ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର କିଏ ଦଖଲ କରିବ ପାଟକୁରା? ଏହାର ଚିତ୍ର ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ବିଜେଡି, ବିଜେପି ନା କଂଗ୍ରେସ ଉପରେ ପାଟକୁରାବାସୀ ଭରସା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଲଗାତର ତିନି ଥର ପାଟକୁରା ଆସନକୁ ଦଖଲ କରିଥିଲା ବିଜେଡି। ୨୦୦୪ରେ ଅତନୁସବ୍ୟସାଚୀ ନାୟକ ବିଜେଡି ଟିକେଟରୁ ନିର୍ବାଚନ ଜିତିଥିବା ବେଳେ ୨୦୦୯ ଏବଂ ୨୦୧୪ରେ ବିଜେଡିରୁ ବେଦପ୍ରକାଶ ଅଗ୍ରୱାଲା ବିଜୟୀ ହୋଇଥିଲେ। ପୁଣି ଥରେ ଏହି ଆସନକୁ ଦଖଲ କରିବା ପାଇଁ ବିଜେଡି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଛି।

ସାବିତ୍ରୀ ରାଜନୀତିରେ ହେଉଛନ୍ତି ନୂଆ ମୁହଁ। ବେଦପ୍ରକାଶଙ୍କ ଦେହାନ୍ତ ପରେ ବିଜେଡିରୁ ସେ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କ ସ୍ୱାମୀ କରିଯାଇଥିବା କାମ ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାର କରି ସାବିତ୍ରୀ ନିର୍ବାଚନ ଲଢ଼ିଥିଲେ। ଏହାସହ ଅନୁକମ୍ପା ଭୋଟ ଉପରେ ମଧ୍ୟ ସାବିତ୍ରୀ ନଜର ରଖିଥିଲେ।

ସାବିତ୍ରୀ ନିର୍ବାଚନ ମଇଦାନରେ ଜୋରଦାର କ୍ୟାମ୍ପେନ କରିଥିଲେ। ଗାଁ ଗାଁ ବୁଲି ଭୋଟରଙ୍କ ନିକଟତର ହୋଇଥିଲେ। ସାବିତ୍ରୀଙ୍କୁ ଜିତାଇବା ପାଇଁ ବିଜେଡିର ଆଗଧାଡ଼ିର ନେତା ପାଟକୁରାରେ ଡେରା ପକାଇଥିଲେ। ତେବେ ସାବିତ୍ରୀଙ୍କ ଉପରେ ପାଟକୁରାବାସୀ ଭରସା କରୁଛନ୍ତି କି ନାହିଁ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

ପାଟକୁରାରେ ଆଦୌ ଶାସନ ଭାର ସମ୍ଭାଳିନି ବିଜେପି। ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ହେଲେ ବେଦପ୍ରକାଶ ଅଗ୍ରୱାଲାଙ୍କଠାରୁ ବିଜୟ ପରାଜିତ ହୋଇଥିଲେ। ୨୦୧୪ରେ ବିଜୟ ମହାକାଳପଡ଼ାରୁ ଲଢ଼ିଥିଲେ। ଏଥର ପୁଣି ପାଟକୁରା ଆସିଛନ୍ତି ବିଜୟ। ଅନୁକମ୍ପା ଭୋଟ ଉପରେ ବିଜୟ ନଜର ପକାଇଥିଲେ।

ବିଜୟ ରାଜ୍ୟ ରାଜନୀତିର ଜଣେ ଜଣାଶୁଣା ଚେହେରା। ୧୯୮୦ରୁ ୨୦୦୦ ମସିହା ଯାଏଁ ସେ ଜନତା ଦଳ ଟିକେଟରୁ ପାଟକୁରାରୁ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ୨୦୦୦ ମସିହା ନିର୍ବାଚନରେ ଏକ ନାଟକୀୟ ମୋଡ଼ରେ ବିଜୟଙ୍କ ଟିକେଟ ନାକଚ ହେବା ପରେ ବିଜୟ କ୍ଷମତାଠାରୁ ଦୂରରେ ରହିଛନ୍ତିା ବିଜେଡିରୁ ବିଦା ହେବା ପରେ ବିଜୟ ପାଟକୁରାରୁ ଦୁଇ ଦୁଇ ଥର ପରାଜିତ ହୋଇଛନ୍ତି। ତେବେ ପାଟକୁରାବାସୀ ଏଥର ତାଙ୍କୁ ହତାଦର କରିବେ ନାହିଁ ବୋଲି ବିଜୟ ଆଶା ରଖିଛନ୍ତି। ଦେଖାଯାଉ ବିଜୟଙ୍କ ଆଶା କେତେଦୂର ପୂରଣ ହେଉଛି?

୧୯୫୧ ଏବଂ ୧୯୫୭ ନିର୍ବାଚନରେ ପାଟକୁରାରେ କଂଗ୍ରେସ ଶାସନ ଥିଲା। ଏହାପରେ କଂଗ୍ରେସ ଏଠି ଆଦୌ କ୍ଷମତାକୁ ଆସିନି। ଏଥର କିନ୍ତୁ କଂଗ୍ରେସ ପାଟକୁରା ଦଖଲ କରିବାକୁ ଚାହୁଁଛି। କଂଗ୍ରେସ ପାଟକୁରାରେ ଏଥର ମାଟିର ପୁଅ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ମାଟିର ପୁଅ ସ୍ଲୋଗାନ ଦେଇ ଜୟନ୍ତ ଭୋଟ ମାଗିଥିଲେ। ବିଜେଡି ଏବଂ ବିଜେପି ତୁଳନାରେ ଯଦିଓ କଂଗ୍ରେସ ପ୍ରଚାରରେ ପଛରେ ପଡ଼ିଥିଲା, ହେଲେ କ୍ଷମତାକୁ ଆସିବା ପାଇଁ ବେଶ୍ ଆଶାବାଦୀ ଅଛି କଂଗ୍ରେସ। ତେବେ ଦେଖାଯାଉ ପାଟକୁରାବାସୀ ଏହି ତିନି ନେତାଙ୍କ ଭିତରୁ କାହା ମୁଣ୍ଡରେ ପାଗ ଭିଡୁଛନ୍ତି?

Comment