ୍କା, ଏଟିଏମ କାର୍ଡ ଓ କିଛି ଜରୁରୀ କାଗଜ ପତ୍ର ରହିଥିଲା। ଏହାପରେ ତାକୁ ଫେରାଇବାକୁ ଉଦ୍ୟମ କରିଥିଲେ। ପରେ ପର୍ସଟିକୁ ନେଇ ସମାଜ ଖବର କାଗଜ ଅଫିସରେ ପହଞ୍ଚିଥିଲା।

ସେଠାରୁ ପର୍ସର ଖୋଲିଲା ପରେ ଜଣାପଡ଼ିଲା ହଜିଥିବା ପର୍ସଟି କଟକ ଗୋବିନ୍ଦପୁରର ରାଜଶ୍ରୀ ନାୟକଙ୍କର। ରାଜଶ୍ରୀଙ୍କୁ ଫୋନ ଯିବା ପରେ ସେ ଆସି ପର୍ସଟିକୁ ନେଇଥିଲେ। ସେ ତାଙ୍କ ଶାଶୁଙ୍କୁ ନେଇ କଟକ ବଡ଼ ଡାକ୍ତରଖାନା ଯାଉଥିବା ବେଳେ ପର୍ସଟି ବାଟରେ ପଡ଼ିଯାଇଥିଲା।

ଏଭଳି ଏକ ସାଧୁତାର କାମ ଯୋଗୁଁ ବିପିନଙ୍କୁ ଚାରିଆଡୁ ସାବାସିର ସୁଅ ଛୁଟି ଆସିଥିଲା। ଏନେଇ ସ୍ଵେଚ୍ଛାସେବୀ ସଂଗଠନ ସ୍ଵପ୍ନ ଫାଉଣ୍ଡେସନ ତରଫରୁ ତାଙ୍କୁ ସମ୍ଵୋର୍ଦ୍ଧନା ଦିଆଯାଇଥିଲା।

Comment