ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ ବୋମ୍ମାଇ। ସେ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ କିନ୍ତୁ ତାଙ୍କର ରାଜନୀତି ପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିପାରିଛି।

ରାଜନୀତି ହେଉଛି ଏକ କଳା। ଏହି କଳା କାହା ରକ୍ତରେ ରହିଥାଏ, ତ ପୁଣି କିଏ ନିଜର ଇଚ୍ଛାଶକ୍ତି, ଲୋକପ୍ରିୟତା ବଳରେ ହାସଲ କରିଥାଏ। ସେହିଭଳି ଜଣେ ରାଜନେତା ହେଉଛନ୍ତି ବାସବରାଜ ବୋମ୍ମାଇ। ବର୍ତ୍ତମାନର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମରୁ ରାଜନୀତି ପ୍ରତି ତାଙ୍କର ଇଚ୍ଛା ନଥିଲେ ହେଁ ବାପା ଏସ୍ଆର ବୋମ୍ମାଇଙ୍କୁ ଦେଖି ଧିରେ ଧିରେ ରାଜନୀତି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ତାଙ୍କ ବାପା ଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ।

ବାସବରାଜ ବୋମ୍ମାଇ ୧୯୬୦ ମସିହା ଜାନୁଆରୀ ୨୮ରେ କର୍ଣ୍ଣାଟକର ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିଲେ। ଏକ ଲିଙ୍ଗାୟତ ପରିବାରରେ ତାଙ୍କର ଜନ୍ମ। ସେ ହେଉଛନ୍ତି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ଏଥିସହ ତାଙ୍କର କ୍ରିକେଟ ପ୍ରତି ମଧ୍ୟ ରୁଚି ରହିଛି।କର୍ଣ୍ଣାଟକ ସ୍କୁଲରୁ ଆରମ୍ଭ ପାଠ ପଢ଼ା

କର୍ଣ୍ଣାଟକର ଏକ ସ୍କୁଲରୁ ବୋମ୍ମାଇ ନିଜର ପ୍ରାଥମିକ ଓ ମାଧ୍ୟମିକ ପାଠ ପଢ଼ା ସାରିବାପରେ ଇଞ୍ଜିନିୟର ହେବାପାଇଁ ମନବଳାଇ ଥିଲେ। ତେଣୁ ସେ ଭୁମାରାଦ୍ଦୀ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକନଲୋଜି କଲେଜରେ ନାମ ଲେଖାଇଥିଲେ। ୧୯୮୨ ମସିହାରେ ବୋମ୍ମାଇଙ୍କ ଇଞ୍ଜିନିୟରିଙ୍ଗ ଶିକ୍ଷା ସମ୍ପୂର୍ଣ୍ଣ ହୋଇଥିଲା।

ଏହାପରେ ପୁନେ ସ୍ଥିତ ଟାଟା ମୋଟର୍ସ କମ୍ପାନିରେ ସେ ମେକାନିକାଲ ଇଞ୍ଜିନିୟର ଭାବରେ ଚାକିରି ମଧ୍ୟ କରିଥିଲେ। କିନ୍ତୁ ଚାକିରିର କିଛି ବର୍ଷ ପରେ ବୋମ୍ମାଇ ନିଜ ବାପାଙ୍କ ଭଳି କର୍ଣ୍ଣାଟକ ରାଜନୀତିରେ ପାଦ ରଖିବାକୁ ଚାହିଁଥିଲେ।ଜନତା ଦଳ ସହ ଆରମ୍ଭ ରାଜନୈତିକ ଯାତ୍ରା

ବୋମ୍ମାଇ ନିଜର ରାଜନୀତିକ ଯାତ୍ରା ଜନତା ଦଳ ସହ ସାମିଲ ହୋଇ ଆରମ୍ଭ କରିଥିଲେ। ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ସେହି ବର୍ଷ ସେ ବିଜେପିରୁ ଟିକେଟ ପାଇ ଶିବଗାଁ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।ୟେଦ୍ୟୁରପ୍ପାଙ୍କ ଶାସନକାଳରେ ବାସବରାଜଙ୍କ ଭୂମିକା

ପୂର୍ବରୁ କର୍ଣ୍ଣାଟକର ଶାସନଭାର ସମ୍ଭାଳୁଥିବା ବି. ଏସ୍‌ ୟେଦ୍ୟୁରପ୍ପାଙ୍କ ଅତି ନିକଟର ହେଉଛନ୍ତି ବାସବରାଜ ବୋମ୍ମାଇ। ୟେଦ୍ୟୁରପ୍ପାଙ୍କ ଶାସନକାଳରେ ବାସବରାଜ ବୋମ୍ମାଇ ଗୃହ, ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରହିଥିଲେ। ୨୦୦୮ ରୁ ୨୦୧୩ ମେ ଯାଏଁ ଜଳସମ୍ପଦ ମନ୍ତ୍ରୀ, ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ସମବାୟ ମନ୍ତ୍ରୀ, ୨୦୨୧ ପର୍ଯ୍ୟନ୍ତ ଗୃହ ମନ୍ତ୍ରୀ ଥିଲେ। ଜୁଲାଇ ୨୮ରେ ସେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comment