ଓଡ଼ିଶାଲାଇଭ ବ୍ୟୁରୋ

ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କୁ ଭାରତୀୟ ସେନାର ଟ୍ୟାଙ୍କ ମ୍ୟାନ ବୋଲି କୁହାଯାଏ। ସେ ପ୍ରଥମ ଓଡ଼ିଆ ଥିଲେ ଯିଏକି ମେଜର ଜେନେରାଲ ପଦବୀ ପାଇଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ, ୧୯୬୫ ଓ ୧୯୭୧ ପାକିସ୍ତାନ ସହ ଯୁଦ୍ଧ ବେଳେ ସେ ରହିଥିଲେ ଭାରତୀୟ ସେନାରେ। ତେବେ ତାଙ୍କୁ କାହିଁକି ଟ୍ୟାଙ୍କ୍‌ ମ୍ୟାନର ଉପାଧି ମିଳିଥିଲା ସେ ବିଷୟରେ ଜାଣିବା ପାଇଁ ଓଡ଼ିଶାଲାଇଭ୍ ଟିମ୍ ଭେଟିଥିଲା ମେଜର ଜେନେରାଲ୍ ବି.କେ ମହାପାତ୍ରଙ୍କୁ।

ମେଜର ଜେନେରାଲ୍ ବି.କେ ମହାପାତ୍ର ଯୁଦ୍ଧର ସେହି ଭୟାବହତାର ଦୃଶ୍ୟକୁ ଓଡ଼ିଶାଲାଇଭ୍‌ ଟିମ୍‌ ଆଗରେ ବର୍ଣ୍ଣନା କରିବା ସହ ତାଙ୍କୁ ମଳିଥିବା ଟ୍ୟାଙ୍କ ମ୍ୟାନ ଉପାଧି ସଂପର୍କରେ କହିଥିଲେ।

ମେଜର ଜେନେରାଲ ବିକେ ମହାପାତ୍ରଙ୍କ ମୁହଁରେ ୧୯୬୫ ଇଣ୍ଡୋ-ପାକ ଯୁଦ୍ଧ

୧୯୬୫ ମସିହାର ଘଟଣା। ଯେତେବେଳେ ପାକିସ୍ତାନ ଭାରତକୁ ଆକ୍ରମଣ କରିଥିଲା ପ୍ରଥମେ ସେମାନେ ପଞ୍ଜାବର ଖେମ କରଣକୁ ଅଧିକାର କରିଥିଲେ ଯାହା ସତଲେଜ ନଦୀର ଉପତ୍ୟକାରେ ରହିଥିଲା। ଏହି ନଦୀରେ ଦୁଇଟି ବ୍ରିଜ୍ ରହିଥିଲା। ଯାହାକୁ ଅକ୍ତିଆର କରି ପାକିସ୍ତାନ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଯେଉଁ ଯୁଦ୍ଧ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା ସେହି ଯୁଦ୍ଧ ଖୁବ୍ ଜଟିଳ ଥିଲା। କାରଣ ଏହା ଥିଲା ବିଶ୍ୱର ଦ୍ୱିତୀୟ ଟ୍ୟାଙ୍କ୍‌ ବାଟେଲ୍। ପାକିସ୍ତାନ ପାଖରେ ସେତେବେଳେ ରହିଥିଲା  ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଟ୍ୟାଙ୍କ। ଯାହାକୁ ପ୍ୟାଟୋନ୍ ଟ୍ୟାଙ୍କ୍ ବୋଲି କୁହାଯାଉଥିଲା। କିନ୍ତୁ ଭାରତ ପାଖରେ ସେତେବେଳେ ରହିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟାଙ୍କ୍। ଯୁଦ୍ଧ ଏତେ ଭୟାବହ ହୋଇଥିଲା ଯେ ଏହା ଯଦି ରୋକା ଯାଇନଥାନ୍ତା ତେବେ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ିଥାନ୍ତା।

ସେ ଥିଲା ଅତି ଘମାଘୋଟ ଲଢ଼େଇ। କାରଣ ପାକିସ୍ତାନ ପାଖରେ ଯେଉଁସବୁ ଟ୍ୟାଙ୍କ ରହିଥିଲା ସେସବୁ ଟ୍ୟାଙ୍କକୁ ହରାଇବା ଭାରତ ପକ୍ଷେ ଅସମ୍ଭବ ଥିଲା। କିନ୍ତୁ ପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଭାରତୀୟ ସେନା ନା କେବଳ ପାକିସ୍ତାନକୁ ହରାଇଥିଲା ଏହା ସହ ସେମାନେ ବ୍ୟବହାର କରିଥିବା ୧୦୮ଟି ପ୍ୟାଟୋନ୍ ଟ୍ୟାଙ୍କକୁ ମଧ୍ୟ ସିଜ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ଅନେକକୁ ନଷ୍ଟ କରାଯାଇଥିଲା। ଯୁଦ୍ଧ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର୍ ଶାସ୍ତ୍ରୀ ସେନାକୁ ଭେଟିବା ସହ ଏହି ଟ୍ୟାଙ୍କ୍‌ଗୁଡ଼ିକୁ ଦେଖିବା ପାଇଁ କହିଥିଲେ। ଯେଉଁ ଜାଗାରେ ସେହି ଟ୍ୟାଙ୍କ୍‌ଗୁଡ଼ିକୁ ରଖାଯାଇଥିଲା ତାହା ପ୍ରଥମେ ପଠାନ୍ ନଗର ନାଁରେ ନାମିତ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଲାଲବାହାଦୁର୍ ଶାସ୍ତ୍ରୀ ସେହି ଜାଗାର ନାଁକୁ ପ୍ୟାଟୋନ୍ ନଗର ନାମରେ ନାମିତ କରିଥିଲେ। ସେହି ଦିନ ସମ୍ପୂର୍ଣ୍ଣ ଭାରତୀୟ ସେନା  ଗୋଟିଏ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଅତ୍ୟାଧୁନିକ ମେସିନ୍ ନୁହେଁ ବରଂ ସେହି ମେସିନକୁ ଚଳାଉଥିବା ବ୍ୟକ୍ତି ଅଧିକ ଗୁରୁତ୍ୱ ରଖନ୍ତି। ‘Man behind the machine is more important than a sophisticated machine’।

ଏହିପରି  ୧୯୬୧ରେ ହୋଇଥିବା ଗୋଆ ଯୁଦ୍ଧ ଓ ଏହା ପରେ ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ମେଜର ଜେନେରାଲ୍ ବି.କେ ମହାପାତ୍ରଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

କେମିତି ମିଳିଥିଲା ଟ୍ୟାଙ୍କ୍‌ ମ୍ୟାନ ଉପାଧି?

୧୯୫୪ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ମେଜର୍ ଜେନେରାଲ୍ ବି.କେ ମହାପାତ୍ର। ସେନାରେ ନିଜର ୩୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ସେନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି। କଟକରେ ଜନ୍ମ ନେଇଥିବା ତଥା ପୂର୍ବତନ ଚିଫ୍ ଜଷ୍ଟିସ୍ ହରିହର ମହାପାତ୍ରଙ୍କ ପୁଅ ହେଉଛନ୍ତି ମେଜର୍ ଜେନେରାଲ୍ ବି.କେ ମହାପାତ୍ର। ପିଲାଟି ଦିନରୁ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଯୋଗ ଦେଇଥିଲେ ସେନାରେ। ସେନାରେ ଯୋଗଦେବା ସମୟରେ ତାଙ୍କ ବୟସ ମାତ୍ର ୧୭ ବର୍ଷ ହୋଇଥିଲା।

ବିଭିନ୍ନ ସମୟରେ ହୋଇଥିବା ଯୁଦ୍ଧରେ ବିଶେଷକରି ଟ୍ୟାଙ୍କ୍ ବ୍ୟାଟେଲ୍‌ଗୁଡ଼ିକରେ ତାଙ୍କର ରହିଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଯେଉଁଥିପାଇଁ ଭାରତୀୟ ସେନାରେ ସେ ଟ୍ୟାଙ୍କ୍ ମ୍ୟାନ୍ ନାମରେ ଆଜିବି ବେଶ୍ ପରିଚିତ।

Comment