ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ୨୧ରେ ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍ ପାସ ହେବା ପରେ ଏବେ ପାଳି ରାଜ୍ୟସଭା। ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ଆଗତ କରିବେ। ଏଥିଲାଗି ବିଜେପି ନିଜର ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି।

ରାଜ୍ୟସଭାରେ ତିନି ତଲାକ ବିଲକୁ ପାରିତ କରିବା ସରକାରଙ୍କ ପାଇଁ କଷ୍ଟ ହୋଇ ପଡ଼ିବ। କାରଣ ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁ ଭୋଟିଂରେ ସାମିଲ ହେବନି। ସେହିପରି ଓ୍ୱାଇଏସ୍‌ଆର, କଂଗ୍ରେସର ଏଆଇଡିଏମକେ ମଧ୍ୟ ଭୋଟିଂ ରହିବ ବୋଲି ଘୋଷଣା କରିଛି। ରାଜ୍ୟସଭାରେ ଏହି ବିଲ ପାସ୍‌ କରିବା ପାଇଁ ୧୨୧ ଭୋଟର ଆବଶ୍ୟକତା ରହିଛି। ରାଜ୍ୟସଭାରେ ଓ୍ୱାଇଏସ୍ଆର କଂଗ୍ରେସର ୨, ଜେଡିୟୁର ୬, ଏଆଇଡିଏମ୍‌କେ ୧୩ ଜଣ ସାଂସଦ ଅଛନ୍ତି। ଯେଉଁମାନେ ଭୋଟିଂରେ ଭାଗ ନେବେ ନାହିଁ।

ବର୍ତ୍ତମାନ ସମୟରେ ଏନଡିଏ ସରକାରଙ୍କ ସପକ୍ଷରେ ରାଜ୍ୟସଭାରେ ୧୨ ଜଣ ମନୋନିତ ସାଂସଦ ଏବଂ ନିର୍ଦଳୀୟ ସାଂସଦଙ୍କ ସହ ସମୁଦାୟ ୧୧୩ ଜଣ ସାଂସଦଙ୍କ ସମର୍ଥନ ରହିଛି। ଯଦି ବିଜେଡି ଏବଂ ଟିଆରଏସର ସଦସ୍ୟଙ୍କ ସମର୍ଥନ ମିଳେ ତେବେ ଗୃହରେ ସରକାର ବହୁମତର ସଂଖ୍ୟା ପାର କରି ପାରିବ।

ସେପଟେ ବିଜେଡି ରାଜ୍ୟସଭାରେ ତିନ ତଲାକ ବିଲ୍‌କୁ ସମର୍ଥନ ଦେବ ବୋଲି ହଁ କରିଛି। ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି।

Comment