ନୀଳାମ୍ବର ରଥ

ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଜଣେ ଓଡ଼ିଆ ହିସାବରେ ମତେ ଖୁସି ଲାଗୁଛି। ଭାବୁଛି ଆପଣମାନେ ମଧ୍ୟ ମୋ ଭଳି ଗର୍ବ ଅନୁଭବ କରୁଥିବେ।

ରସଗୋଲା ଯୁଦ୍ଧ ସରିଲା। କିଏ ଜିତିଲା କହିବାର ଆବଶ୍ୟକତା ନାହିଁ। କାରଣ ଏବେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍। ରସଗୋଲା ଓଡ଼ିଶାର ଏବଂ ଓଡ଼ିଆ ଖାଦ୍ୟ ରୁଚି ମଧ୍ୟରେ ସବୁଠୁ ଆଦରଣୀୟ ମିଠା, ଏବେ ଏକଥା ଆଉ ଓଡ଼ିଶାର ଭୌଗୋଳିକ ସୀମା ଭିତରେ ସୀମିତ ହୋଇ ରହିବ ନାହିଁ। ଜିଆଇ ଟ୍ୟାଗ୍‌ ଓଡ଼ିଶା ରସଗୋଲାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ୱୀକୃତି ଦେବା ପାଇଁ ଆଉ ଏକ ପାହାଚ ହେବ ବୋଲି କହିଲେ ଭୁଲ୍ ହେବ ନାହିଁ।

କେବଳ ମନ୍ଦିର ଓ ଐତିହାସିକ ସ୍ଥାନ କିମ୍ବା ବିସ୍ତୀର୍ଣ୍ଣ ବେଳାଭୂମି ନୁହେଁ, ଖଦ୍ୟ ପରମ୍ପରାରେ ମଧ୍ୟ ଓଡ଼ିଆମାନେ ସ୍ୱତନ୍ତ୍ର। ଓଡ଼ିଆ ଭାଷା ଯେପରି ଶାସ୍ତ୍ରୀୟ ଓ ପ୍ରାଚୀନ ଓଡ଼ିଶାର ଅନେକ ଖାଦ୍ୟ ସେହିପରି ଅନନ୍ୟ ଓ ବହୁ ପୁରୁଣା। ରସଗୋଲା ତା’ ଭିତରୁ ଗୋଟିଏ। ତେଣୁ ରସଗୋଲା ଓଡ଼ିଶାର ନୁହେଁ, ବଙ୍ଗଳାର ବୋଲି ଯେଉଁମାନେ ଦିନେ ପ୍ରଚାର କରୁଥିଲେ ଏବେ ସେମାନଙ୍କୁ ଉତ୍ତର ମିଳି ଯାଇଛି।

ଆଜି ଓଡ଼ିଶାର ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ ବାନ୍ଧ କଳା ପ୍ରତି କେତେକାଂଶରେ ଆହ୍ୱାନ ସୃଷ୍ଟି ହୋଇଛି। କାରଣ ଓଡ଼ିଶାର ଏହି ପୁରୁଷ ପୁରୁଷ ପ୍ରାଚୀନ ଢାଞ୍ଚା ବା ଡିଜାଇନକୁ ଚୋରି କରି ଆଜି ବଜାରରେ ଶସ୍ତା ପ୍ରିଣ୍ଟେଡ କପଡ଼ା ବିକ୍ରି ହେଉଛି। ଦୁର୍ଭାଗ୍ୟର କଥା ଯେ ସେହି କପଡ଼ା କଲିକତାରେ, ସୁରତରେ କିମ୍ବା ହାଇଦ୍ରାବାଦରେ ଛପା ହୋଇ ପୁଣି ଓଡ଼ିଶା ବଜାରରେ ଆସି ଓଡ଼ିଶାର ହ୍ୟାଣ୍ଡଲୁମ୍ ହିସାବରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ତେଣୁ ଏହି ମର୍ମରେ ବିଚାର କଲେ ଓଡ଼ିଶାର ରସଗୋଲାକୁ ଯଦି କିଏ ଆଉ କାହାର ବୋଲି କହେ ଆମର କିଛି କହିବାର ନାହିଁ।

ପ୍ରତି ଜାତିର ନିଜସ୍ୱ ସଂସ୍କୃତି ରହିଛି। ଏହି ସଂସ୍କୃତି ଭିତରେ ତା’ର ବେଶ ପୋଷାକ, ଖାଦ୍ୟ ରୁଚି, ପର୍ବପର୍ବାଣି ଏପରିକି ଚାଲିଚଳନ ବା ରଙ୍ଗଢ଼ଙ୍ଗ ଅନ୍ତର୍ଭୁକ୍ତ। ତେଣୁ ମହାଭାରତୀୟ ସଂସ୍କୃତି ଭିତରେ ଓଡ଼ିଶା ନିଜ ପାଇଁ ତିଆରିଛି ନିଜସ୍ୱ ପରିଚୟ। ଏହି ପରିଚୟ ଭିତରେ ରସଗୋଲା ଗୋଟିଏ ଅଙ୍ଗ। ଓଡ଼ିଶାର ବିଭିନ୍ନ ତଥା ଅନନ୍ୟ ଖାଦ୍ୟ ରୁଚି ଭିତରେ ରସଗୋଲା କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ।

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରଥଯାତ୍ରାର ଏକ ଅନନ୍ୟ ପରମ୍ପରା। ଚତୁର୍ଦ୍ଧାମୂର୍ତ୍ତି ତାଙ୍କର ବାର୍ଷିକ ୯ ଦିନିଆ ରଥ କାର୍ଯ୍ୟକ୍ରମ ସାରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଏହି ଦିନ ଫେରନ୍ତି। ବଡ଼ ଠାକୁର ଏବଂ ଭଉଣୀ ସୁଭଦ୍ରା ଆଗେ ଆଗେ ଭିତରକୁ ଯିବେ। ହେଲେ ଜଗନ୍ନାଥଙ୍କ ପାଇଁ ପରମ୍ପରା ଟିକେ ଅଲଗା। ମନ୍ଦିର ଭିତରେ ଥିବା ଚାହାଣି ମଣ୍ଡପରେ ବିଜେ ହେବେ ମା’ ଲକ୍ଷ୍ମୀ। ରଥ ଉପରେ ଜଗନ୍ନାଥ ଓ ଚାହାଣି ମଣ୍ଡପରେ ଲକ୍ଷ୍ମୀ – ଏହି ସମୟରେ ଏକ ବିଶେଷ ରୀତି ପାଳିତ ହୁଏ। ଜଗନ୍ନାଥଙ୍କ ସେବକମାନେ ମା’ଲକ୍ଷ୍ମୀଙ୍କ ମହାଜନ ସେବକଙ୍କ ହାତକୁ କୁଡୁଆ ଭର୍ତ୍ତି ରସଗୋଲା ଟେକି ଦେବେ। ସେତିକିରେ ଭାଙ୍ଗିବ ଲକ୍ଷ୍ମୀଙ୍କ ଅଭିମାନ। ତେଣୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ବାଟ ଖୋଲିଯିବା ପଛରେ ମଧ୍ୟ ରହିଛି ରସଗୋଲା।

ଶ୍ରୀ ଜଗନ୍ନାଥ ସଂସ୍କୃତିରେ ରସଗୋଲାର ଏହି ସମ୍ପର୍କ ଐତିହାସିକ, ତାତ୍ତ୍ୱିକ ଏବଂ ସାମାଜିକ ବିଶେଷତ୍ୱର ବହନ କରୁଛି। କାହିଁ କେଉଁ କାଳରୁ ଶ୍ରୀ ଜୀଉଙ୍କୁ ଏହି ରସାଳ ରସଗୋଲା ଭକ୍ତମାନେ ଟେକି ଦେଇ ଆସୁଛନ୍ତି। ନୀଳାଦ୍ରି ବିଜେ ଦିନ ବଡ଼ଦାଣ୍ଡରେ ଭକ୍ତମାନଙ୍କ ହାତରେ ଛୋଟ ବଡ଼ କୁଡୁଆରେ ରସଗୋଲା ଦେଖିଲେ ମନେ ହେବ ଯେ ଜଗନ୍ନାଥ ମନ୍ଦିର ସହ କେମିତି ନିବିଡ ଭାବେ ଯୋଡା ହୋଇଛି ଓଡ଼ିଶାର ଏହି ଲୋକପ୍ରିୟ ମିଠା।

ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ରସଗୋଲାର ସମ୍ପର୍କ ବିଷୟରେ ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ରହିଛି।

ରସଗୋଲା ଯୁଦ୍ଧ?

ରସଗୋଲାକୁ ନେଇ ୨ବର୍ଷ ତଳେ ଏକ ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା, ଯେତେବେଳେ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଲା। ଓଡ଼ିଆମାନେ ଟିକେ ପଛୁଆ। ପଶ୍ଚିମବଙ୍ଗ ରସଗୋଲାକୁ  ଜିଆଇ ଟ୍ୟାଗ୍ ମିଳିବା ପରେ ଆମ ନିଦ ଭାଙ୍ଗିଲା। ତେବେ ଖୁସିର କଥା ଯେ ଶେଷରେ ଓଡ଼ିଶା ରସଗୋଲାକୁ ମିଳିଛି ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ବା ଜିଆଇ ଟ୍ୟାଗ୍। ସମ୍ଭବତଃ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ଯେକୌଣସି ଓଡ଼ିଆ ପାଇଁ ଗୋଟିଏ ଖୁସିର ଖବର ହେବ।

ରସଗୋଲାର ଉତ୍ପତ୍ତି ଓଡ଼ିଶାରେ କି ବଙ୍ଗଳାରେ ବା କିଏ କାହାଠାରୁ ରସଗୋଲା ତିଆରି ପଦ୍ଧତି ଉଠାଇଛନ୍ତି ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଯେ ଆମେ ଓଡ଼ିଆ ହିସାବରେ ରସଗୋଲା ଭଳି ଏକ ରୁଚିକର, ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟକୁ ଆମ ସାଂସ୍କୃତିକ ପରମ୍ପରା ସହ ଯୋଡ଼ି ଆଜି କେତେ ଗର୍ବ ଅନୁଭବ କରୁଛୁ। ଏ ଲେଖକର ଅନ୍ୟତମ ପ୍ରିୟ ମିଠା ରସଗୋଲା ଏବଂ ମୁଁ ବିଶ୍ୱାସ କରେ ଯେ ମୋ ଭଳି ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ ମିଠା ହେଉଛି ରସଗୋଲା।

ଓଡ଼ିଶାର ରସଗୋଲା – ଏହା ହିଁ ହେଉଛି ଆଜିର ଫୋକସ୍। ତେଣୁ ଅନ୍ୟ କେଉଁ ରାଜ୍ୟର ରସଗୋଲା ପଛରେ ନପଡ଼ି ଆମେ ଆମ ରସଗୋଲାର ସ୍ୱାଦ ଅନୁଭବ କରିବା ଦରକାର। ଅବଶ୍ୟ ଓଡ଼ିଶାର ରସଗୋଲା ପଛର ଐତିହାସିକ ଏବଂ ସାହିତ୍ୟିକ ଦିଗ ବିଷୟରେ ଆଜିର ଏବଂ ଆସନ୍ତାକାଲିର ଓଡ଼ିଆମାନଙ୍କର କିଛିଟା ଧାରଣା ରହିବା ଆବଶ୍ୟକ। ତା’ହେଲେ ସେମାନେ ସର୍ବଭାରତୀୟସ୍ତରରେ କିମ୍ବା ଅନ୍ତର୍ଜାତୀୟ କ୍ଷେତ୍ରରେ ଆଲୋଚନା ବା ବିତର୍କ ବେଳେ ଓଡ଼ିଶା ରସଗୋଲାର କାହାଣୀ ଗଭୀର ଆତ୍ମବିଶ୍ୱାସର ସହ ଉପସ୍ଥାପନ କରିପାରିବେ।

ସାହିତ୍ୟରେ ଓଡ଼ିଶାର ରସଗୋଲା

ରସଗୋଲା ସମ୍ପର୍କରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଉଲ୍ଲେଖ ରହିଛି। ଦାଣ୍ଡି ରାମାୟଣ ଏକ କାଳଜୟୀ ଓଡ଼ିଆ ସାହିତ୍ୟ, ଯାହାକି ପଞ୍ଚଦଶ ଶତାବ୍ଦୀ ଶେଷଭାଗରେ ସୃଷ୍ଟି ହୋଇଥିଲା। ୧୯୧୨ ମସିହାରେ ଏହା ପ୍ରଥମ ଥର ପାଇଁ ମୁଦ୍ରିତ ହୋଇଥିଲା। ଆଜି ଯେତେବେଳେ ଆମେ ରସଗୋଲାର ଇତିହାସ ଖୋଜୁଛୁ ଦାଣ୍ଡି ରାମାୟଣ ଆମ ପାଇଁ ଏକ ବଡ଼ ରେଫରେନ୍ସ ହୋଇପାରିଛି।

ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଥିଲେ ଦୈନିକ ‘କଳିଙ୍ଗ’ର ସମ୍ପାଦକ। ୧୯୬୮ ମସିହାରେ କଳିଙ୍ଗର ସମ୍ପାଦକୀୟ ପୃଷ୍ଠାରେ ସେ ଶାଣିତ ବ୍ୟଙ୍ଗ କରି ରସଗୋଲା ସମ୍ପର୍କରେ ଏକ ଲେଖା ଛାପିଥିଲେ। ସେ ବର୍ଷ କଲିକତାରେ ରସଗୋଲାର ୧୦୦ ବର୍ଷ ପୂର୍ତ୍ତି ବୋଲି ଏକ ଖବର ଉପରେ ଟିପ୍ପଣୀ ଦେଇ ସେ ଏହି ଲେଖାଟି ପ୍ରସ୍ତୁତ କରିଥିଲେ। ଲେଖାଟିର ମୋଟାମୋଟି ମର୍ମ ହେଉଛି ଓଡ଼ିଶାରେ ପ୍ରସ୍ତୁତ ରସଗୋଲା ଯଥେଷ୍ଟ ପ୍ରାଚୀନ ଏବଂ ଏହା ପଛରେ ବଙ୍ଗଳାର ରସଗୋଲାର କୌଣସି ଚିହ୍ନବର୍ଣ୍ଣ ନାହିଁ।

ରସଗୋଲା କଥା କହିଲେ ଆମ ମୁହଁକୁ ଆସିଯାଏ ପାହାଳ ରସଗୋଲା। କଟକ ଏବଂ ଭୁବନେଶ୍ୱର ମଝିରେ ପାହାଳ ନିକଟରେ ବେଶ୍ କିଛି ଦଶନ୍ଧି ହେଲା ଗଢ଼ିଉଠିଛି ଏକ ରସଗୋଲା ବଜାର। ସୁରେନ୍ଦ୍ର ମହାନ୍ତି ଯେତେବେଳେ ଦୈନିକ ସମ୍ବାଦର ସମ୍ପାଦକ ଥିଲେ ସେତେବେଳେ ସେ ତାଙ୍କର ସ୍ତମ୍ଭ ‘ଶେଷ ସ୍ତମ୍ଭ’ରେ ଏହି ରସଗୋଲା ବଜାର ସମ୍ପର୍କରେ ଲେଖିଥିଲେ। ବିଶେଷକରି ପାହାଳରେ କିଭଳି ଜଣେ ମିଠା କାରିଗରଙ୍କ ଉଦ୍ୟମରୁ ପାହାଳର ରସଗୋଲା ବ୍ରାଣ୍ଡ ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ଏକ ପରିଚୟ ହାସଲ କରିଥିଲା।

ନାଟ୍ୟକାର ଗୋପାଳ ଛୋଟରାୟ ତାଙ୍କ ଆତ୍ମଜୀବନୀ ପଥିକରେ କଟକରେ ପ୍ରସ୍ତୁତ ସୁଆଦିଆ ରସଗୋଲା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏକଥା କହିଲାବେଳେ ସେ କଟକ ବାଲୁବଜାରର ରଙ୍ଗିଆ ମିଠା ଦୋକାନ ବିଷୟରେ ଉଲ୍ଲେଖ କରିଛନ୍ତି।

ବ୍ୟାସ କବି ଫକିର ମୋହନଙ୍କ ଆତ୍ମଜୀବନୀରେ ରସଗୋଲା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଏଥିପାଇଁ ଆମକୁ ଫେରିଯିବାକୁ ହେବ ୧୯୦୪ ମସିହାକୁ। ଫକିରମୋହନ ଜୟପୁର ରାଜା ବିକ୍ରମ ଦେବଙ୍କ ଘରେ ଯେଉଁ ଭୋଜନ କରିଥିଲେ ତା’ ଭିତରେ ଥିଲା ପୁରୀର ପ୍ରସିଦ୍ଧ କଚୋଡି ଏବଂ ଅତି ଉନ୍ନତମାନର ସ୍ୱାଦିଷ୍ଟ ରସଗୋଲା। ଫକିର ମୋହନ ଲେଖିଛନ୍ତି ଯେ ଆନ୍ଧ୍ରରେ ଏସବୁ ଖାଦ୍ୟ ମିଳେ ନାହିଁ। ଅର୍ଥାତ୍ ଜୟପୁର ରାଜା ବିକ୍ରମଦେବ ତାଙ୍କୁ ଆତିଥ୍ୟରେ ଯେଉଁ ରସଗୋଲା ଦେଇଥିଲେ ତାହାର ଗଭୀର ସମ୍ପର୍କ ଓଡ଼ିଶାର ଖାଦ୍ୟ ରୁଚି ସହ ରହିଛି।

ଲେଖକ ଗୋବିନ୍ଦ ରଥଙ୍କ ଲେଖାରୁ ଏକ ସୂଚନା ମିଳେ ଯେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ କଲିକତାରେ ବଡ଼ଲାଟଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏକ ମହାମେଳା ଆୟୋଜନ କରାଯାଇଥାଏ। ଏଥିରେ ବିଭିନ୍ନ ରାଜ୍ୟର ଆକର୍ଷଣୀୟ ଜିନିଷ ଦେଖିବାକୁ ମିଳେ। ତା’ ଭିତରେ ଓଡ଼ିଶାର ରସଗୋଲା ଥିବା କଥା ସେ ଉଲ୍ଲେଖ କରିଛନ୍ତି। ସେହିପରି ବହୁତ ବର୍ଷ ପୂର୍ବରୁ ବାଲିଯାତ୍ରାରେ ସ୍ୱତନ୍ତ୍ର ରସଗୋଲା ଦୋକାନ ବିଷୟରେ ମଧ୍ୟ ତାଙ୍କ ଲେଖାରେ ଉଲ୍ଲେଖ ରହିଛି।

ଭାରତୀୟ ଖାଦ୍ୟ ରୁଚିରେ ଓଡ଼ିଶାର ରସଗୋଲା

ଭାରତୀୟ ଖାଦ୍ୟ ରୁଚି ସମ୍ପର୍କରେ ସର୍ବଭାରତୀୟସ୍ତରରେ ପ୍ରକାଶିତ କେତେକ ପୁସ୍ତକ ରହିଛି। ଅନେକ ପୁସ୍ତକରେ ଓଡ଼ିଶାର ରସଗୋଲା ସମ୍ପର୍କରେ ଅତି ସ୍ପଷ୍ଟ ଭାବରେ ଲେଖା ରହିଛି। ତା’ ଭିତରୁ ଗୋଟିଏ ବହି ହେଉଛି ‘ଦ ବେଙ୍ଗଲିଜ୍’। ଏହାର ଲେଖକ ହେଉଛନ୍ତି ସନ୍ଦୀପ ଚକ୍ରବର୍ତ୍ତୀ। ସେ ଲେଖିଛନ୍ତି ଯେ ଓଡ଼ିଶାରେ ପ୍ରସ୍ତୁତ ରସଗୋଲା ଏକ ଉତ୍କୃଷ୍ଟ ମିଠା। ସେହିପରି ଚାରମିନ୍ ଓ’ବ୍ରାଇନଙ୍କ ଲିଖିତ ‘ଦ ପେଙ୍ଗୁଇନ୍ ଫୁଡ୍ ଗାଇଡ୍’ରେ ମଧ୍ୟ ଓଡ଼ିଶା ରସଗୋଲା ସମ୍ପର୍କରେ ବେଶ୍ ମିଠା ସୂଚନା ଦିଆଯାଇଛି।

ସେହିପରି ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଟେକ୍ନୋଲୋଜି ଏବଂ ବାୟୋକେମିକାଲ ବିଭାଗର ମୁଖ୍ୟ ଉତ୍ପଳ ରାୟ ଚୌଧୁରୀ ଏକଦା ଓଡ଼ିଶା ଗସ୍ତ ସମୟରେ ଓଡ଼ିଶା ରସଗୋଲାର ପ୍ରାଚୀନତା ଓ ସ୍ୱାତନ୍ତ୍ର୍ୟ ବିଷୟରେ କହିଥିଲେ।

ମିଠା ଯୁଦ୍ଧ ପଛର କାହାଣୀ

ତେଣୁ ଓଡ଼ିଶା ରସଗୋଲାର ପ୍ରାଚୀନତା ଖୋଜିବାକୁ ହେଲେ ଆମକୁ ଐତିହାସିକ, ସାହିତ୍ୟିକ ଏବଂ ହୁଏତ ଭୌଗୋଳିକ ଦିଗ ସମ୍ପର୍କରେ ସମୀକ୍ଷା କରିବାକୁ ହେବ। ଖୁସିର କଥା ଯେ ଓଡ଼ିଶା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଓଏସଆଇସି) ପକ୍ଷରୁ ଭାରତର ଜିଆଇ ରେଜିଷ୍ଟ୍ରି ନିକଟରେ ଓଡ଼ିଶା ରସଗୋଲା ପାଇଁ ଯେଉଁ ଜିଆଇ ଟ୍ୟାଗ୍ ଆବେଦନ (ଆବେଦନ ନମ୍ବର ୬୧୨, କ୍ଲାସ୍ ୨୯ -୩୦) କରାଯାଇଥିଲା ସେଥିରେ ଏସବୁ ବିଷୟ ଅତି ପ୍ରାଞ୍ଜଳ ଭାବରେ ଦର୍ଶାଯାଇଥିଲା। କେବଳ ସେତିକି ନୁହେଁ, ଓଡ଼ିଶାର ରସଗୋଲାର ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଏହି ଜିଆଇ ଆବେଦନରେ ଲିପିବଦ୍ଧ ହୋଇଛି।

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ଯେଉଁ ବୌଦ୍ଧିକ କସରତ କରିବାକୁ ପଡ଼ିଥିଲା ତା’ ଭିତରେ ବରିଷ୍ଠ ସାମ୍ବାଦିକ ତଥା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଅସିତ୍ ମହାନ୍ତିଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଅସିତବାବୁଙ୍କ ସହିତ ଏହି କାର୍ଯ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ୍ ହୋଇଥିବା ପ୍ରତି ବ୍ୟକ୍ତିଙ୍କୁ ଜଣେ ଓଡ଼ିଆ ଭାବରେ ମୁଁ ଗଭୀର କୃତଜ୍ଞତା ଜଣାଉଛି।

 ରସଗୋଲା ଦିବସ

ଓଡ଼ିଶାର ରସଗୋଲା ସମ୍ପର୍କରେ ଆମେ ଆଜି ଏପରି ଆଲୋଚନା କରିନଥାନ୍ତେ ଯଦି ୨୦୧୫ ନବକଳେବର ବର୍ଷ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରିବାର ପ୍ରକ୍ରିୟା ଆରମ୍ଭ ହୋଇନଥାନ୍ତା। ଗତ ୪ବର୍ଷ ହେଲା ଆମେ ଓଡ଼ିଆମାନେ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ପାଳନ କରି ଓଡ଼ିଶାର ଏହି ସ୍ୱାଦିଷ୍ଟ ଓ ସ୍ୱତନ୍ତ୍ର ଖାଦ୍ୟ ସଂସ୍କୃତିକୁ ଗୁରୁତ୍ୱ ଦେଇ ଆସୁଛୁ। ଯେଉଁମାନେ ରସଗୋଲା ଖାଇବାକୁ ଭଲପାଆନ୍ତି ସେମାନଙ୍କ ପାଇଁ କିଛି କହିବାର ଆବଶ୍ୟକତା ନାହିଁ। କିନ୍ତୁ ଯେଉଁମାନେ କୌଣସି କାରଣରୁ ରସଗୋଲା ଖାଇପାରୁନାହାନ୍ତି ସେମାନେ ଅନ୍ତତଃ ମୁହଁରେ ଏହି ମିଠା ସମ୍ପର୍କରେ ମିଠା କଥା କହିବାରେ କୌଣସି ବାଧା ରହିବା କଥା ନୁହେଁ।

ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରସଗୋଲା ବିଭିନ୍ନ ଢାଞ୍ଚାରେ ପ୍ରସ୍ତୁତ ହେଉଛି। ଅଲଗା ଅଲଗା ଆକାର, ରଙ୍ଗ ଏପରିକି ସ୍ୱାଦ ଓଡ଼ିଶାର ରସଗୋଲାକୁ ସ୍ଥଳବିଶେଷରେ ଦେଇଛି ଏକ ପ୍ରାନ୍ତୀୟ ପରିଚୟ। ସାଲେପୁର ରସଗୋଲା ତା’ ଭିତରୁ ଅନ୍ୟତମ। ରସଗୋଲା ଭଳି ଏକ ମିଠାକୁ ନେଇ କେତେ ବଡ଼ ଶିଳ୍ପ ସୃଷ୍ଟି କରାଯାଇପାରେ ଏକଥା ବିକଳାନନ୍ଦ କରଙ୍କ ସଂସ୍ଥାରୁ ବୁଝିବାକୁ ହେବ।

ଓଡ଼ିଶାର ରସଗୋଲାକୁ ନେଇ ୨୦୧୫ ନବକଳେବର ସମୟରେ ଯୁବ ସମାଜସେବୀ ଅନୀତା ସାବତ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଓଡ଼ିଶାର ରସଗୋଲା ସହ ଓଡ଼ିଶା ସମେତ ଦେଶ ବିଦେଶର ବୁଦ୍ଧିଜୀବୀମାନଙ୍କୁ ଯୋଡ଼ିବାକୁ ଚେଷ୍ଟା କରିଥିଲେ ଅନୀତା। ସେବେଠାରୁ ରସଗୋଲା ଦିବସ ପାଳନ କରାଯାଉଛି। ଓଡ଼ିଶାର ରସଗୋଲାକୁ ନେଇ ୨୦୧୫ରୁ ଅନୀତାଙ୍କ ସମେତ ଯେଉଁମାନେ ଏହି କ୍ୟାମ୍ପେନ ଶୁଭାରମ୍ଭ କରିଥିଲେ ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି।

ଓଡ଼ିଶାର ଛେନା ମିଠା

ରସଗୋଲା ଛଡ଼ା ‘ରସ’ ଶବ୍ଦକୁ ବ୍ୟବହାର କରି ଓଡ଼ିଶାରେ ଅନେକ ମିଠା ରହିଛି, ଯେପରିକି ରସାବଳି, ରସମଲେଇ, ରସକଦମ ଇତ୍ୟାଦି। ସେହିପରି ଛେନାରେ ପ୍ରସ୍ତୁତ ମିଠା ଭିତରେ ଛେନାପୋଡ଼ (ନୟାଗଡ଼ ପ୍ରସିଦ୍ଧ), ଛେନାଝିଲି (ନିମାପଡ଼ା ପ୍ରସିଦ୍ଧ), ଛେନାଗଜା, ଛେନାକାକରା, ଛେନାବରା, ଛେନାମଣ୍ଡା ଓ ଛେନା ମୁଡ଼ୁକି ଆଦି ଅନ୍ୟତମ। ଓଡ଼ିଶାର ଛେନା କାରିଗର ସାରା ପୃଥିବୀକୁ ଦେଖାଇ ଦେଇଛି ଯେ ଗୋଟିଏ ଦ୍ରବ୍ୟରୁ କେତେ ରୁଚିର ଖାଦ୍ୟ ପ୍ରସ୍ତୁତ ହୋଇପାରେ।

କେବଳ ରସଗୋଲା, ଛେନାପୋଡ଼ କି ଛେନାଝିଲିର କଥା ନୁହେଁ କିମ୍ବା କନ୍ଧମାଳ ହଳଦୀର ବିଷୟ ନୁହେଁ। ଓଡ଼ିଶାର ଏପରି ଅନେକ ନିଜସ୍ୱ ପରିଚୟ ରହିଛି ଯାହାକୁ ଆଜି ଦେଶ ଓ ବିଦେଶରେ ଓଡ଼ିଶାର ବ୍ରାଣ୍ଡ ହିସାବରେ ଉପସ୍ଥାପନ କରିବାର ସମୟ ଆସିଛି। ଏହା ହୋଇପାରିଲେ କେବଳ ଆମର ସାଂସ୍କୃତିକ ପରିଚୟ ବା ଅସ୍ମିତା ଯେ ବଞ୍ଚିରହିବ ଏକଥା ନୁହେଁ, ନୂଆ ପିଢ଼ି ପାଇଁ ଏକ ବ୍ୟାବସାୟିକ କ୍ଷେତ୍ର ମଧ୍ୟ ସୁନିଶ୍ଚିତ ହୋଇପାରିବ। ମୋର ପ୍ରସ୍ତାବ ଏ କ୍ଷେତ୍ରରେ ସରକାରଙ୍କର ବଡ଼ ଦାୟିତ୍ୱ ରହିଛି। ତେବେ ବିଭିନ୍ନ ଜିନିଷକୁ ଚିହ୍ନଟ କରି ତା’ର ଭୌଗୋଳିକ, ଐତିହାସିକ, ସାମାଜିକ ଏବଂ ବ୍ୟାବହାରିକ ଦିଗ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଯୋଗାଡ଼ କରି ଜିଆଇ ପାଇଁ ଆବେଦନ କରିବା କ୍ଷେତ୍ରରେ ଆମ ସମସ୍ତଙ୍କର ମଧ୍ୟ ଦାୟିତ୍ୱ କିଛି କମ୍ ନୁହେଁ।

ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଜଣେ ଓଡ଼ିଆ ହିସାବରେ ମତେ ଖୁସି ଲାଗୁଛି। ଭାବୁଛି ଆପଣମାନେ ମଧ୍ୟ ମୋ ଭଳି ଗର୍ବ ଅନୁଭବ କରୁଥିବେ।

ରସଗୋଲା ଥିଲା ଓଡ଼ିଶାର ଏକ ମିଠା। ହେଲେ ରସଗୋଲା ଆଜି ପାଲଟିଛି ଏକ ଆନ୍ଦୋଳନ। ଏହା ମଧ୍ୟ କମ୍ ଆନନ୍ଦର ବିଷୟ ନୁହେଁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ)

Comment