ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷାଦିନ ପ୍ରକୃତିକୁ ଉପଭୋଗ କରିବା ସହ ଭ୍ରମଣର ମଜା ନେବାର ଏହା ଉପଯୁକ୍ତ ସମୟ। ଗରମ ନଥିବାରୁ ଏହି ସମୟରେ ଆପଣ ଯେକୌଣସି ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ କ୍ୟାମ୍ପ କରି ରହିପାରିବେ, ଟ୍ରେକିଂର ମଜା ନେଇପାରିବେ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏସବୁ ଖୁବ୍ ଚାଲେଞ୍ଜିଂ ହୋଇଥାଏ। ପର୍ଯ୍ୟଟନସ୍ଥଳୀରେ ଜରୁରୀକାଳୀନ ସୁବିଧା ମିଳିବାର ସମ୍ଭାବନା କମ୍ ଥିବାରୁ ନିଜେ ସ୍ମାର୍ଟ ଆଉଟଡୋର ପ୍ଲାନିଂ କରନ୍ତୁ।

ସ୍ନାକ୍ସର ବ୍ୟବସ୍ଥା କରନ୍ତୁ: ଆଉଟଡୋର ମଜା ନେବାର ଅର୍ଥ ହେଉଛି ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା। ଏହାଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ରକ୍ତରେ ଶର୍କରାର ପରିମାଣର କମିବା ସୁନିଶ୍ଚିତ। ତେଣୁ ସାଙ୍ଗରେ ସବୁବେଳେ ଡ୍ରାଏଫ୍ରୁଟ୍, ଚଣା ଭଜା, କିଛି ଫଳ, ସୁଗାର ଫ୍ରି ବିସ୍କିଟ୍, ଗ୍ଲୁକୋଜ ଟାବଲେଟ୍ ପ୍ରଭୃତି ନିଅନ୍ତୁ। ଏସବୁକୁ ହ୍ୟାଣ୍ଡ ବ୍ୟାଗ୍ରେ ରଖନ୍ତୁ। ହାଲିଆ ଲାଗିବା ମାତ୍ରେ ଆପଣ ତାକୁ ଖାଇପାରିବେ।

ବାରମ୍ବାର ଶର୍କରାର ସ୍ତର ପରୀକ୍ଷା କରିବା ଆବଶ୍ୟକ: ଟ୍ରେକିଂ, ବାଇକ୍ ଚଳାଇବା ଏବଂ ସାଇକେଲ ଚାଳନା ଭଳି କାମଦ୍ୱାରା ଶରୀରରେ ଗ୍ଲୁକୋଜ୍ର ସ୍ତର କମିଯାଏ। ପୁଣି ଗାଡ଼ିରେ ଅନେକ ସମୟ ଧରି ବସିରହିଲେ କିମ୍ବା କ୍ୟାମ୍ପରେ ବସିରହିଲେ ଶର୍କରାର ପରିମାଣ ବି ବଢିଯାଏ। ଏଭଳି ପରିସ୍ଥିତିରେ ବାରମ୍ବାର ଶର୍କରାକୁ ପରୀକ୍ଷା କରାନ୍ତୁ। ଯାହାଦ୍ୱାରାକି ଆପଣ ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇ ଯାଇପାରିବେ।

ଇନସୁଲିନ୍ର ତାପମାତ୍ରା ବଜାୟ ରଖନ୍ତୁ: ଟ୍ରେକିଂ କରିବା କେବଳ ଯେ ଚାଲେଞ୍ଜିଂ ହୋଇଥାଏ ତା’ ନୁହେଁ, ଏହି ସମୟରେ ଇନସୁଲିନ୍ ଭଳି ଡାୟାବେଟିକ୍ ଉପକରଣ ଉ ପ୍ତ ବି ହୋଇଯାଏ। ଆଉ ଇନ୍ସୁଲିନ୍ ନିର୍ଦ୍ଦିଷ୍ଟ ତାପମାତ୍ରାରେ ନ ରହିଲେ ତାକୁ ବ୍ୟବହାର କରିବା ଭୟଙ୍କର ହୋଇପାରେ। ଏଭଳିକ୍ଷେତ୍ରରେ କୁଲ ବକ୍ସରେ ଇନସୁଲିନ୍କୁ ରଖନ୍ତୁ ଏବଂ ତା’ ଉପରେ ଯେପରି ସିଧାସଳଖ ସୂର୍ଯ୍ୟକିରଣ ନ ପଡ଼ିବ ସେ ବ୍ୟବସ୍ଥା କରନ୍ତୁ।

ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍କୁ ଚାର୍ଜ କରାଯିବା ଆବଶ୍ୟକ: ଏସବୁ ସତର୍କତା ସତ୍ତ୍ୱେ ଯେକୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ଲାଗି ଆପଣ ନିଜର ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍ ଯେପରିକି ସେଲଫୋନ୍ ଏବଂ ବ୍ଲଗ୍ସୁଗାର ମିଟରକୁ ଚାର୍ଜ କରି ରଖନ୍ତୁ। ଯଦି ନିଜର ଗାଡ଼ିର ଆଖପାଖରେ କ୍ୟାମ୍ପ କରୁଥାନ୍ତି ତା’ ହେଲେ ସେଥିରେ ଏହାକୁ ଚାର୍ଜ କରିପାରିବେ। ଯଦି ଆପଣ ଜଙ୍ଗଲିଆ ରାସ୍ତାରେ ଯାଉଥାନ୍ତି ତା’ ହେଲେ ଏକ ସୋଲାର ବ୍ୟାଟେରୀ ରଖନ୍ତୁ।

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ: କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯିବାପୂର୍ବରୁ ସେଠାକାର ପୁଲିସ ଷ୍ଟେସନ୍, ନିକଟସ୍ଥ ଡାକ୍ତରଖାନା ସଂପର୍କରେ ସୂଚନା ଏକତ୍ରିତ କରନ୍ତୁ। ଆପଣ କ୍ୟାମ୍ପ କରୁଥିବା ସ୍ଥାନଠାରୁ ତାହା କେତେ ଦୂର, ଆବଶ୍ୟକସ୍ଥଳେ ଆପଣ ସେଠାରେ କିଭଳି ପହଞ୍ଚିବେ ତାର ସୂଚନା ସଂଗ୍ରହ କରନ୍ତୁ। ସେଠାରେ  ସ୍ଥାନୀୟ ଲୋକଙ୍କଠାରୁ ବି ଆପଣ ଏ ସଂପର୍କରେ ବୁଝିନେଇପାରିବେ।

ବନ୍ଧୁମାନଙ୍କୁ ଅବଗତ କରନ୍ତୁ: ଭ୍ରମଣ ପାଇଁ ଯିବା ପୂର୍ବରୁ ପରିବାର ଲୋକେ କିମ୍ବା ବନ୍ଧୁମାନଙ୍କୁ ବି ଜଣାଇବା ଜରୁରୀ। ଯେପରି ଆବଶ୍ୟକ ସ୍ଥଳେ ଆପଣଙ୍କୁ ସେମାନେ ସହାୟତା କରିପାରିବେ। 

Comment