ଅଭିଷେକ ରାୟ

  • ଷ୍ଟ୍ରୋକ୍ ସଚେତନତା ପାଇଁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କନକ୍ଲେଭ
  • ଗୋଟିଏ ମଞ୍ଚରେ ଏକାଠି ହେଲେ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞ
  • ଷ୍ଟ୍ରୋକର ଚିକିତ୍ସା ତଥା ନିୟନ୍ତ୍ରଣ ପାଇଁ ବିଭିନ୍ନ ବିଷୟରେ ହେଲା ମାନସମନ୍ଥନ

ଆଜିର ସମୟରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ସାମ୍ନାକୁ ଆସିଛି। ଅନେକ ଲୋକ ଏଥିରେ ପୀଡ଼ିତ ହୋଇ ପ୍ରଭାବିତ ହେଉଛନ୍ତି। ଷ୍ଟ୍ରୋକର ମୁକାବିଲା ତଥା ଏହା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ କନକ୍ଲେଭ ହୋଇଥିଲା। ଏଥିରେ ‘ଷ୍ଟ୍ରୋକ ମୁକାବିଲା ପାଇଁ ଏକାଠି ହେବା’ ଶୀର୍ଷକ ଏକ ବୈଷୟିକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା।     

ଏହି ବୈଷୟିକ ଆଲୋଚନା ଚକ୍ରରେ ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ୍ ଭୁବନେଶ୍ୱରର ନିର୍ଦେଶକ ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ, ଆରଏମଆରସି ଭୁବନେଶ୍ୱରର ବୈଜ୍ଞାନିକ ଡାକ୍ତର ଶ୍ରୀକାନ୍ତ କାନୁନଗୋ ଏବଂ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଭୁବନେଶ୍ୱର ସଂସ୍କରଣର ବରିଷ୍ଠ ବାର୍ତ୍ତା ସମ୍ପାଦକ କସ୍ତୁରୀ ରାୟ ପ୍ରମୁଖ ଯୋଗଦେଇଥିଲେ। ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦେଶକ ସିଦ୍ଧାର୍ଥ ରଥ ଅତିଥିମାନଙ୍କୁ ସ୍ଵାଗତ କରି ଅଧିବେଶନର ସଞ୍ଚାଳନ କରିଥିଲେ।

ଏଠାରେ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ତଥା ଏହାର ନିୟନ୍ତ୍ରଣ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ଷ୍ଟ୍ରୋକର ପ୍ରତିଷେଧକ ଓ ସଫଳ ପରିଚାଳନା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଥିଲେ।

ଏହି ଅଧିବେଶନରେ ଡାକ୍ତର ମାୟା ଗନ୍ତାୟତ କହିଥିଲେ, “ଏବେ ବିଶ୍ଵର ବିକାଶଶୀଳ ଦେଶଗୁଡ଼ିକରେ ଷ୍ଟ୍ରୋକର ଅଧିକ ମାମଲା ଦେଖାଯାଉଛି। ବୟସ୍କ ଲୋକଙ୍କ ସମେତ କମ ବୟସର ଲୋକେ ମଧ୍ୟ ଷ୍ଟ୍ରୋକର ଶିକାର ହେଉଛନ୍ତି। ଆମର ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟଭ୍ୟାସ ଷ୍ଟ୍ରୋକର ମୁଖ୍ୟ କାରଣ ପାଲଟିଛି। ହେଲେ ଷ୍ଟ୍ରୋକକୁ ଆମେ ରୋକିପାରିବା। ଏଥିପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି।”

ସେହିପରି କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ ଷ୍ଟ୍ରୋକକୁ ରୋକିବା ପାଇଁ ଏହାର ମୂଳ କାରଣ ଓ ଲକ୍ଷଣଗୁଡ଼ିକ ବିଷୟରେ ଜାଣିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, “ଷ୍ଟ୍ରୋକ୍ ଯୋଗୁଁ ଲୋକଙ୍କ ଅକାଳ ମୃତ୍ୟୁ ହେବାସହ ଅନେକ ଶାରୀରିକ ଭାବେ ଅକ୍ଷମ ହୋଇଯାଉଛନ୍ତି। ଏହା ସମାଜ ଉପରେ ଅର୍ଥନୈତିକ ପ୍ରଭାବ ମଧ୍ୟ ପକାଉଛି। ହେଲେ ପ୍ରାଥମିକ ସ୍ତରରେ ୯୦ ପ୍ରତିଶତ ଷ୍ଟ୍ରୋକର ମାମଲାକୁ ରୋକାଯାଇପାରିବ। ଷ୍ଟ୍ରୋକର ଲକ୍ଷଣ ଚିହ୍ନଟ କରିବା ଉପରେ ଧ୍ୟାନ ଦିଆଗଲେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ।”

ଅନ୍ୟପଟେ ଏହି ବୈଷୟିକ ଅଧିବେଶନରେ ଓଡ଼ିଶାରେ ବଢ଼ୁଥିବା ଷ୍ଟ୍ରୋକର ମାମଲାଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା। ଏହାସହ ଷ୍ଟ୍ରୋକର ଚିକିତ୍ସା ଓ ଏହା ଉପରେ କରାଯାଉଥିବା ବିଭିନ୍ନ ଗବେଷଣା ଉପରେ ଏଠାରେ ଚର୍ଚ୍ଚା ହୋଇଥିଲା।

“ଓଡ଼ିଶାରେ ଷ୍ଟ୍ରୋକର ସଂଖ୍ୟା ୪ ଗୁଣ ବଢ଼ିଛି। ଷ୍ଟ୍ରୋକ୍ ମୃତ୍ୟୁ ମାମଲାରେ ଓଡ଼ିଶା ସାରା ଭାରତରେ ଦ୍ଵିତୀୟ ସ୍ଥାନରେ ରହିଛି। ସେହିପରି ରାଜ୍ୟରେ ଷ୍ଟ୍ରୋକକୁ ନେଇ ଜନସଚେତନତା ଓ ଉପଯୁକ୍ତ ଚିକିତ୍ସାର ଅଭାବ ସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ତେବେ ଷ୍ଟ୍ରୋକର ମୁକାବିଲା ପାଇଁ ଏହାର ଚିହ୍ନଟ ଓ ପ୍ରତିରୋଧ ଉପରେ ଅଧିକ ଗୁରୁତ୍ଵ ଦିଆଯିବାର ସମୟ ଆସିଛି”, କହିଥିଲେ ଡାକ୍ତର ଶ୍ରୀକାନ୍ତ କାନୁନଗୋ।

ସେହିପରି ଷ୍ଟ୍ରୋକ୍ ସମ୍ପର୍କରେ ବ୍ୟାପକ ଜନ ସଚେତନତା ଲାଗି ଗଣମାଧ୍ୟମର ଭୂମିକା କିପରି ରହିବା ଦରକାର ସେ ବିଷୟରେ ଅଧିବେଶନରେ ବରିଷ୍ଠ ସାମ୍ବାଦିକା କସ୍ତୁରୀ ରାୟ ଆଲୋଚନା କରିଥିଲେ। ସେ କହିଥିଲେ, “ଷ୍ଟ୍ରୋକ୍ ତଥା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ପ୍ରତିଷେଧକ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗଣମାଧ୍ୟମରେ ପର୍ଯ୍ୟାପ୍ତ ସ୍ଥାନ ମିଳୁନାହିଁ। ଷ୍ଟ୍ରୋକ୍ ଭଳି ବିଭିନ୍ନ ରୋଗ ବିଷୟରେ ଲେଖିବାର ସମୟ ଏବେ ଆସିଛି। ଏହା ବାବଦରେ ସଚେତନତାକୁ ପ୍ରସାର କରିବା ପାଇଁ ଆମକୁ ସବୁଠୁ ଶେଷ ସ୍ତରରେ ଥିବା ଲୋକଙ୍କ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ।”

ଷ୍ଟ୍ରୋକ୍ ଉପରେ ହୋଇଥିବା ଏହି ବୈଷୟିକ ଅଧିବେଶନରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଉପସ୍ଥିତ ଲୋକ ଓ ଛାତ୍ରଛାତ୍ରୀମାନେ ବିଶେଷଜ୍ଞମାନଙ୍କୁ ଷ୍ଟ୍ରୋକ୍ ବାବଦରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଶେଷଜ୍ଞମାନେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାସହ ଷ୍ଟ୍ରୋକକୁ ନେଇ ସେମାନଙ୍କ ମନରେ ଥିବା ବିଭିନ୍ନ ସନ୍ଦେହ ଦୂର କରିଥିଲେ।  

ଓଡ଼ିଶାରେ ଷ୍ଟ୍ରୋକଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ଆଇଏଫଆଇ ଫାଉଣ୍ଡେସନର ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବା ଲାଗି କନକ୍ଲେଭରେ ସିଦ୍ଧାର୍ଥ ରଥ ଘୋଷଣା କରିଥିଲେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଫାଉଣ୍ଡେସନ ନିଜ ପକ୍ଷରୁ ୨୦ ହଜାର ଆମେରିକୀୟ ଡଲାର ପାଣ୍ଠିର ବ୍ୟବସ୍ଥା କରିବ। ପରବର୍ତ୍ତୀ ସମୟରେ ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଷ୍ଟ୍ରୋକ ସଚେତନତା ଲାଗି ପଦକ୍ଷେପ ନିଆଯିବ। ଏଥିଲାଗି ସହଯୋଗ କରିବାକୁ ସେ ବିଭିନ୍ନ ଜାତିସଂଘ ସଂଗଠନ, ସରକାର ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ।      

‘ବିଶ୍ଵ ଷ୍ଟ୍ରୋକ୍ ଦିବସ ୨୦୨୩’ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏହି କନକ୍ଲେଭର ଆୟୋଜନ କରାଯାଇଥିଲା। ଏହି ଅବସରରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସୂଚନାପତ୍ର ଉନ୍ମୋଚନ କରାଯାଇ ବଣ୍ଟନ କରାଯାଇଥିଲା।

କନକ୍ଲେଭରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଏଠାରେ ହୋଇଥିବା ବିଶେଷ ଅଧିବେଶନରେ ଯୋଗ ଦେଇଥିଲେ। ସେହିପରି ଅଭିଯାନର ପରାମର୍ଶଦାତା କେୟାର ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକ ସଚେତନତା ଅଭିଯାନ ଜାରି ରହିଛି। ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲସ୍ ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।

Tags: #WorldStrokeDay #StrokeAwarenessConclave #StrokeFreeWorld #CanbePrevented #IFIFoundation #Swasthyaplus

Comment