ଓଡ଼ିଶାଲାଇଭ ବ୍ୟୁରୋ

ସମାଜର ତଥାକଥିତ ଧାରା ରାଜାର ପୁଅ ରାଜା ହେବ ଏବେବି ଅନେକାଂଶରେ ବଞ୍ଚି ରହିଛି। ଆଜିବି ଅଧିକାଂଶ ଲୋକ ଏହି ଧାରାକୁ ମାନି ନେଉଛନ୍ତି। ହେଲେ ସମାଜର ଏହି ଧାରାକୁ ଭୁଲ ପ୍ରମାଣିତ କରିଛନ୍ତି ବିହାର ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର। ତାଙ୍କ ମତରେ ଜଣେ ରାଜାର ପୁଅ ରାଜା ନୁହେଁ ବରଂ ପରିଶ୍ରମ ଓ ଯୋଗ୍ୟତା ଧାରାରେ ଜଣେ ରାଜା ହେବ।

ଆନନ୍ଦ କୁମାରଙ୍କ ଜୀବନରେ ମଧ୍ୟ ଏଭଳି ଘଟିଛି। ତାଙ୍କ ବାପା ଜଣେ ଡାକ ପିଅନ ହୋଇଥିଲେ ମଧ୍ୟ ସେ ଆନ୍ତର୍ଜାତିକ ସ୍ତରରେ ଜଣେ ବିଶଷ୍ଟ ଗଣିତଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଗରିବ ମେଧାବୀ ଛାତ୍ରଙ୍କୁ ମାଗଣାରେ ପାଠ ପଢ଼ାଇ ଆଇଆଇଟି  କୋଚିଂ ଦେଇ ଶତପ୍ରତିଶତ ସଫଳ କରାଉଥିବାର ଚିତ୍ରକୁ ନେଇ ଫିଲ୍ମ ସୁପର ୩୦ନିର୍ମିତ ହୋଇଛି।

ନିକଟରେ ତାଙ୍କ ବାୟୋପିକ ସୁପର ୩୦ର ପ୍ରମୋସନ ପାଇଁ ଆନନ୍ଦ କୁମାର ଓଡ଼ିଶା ଆସିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ତେଣୁ ଧୈର୍ଯ୍ୟ ରଖିବା ଜରୁରୀ। ସକରାତ୍ମକ ଚିନ୍ତାଧାରା ଓ ନିଷ୍ଠାପର ଭାବେ କାମ କରିବା ଉଚିତ। ଏହାଦ୍ୱାରା ନିଶ୍ଚୟ ଦିନେ ସଫଳତା ମିଳିବ।

ଆନନ୍ଦ କୁମାର ହେଲେ ବିହାର ପାଟନାର ନିବାସୀ। ତାଙ୍କ ସ୍କୁଲ ଶିକ୍ଷା ସରିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିଥିଲା। ସେହି ସମୟରେ ତାଙ୍କ ବାପାଙ୍କର ମୃତ୍ୟ ଏବଂ ଆର୍ଥିକ ଅଭାବରୁ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ପାରିନଥିଲେ।

ମା’ଙ୍କ ସହ ପାମ୍ପଡ଼ ବିକିବା ସହ ସନ୍ଧ୍ୟାରେ ଟ୍ୟୁସନ କରିବା ଆରମ୍ଭ କରିଦେଇଥିଲେ। ଗରିବ ମେଧାବୀ ପିଲା ଯେମିତି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଆରମ୍ଭ କରି ଦେଇଥିଲେ ଅଭିଯାନ।

Comment