ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥଥର ପାଇଁ କର୍ଣ୍ଣାଟକର ଶାସନଗାଦିରେ ବସିଲେ ବିଏସ୍ ୟେଦ୍ୟୁରପ୍ପା।
ଚତୁର୍ଥଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା। ରାଜଭବନରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ୧୦୫ ବିଧାୟକଙ୍କ ଦସ୍ତଖତ ସହ ଆଜି ସକାଳେ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବିପତ୍ର ଦେଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପା ଶପଥ ନେଇଛନ୍ତି।
ଆସ୍ଥାଭୋଟ ପରେ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥପାଠ କରାଯିବ ବୋଲି ଜଣାଯାଇଛି। ପୂର୍ବରୁ ୟେଦ୍ୟୁରପ୍ପା କର୍ଣ୍ଣାଟକ ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ୪ର୍ଥ ଥର ପାଇଁ ୟେଦ୍ୟୁରାପ୍ପା କର୍ଣ୍ଣାଟକର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୩ ଦିନ ପୂର୍ବରୁ ଏଚ୍ ଡି କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଥିଲା। ଗତ ଜୁଲାଇ ୧ରୁ କର୍ଣ୍ଣାଟକରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। ଶେଷରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖିନ ହୋଇଥିଲେ। ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ପରାଜିତ ହୋଇଥିଲେ। କର୍ଣ୍ଣାଟକରେ ୧୪ ମାସର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିଯାଇଥିଲା।
୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ସିଟ୍ ପାଇଥିବା ବେଳେ କଂଗ୍ରେସ-ଜେଡିଏସ୍ର ୧୧୬ ବିଧାୟକଙ୍କ ସମର୍ଥନ ବଳରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।















