ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ଵର ବାଲିଆପାଳ-ବସ୍ତା ରୋଡରେ ଏକ ଢ଼ାବାରୁ ନାବାଳକର ଝୁଲନ୍ତା ଶବ ମିଳିବା ଘଟଣା ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ଲୋକମାନଙ୍କ ଆକ୍ରମଣର ଶିକାର ହୋଇଥିବା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରିଦିଆଯାଇଛି।

ବାଲେଶ୍ଵର ଏସପି ଯୁଗଳ କିଶୋର ବାନୋଥ ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଥିଲେ। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ଦାସଙ୍କୁ ବାଲିଆପାଳ ଥାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଡିଜିପି ଆରପି ଶର୍ମା ମାନବଅଧିକାର ସଂରକ୍ଷଣ ସେଲକୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ପରେ ଏଚଆରପିସି ମୁଖ୍ୟ ଡିଏସପି ରଂଜିତ ନାୟକଙ୍କ ନେତୃତ୍ଵରେ ଏକ ଟିମ୍ ବାଲେଶ୍ଵରରେ ପହଞ୍ଚିଛି।

ଗୁରବାର ରାତିରେ ଢାବା ଭିତରୁ ଏକ ନାବାଳକ ଶବ ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ଘଟଣାସ୍ଥଳରେ ପୋଲିସ ତଦନ୍ତ କରିବାକୁ ପହଞ୍ଚିଥିବା ବେଳେ ଲୋକମାନେ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ଶନିବାର ନାବାଳକର ଶବ ବ୍ୟବଚ୍ଛେଦ ପରେ ଛାଡ଼ିବାକୁ ଆସିଥିବା ଆମ୍ଵୁଲାନ୍ସ ଓ ଡ୍ରାଇଭରକୁ ଅଟକାଇଥିଲେ ସ୍ଥାନୀୟ ଲୋକ। ଏହାସହ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ।

Comment