ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ ନଜରରେ ରଖି ଆରମ୍ଭ ହୋଇଛି ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’ ବା ସ୍ୱାସ୍ଥ୍ୟ ପ୍ଲସ୍।

swasthya.plus

ସ୍ୱାସ୍ଥ୍ୟ ପ୍ଲସ୍‌ରେ ଯେଉଁସବୁ ବିଭାଗ ସୃଷ୍ଟି କରାଯାଇଛି ତାହା ମଧ୍ୟରେ ରହିଛି ସ୍ୱାସ୍ଥ୍ୟ ସଚେତନତା, ବିଭିନ୍ନ ସଂକ୍ରମଣ ଓ ରୋଗର ପ୍ରତିଷେଧକ, ପ୍ୟାରେଣ୍ଟିଂ, ହାତ ପାଆନ୍ତାରେ ମିଳୁଥିବା ସ୍ୱାସ୍ଥ୍ୟ ସେବା, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷକ ତତ୍ତ୍ୱ ଇତ୍ୟାଦି। ସେହିପରି ସ୍ୱାସ୍ଥ୍ୟ ସମ୍ପର୍କିତ ଟିପ୍ସ ବା ସୂଚନା ଏବଂ ସ୍ୱାସ୍ଥ୍ୟ ଖବର ଏହାର ଅନ୍ୟ ବିଭାଗ ମଧ୍ୟରେ ଅନ୍ୟତମ।

କିଭଳି ନେବେ ଯାଆଁଳାପିଲାଙ୍କ ଯତ୍ନ? ପିଲା ଅଧିକ ଲାଜୁଆ ହୋଇଥିଲେ କ’ଣ କରିବେ? ମଦ ଛାଡ଼ିବା ପାଇଁ ଚିକିତ୍ସା। କେମିତି ନିଜକୁ ଫିଟ୍ ରଖିବେ ମଧୁମେହ ରୋଗୀ? ଫ୍ରୋଜନ୍ ସୋଲଡର ସମସ୍ୟା ଓ ତା’ର ଚିକିତ୍ସା। ୬୦ ବର୍ଷ ପରର ଜୀବନ। – ଏହିଭଳି ବିଭିନ୍ନ ବିଷୟ ଉପରେ ସଂକ୍ଷେପରେ ତଥା ସରଳ ଭାବେ ବର୍ଣ୍ଣନା ରହିଛି ସ୍ୱାସ୍ଥ୍ୟ ପ୍ଲସ୍‌ରେ।

swasthya.plus

ଆମ ହାତପାଆନ୍ତାରେ ବିଶେଷକରି ନିଜ ଘର ଭିତରେ ଏପରି ଅନେକ ଖାଦ୍ୟ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ବିଶେଷ ସାହାଯ୍ୟ କରିଥାଏ। ଯେପରି ଗୋଲମରିଚ ଖାଇଲେ କ’ଣ ଉପକାର ମିଳେ, ଅମୃତଭଣ୍ଡା ପତ୍ରର ଔଷଧୀୟ ଗୁଣ, ବନ୍ଧାକୋବି ଜୁସ୍ ପିଇଲେ କିପରି ବଢ଼େ ସୌନ୍ଦର୍ଯ୍ୟତା, ତମ୍ବା ପାତ୍ରରେ ପାଣି ପିଇଲେ କ’ଣ ଲାଭ ହୁଏ, ଏମିତିକି ଦହିର କ’ଣ ଔଷଧୀୟ ଗୁଣ ରହିଛି ଯାହା ଆମକୁ ମାନସିକ ଚାପର ମୁକାବିଲା କରିବାରେ ଆମକୁ ସାହାଯ୍ୟ କରିପାରେ। ଏହିଭଳି ଛୋଟ ଛୋଟ ବିଷୟକୁ ଡିଜିଟାଲ ମିଡିଆ ମାଧ୍ୟମରେ ଏବଂ ଓଡ଼ିଆ ଭାଷାରେ ପ୍ରସ୍ତୁତ କରୁଛି ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ସ୍ୱାସ୍ଥ୍ୟ ପ୍ଲସ୍, ଯାହା ବାସ୍ତବରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।

swasthya.plus

‘‘ଓଡ଼ିଆ ଭାଷାରେ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ପୋର୍ଟାଲର ଆବଶ୍ୟକତା ରହିଛି। କାରଣ ଆଜି ସମସ୍ତଙ୍କ ହାତ ମୁଠାରେ ମୋବାଇଲ୍। ଏହି ମୋବାଇଲ୍ ମାଧ୍ୟମରେ  ଲୋକ ନିଜର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟ ସୂଚନା ହେଉ କି ସିଧାସଳଖ ଡାକ୍ତରଙ୍କ ମୁହଁରୁ ଆସୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ – ଆପଣ ପ୍ରତିଦିନ ଖୋଜୁଥିବା ଏଭଳି ଅନେକ ବିଷୟକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରିଆସୁଛି ଆମ ସ୍ୱାସ୍ଥ୍ୟ ପ୍ଲସ୍ ଟିମ’’, କହିଛନ୍ତି ଏହି ସ୍ୱାସ୍ଥ୍ୟ ପୋର୍ଟାଲର ପରିଚାଳନା ସମ୍ପାଦକ ତଥା ପ୍ରକାଶକ ପ୍ରଣତୀ ପରିଡା।

ଶ୍ରୀମତୀ ପରିଡା ଅତୀତରେ ପ୍ରକାଶିତ ଲୋକପ୍ରିୟ ସ୍ୱାସ୍ଥ୍ୟ ପତ୍ରିକା ‘ସ୍ୱାସ୍ଥ୍ୟଶ୍ରୀ’ର ପରିଚାଳନା ସମ୍ପାଦକ ଭାବେ କାମ କରି ଏହାକୁ ଏକ ନୂଆ ରୂପ ଦେଇଥିଲେ। ଆଜିର ଡିଜିଟାଲ୍ ସମୟରେ ଏହି ନୂଆ ମାଧ୍ୟମର ଉପଯୋଗ କରି ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆ ଭାଷାର ପାଠକମାନଙ୍କୁ ପ୍ରତିଦିନ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ତଥା ସୁସ୍ଥ ଜୀବନଶୈଳୀ ବାବଦରେ ନୂଆ ନୂଆ କଥା ପରିବେଷଣ କରିବେ।

ପିଲାଙ୍କ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ, ବୟସ୍କ ନାଗରିକଙ୍କ ସୁସ୍ଥ ଜୀବନ ଧାରା, ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ, ଖାଦ୍ୟ ରୁଚି, ବ୍ୟାୟାମ ଓ ଫିଟନେସ୍, ରୂପଚର୍ଯା – ଏହିଭଳି ବ୍ୟାପକ ବିଷୟକୁ ନେଇ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ପ୍ଲସର କଣ୍ଟେଣ୍ଟ। ତେଣୁ ଏହା ବିଭିନ୍ନ ବୟସ, ବର୍ଗ ଓ ରୁଚିର ଲୋକଙ୍କ ପାଇଁ ଏକ ଉପାଦେୟ ଡିଜିଟାଲ୍ ମିଡିଆ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ପ୍ଲସର ସମ୍ପାଦନା ମଣ୍ଡଳୀ କହିଛନ୍ତି।

Comment