ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କୁ ହେଉଥିବା କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଖୁବ୍ ସାଧାରଣ। ଭାରତରେ ସବୁଠୁ ଅଧିକ ମହିଳା ଏହି ରୋଗର ଶିକାର ହେଉଛନ୍ତି। ଏକ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି। ପରିବାରରେ ପୂର୍ବରୁ କାହାକୁ ଏହି ରୋଗ ଥିଲେ, ବିଭିନ୍ନ ପ୍ରକାର ରସାୟନିକ ଦ୍ରବ୍ୟର କୁପ୍ରଭାବ, ଶରୀରରେ ମୋଟାପଣ ବୃଦ୍ଧିପାଇବା, ମାସିକ ଋତୁସ୍ରାବ ବନ୍ଦ ହେବା, ଶାରିରୀକ ଗତିବିଧିର ଅଭାବ ଇତ୍ୟାଦି ଯୋଗୁ ଏହା ଅଧିକ ମାତ୍ରାରେ ହେଉଛି।

ସ୍ତନ କର୍କଟର ଲକ୍ଷଣ

-ସ୍ତନ କିମ୍ବା କାଖରେ ଆବୁର ଲକ୍ଷଣ ଦେଖାଯିବା କିମ୍ବା କୌଣସି ସ୍ଥାନ ଗୋଟାଳିଆ ଲାଗିବା

-ସ୍ତନର ଯେକୌଣସି ଭାଗରେ ଛୁଇଁଲେ ଟାଣ କିମ୍ବା ଫୁଲା ଅନୁଭବ କରିବା

-ସ୍ତନର ଚର୍ମ ମଳିନ ହୋଇଯିବା କିମ୍ବା ଘିମିରି ପରି ଫୁଲିଯିବା

-ସ୍ତନ ଚର୍ମରେ ଲାଲ ଲାଲ ଦାଗ କିମ୍ବା ଶୁଖିଲା ପରତ ପଡ଼ିବା

-ସ୍ତନାଗ୍ରରେ ପୀଡ଼ା କିମ୍ବା ଚର୍ମ ଭିତରକୁ ଟାଣି ହେବା

-ସ୍ତନରେ ଦୁଗ୍ଧ ଛଡ଼ା ଦୁଗ୍ଧ ସହିତ ରକ୍ତସ୍ରାବ ହେବା

-ସ୍ତନର ଆକାରରେ ପରିବ ର୍ନ ହେବା

-ସ୍ତନର କୌଣସି ଭାଗରେ ପୀଡ଼ା ହେବା

ଏହା ମନେ ରଖିବା ଉଚିତ ଯେ ଉପରୋକ୍ତ ଲକ୍ଷଣ ନିର୍ଦ୍ଦିଷ୍ଟ ଭାବେ ସ୍ତନ କର୍କଟର ଲକ୍ଷଣ ବୋଲି କହିହେବ ନାହିଁ। ଏପରି ଲକ୍ଷଣ ଅନ୍ୟ କୌଣସି ରୋଗର ବି ହୋଇପାରେ। ତେବେ ଏପରି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସ୍ତନ କର୍କଟର ପ୍ରକାର

ଇନଭାସିଭ ଡକ୍ଟାଲ କାର୍ସିନୋମା: ମହିଳାଙ୍କୁ ହେଉଥିବା ସ୍ତନ କର୍କଟର ୮୦ ପ୍ରତିଶତ ହେଉଛି ଇନଭାସିଭ ଡକ୍ଟାଲ କାର୍ସିନୋମା । ଏହା ସ୍ତନର ଚର୍ବି ଥିବା ଅଂଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ।

ଇନଫ୍ଲାମେଟରୀ ବ୍ରେଷ୍ଟ କ୍ୟାନସର: ସ୍ତନ କର୍କଟର ଏହି ଅବସ୍ଥା ଖୁବ୍ କମ୍ ଲୋକଙ୍କୁ ହୁଏ । ଏହି ଅବସ୍ଥାରେ ଚିକିତ୍ସା ଖୁବ୍ କଠିନ । ଏହା ଖୁବ୍ ଦ୍ରୁତ ଗତିରେ ପରିବ୍ୟାପ୍ତ ହେଉଥିବାରୁ ମହିଳାମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି।

-ପେଜେଟ୍ସ ଡିଜିଜ: ଏହି କର୍କଟ ରୋଗ ସ୍ତନାଗ୍ରର ଆଖପାଖରେ ହୁଏ । ଏହାଦ୍ୱାରା ସ୍ତନାଗ୍ରର ଚାରିପଟେ କଳା ହୋଇଯାଏ । ସ୍ତନାଗ୍ରରେ କୁଣ୍ଡାଇ ହେବା, ଜ୍ୱଳନ ହେବା, ସଂକ୍ରମଣ ଇତ୍ୟାଦି ହୋଇଥିବା ମହିଳାଙ୍କୁ ଏହା ହେବାର ଆଶଙ୍କା ବଢ଼ିଯାଏ।

-ଏସବୁ ବ୍ୟତୀତ ଟ୍ୟୁବୁଲର କାର୍ସିନୋମା, ମେଡ୍ୟୁଲାରୀ କାର୍ସିନୋମା,ମ୍ୟୁକସ କାରସିନୋମା, ଲୋବୁଲର କାରସିନୋମା ଭଳି ବିଭିନ୍ନ ପ୍ରକାର ସ୍ତନ କର୍କଟ ହୋଇଥାଏ ।

ଏଥିରୁ ରକ୍ଷା ପାଇବେ କିପରି

ଡାକ୍ତରମାନଙ୍କ ଅନୁସାରେ ସ୍ତନ କର୍କଟରୁ ରକ୍ଷା ପାଇବା ଲାଗି ଖାଦ୍ୟପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ଜରୁରୀ । ଅର୍ଥାତ୍ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ଜରୁରୀ । ଏହାଛଡ଼ା ନିୟମିତ ଭାବେ ବ୍ୟାୟାମ କରିବାର ମଧ୍ୟ ଆବଶ୍ୟକତା ରହିଛି। ବ୍ୟାୟାମ ନ କରିପାରିଲେ ପ୍ରତିଦିନ ୨୦ ମିନିଟ୍ ଧରି ଚାଲନ୍ତୁ । ପ୍ରତି ୩ ମାସରେ ଥରେ ସ୍ତନର ପରୀକ୍ଷା କରାନ୍ତୁ । ବିଶେଷ କରି ୩୫ ବର୍ଷ ପରେ ଏହାର ପରୀକ୍ଷଣ ଜରୁରୀ। ଏହାଛଡ଼ା କଞ୍ଚାଲଙ୍କା, ଟମାଟର, ଅଦା, ରସୁଣ ପ୍ରଭୃତି ଖାଇଲେ କର୍କଟ ରୋଗର କୋଷିକା ତିଆରି ହେବାର ଆଶଙ୍କା କମେ। ଏସବୁ ଖାଦ୍ୟ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

Comment