ଓଡ଼ିଶାଲାଇଭ୍ ବ୍ୟୁରୋ
କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନ ଅନୁପ୍ରବଶେକାରୀଙ୍କୁ ଟୋଲଲିଙ୍ଗରୁ ତଡ଼ିବାରେ ସଫଳ ହୋଇଥିଲେ। ଏହି ପଏଣ୍ଟରୁ ଶତ୍ରୁ ସୈନ୍ୟ ଏନଏଚ ଉପରେ ଭାରତୀୟ ସେନାକୁ ଆକ୍ରମଣ କରୁଥିଲେ। ଶତ୍ରୁଙ୍କ ଆଗରେ ଦୁର୍ବଳ ହେଉଥିଲେ ଭାରତୀୟ ସେନା। ଶେଷରେ ସେନା ପ୍ରତି ଆକ୍ରମଣ ପାଇଁ ବୋଫର୍ସର ବ୍ୟବହାର କରିଥିଲା ଓ ପାହଡ଼ରେ ଲୁଚିଥିବା ଅନୁପ୍ରବେଶକାରୀଙ୍କୁ ମାରିବାରେ ସଫଳ ହୋଇଥିଲା। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ଭାରତୀୟ ସେନା ଇତିହାସ ସୃଷ୍ଟି କରିଥିଲା।
୧୯୯୯ କାରଗିଲ ଯୁଦ୍ଧରେ ପ୍ରଥମ ଥର ଲାଗି ବୋଫର୍ସ ବ୍ୟବହାର ହୋଇଥିଲା। ପାହାଡ଼ ଉପରେ ଶତ୍ରୁ ସହ ଲଢ଼ିବା ପାଇଁ ଭାରତୀୟ ସେନା ନିକଟରେ ବୋଫର୍ସ ହିଁ ଏକମାତ୍ର ଭରସା ଥିଲା।
ଆମ ଭିତରୁ ଖୁବ୍ କମ୍ ଲୋକ ଜାଣିଥିବେ ଯେଉଁ ବନ୍ଧୁକ କାରଗିଲ ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ତାହାର ନେତୃତ୍ଵ ନେଇଥିଲେ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ। କାରଗିଲ ଯୁଦ୍ଧରେ ବୋଫର୍ସର ଭୂମିକା ବିଷୟରେ ଅଧିକ ଜାଣିବାପାଇଁ ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତଙ୍କୁ ଭେଟିଥିଲା ଓଡିଶାଲାଇଭ୍ ଟିମ୍।
‘‘ମୁଁ ସେତେବେଳେ ବ୍ରିଗେଡିୟର ଥିଲି। ମୁଁ ବୋଫର୍ସ ଗନ୍ ବ୍ରିଗେଡର ନେତୃତ୍ଵ ନେଉଥିଲି। ମୋ ଅଧୀନରେ ଚାରୋଟି ରେଜିମେଣ୍ଟ ଥିଲା ଏବଂ ପ୍ରତ୍ୟେକ ରେଜିମେଣ୍ଟରେ ରହିଥିଲା ୧୮ଟି ଲେଖାଏଁ ଗନ୍। ୧୫୫ ମିଲିମିଟର ହାଉଟ୍ଜର ବୋଫର୍ସ ଗନ୍ର ନେତୃତ୍ୱ ନେଉଥିଲି’’, କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ।
ସମସ୍ତେ ଜାଣନ୍ତି ଏହି ବୋଫର୍ସ ଗନ୍ କାରଗିଲ୍ ଯୁଦ୍ଧରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବିଶେଷକରି ଏହି ବୋଫର୍ସ ଗନ୍ ଏବଂ ଯବାନମାନଙ୍କ ଯୋଗୁଁ ହିଁ କାରଗିଲ୍ ଯୁଦ୍ଧରେ ଭାରତର ବିଜୟ ସମ୍ଭବପର ହୋଇ ପାରିଥିଲା।
‘‘ମୋର ଦାୟିତ୍ଵ ଥିଲା ଯେ ଏହି ବନ୍ଧୁକଗୁଡ଼ିକୁ ସଠିକ୍ ଭାବେ ଫିଟ୍ କରିକି ଯୁଦ୍ଧ ସ୍ଥାନକୁ ପଠାଇବା। ଏହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା’’, କାରଗିଲ ସମୟର ଅନୁଭୂତି ଓଡ଼ିଶାଲାଇଭ୍କୁ କହିଛନ୍ତି ଶ୍ରୀ ସାମନ୍ତ।
ଯୁଦ୍ଧ ସମୟରେ ବଡ଼ ଚାଲେଞ୍ଜ ଥିଲା, ତୋପ ସଠିକ୍ ସ୍ଥାନରେ ପହଞ୍ଚିବ କିପରି। କାରଣ ଏତେ ଉଚ୍ଚକୁ ବନ୍ଧୁକର ଗୁଳି ଯାଇ ସେଠାରେ ଶତ୍ରୁକୁ ପରାସ୍ତ କରିବ। ଏହା ତାଙ୍କ ପାଇଁ ଖୁବ୍ କଷ୍ଟସାଧ୍ୟ ଥିଲା। ଯେହେତୁ ସେ ସିଆଚେନ୍ରେ ଯୁଦ୍ଧରେ ଥିଲେ ସେଠି ସେ ଜାଣିଥିଲେ କିପରି ଭାବେ ଏହି ବନ୍ଧୁକକୁ ବ୍ୟବହାର କରାଯାଏ। ପ୍ରଥମେ ମେସିନ ମାଧ୍ୟମରେ ଏହି ଲକ୍ଷ୍ୟକୁ ସ୍ଥିରିକୃତ କରାଯାଏ ଅର୍ଥାତ୍ ଗୁଳି କେତେ ଦୂର ଯିବ ଓ କେଉଠିଁ ବାଜିବ ତାହା ସୁନିଶ୍ଚିତ କରାଯାଏ ବୋଲି କହିଛନ୍ତି ଶ୍ରୀ ସାମନ୍ତ।
‘‘ଟୋଲଲିଙ୍ଗଠାରେ ପରିସ୍ଥିତି ଥିଲା ଭିନ୍ନ। ପବନର ଦିଗ ବାରମ୍ଵାର ପରିବର୍ତ୍ତନ ହେଉଥିଲା। ଯାହା ଲକ୍ଷ୍ୟସ୍ଥଳକୁ ନିଶ୍ଚିତ କରାଇବାରେ ଅସୁବିଧା ହେଉଥିଲା। ପ୍ରଥମତଃ ତୋପର ଗୋଳା ଉପରେ ପାଣିପାଗର ପ୍ରଭାବ ବିଶେଷ ଭାବରେ ପଡ଼ିଥାଏ। ଗୋଳା ଲକ୍ଷ୍ୟଭେଦ କରିବା ସମୟରେ ଯଦି ପବନର ବେଗ ଅଧିକ ହୋଇଯାଏ, ତେବେ ସଠିକ୍ ସ୍ଥାନରେ ତୋପ ବିସ୍ଫୋରଣ ହୋଇ ପାରିବ ନାହିଁ। ଯେହେତୁ ବିଶେଷଜ୍ଞ ଦଳ ଥିଲେ ଏବଂ ଆମର ଅଭିଜ୍ଞତା ରହିଥିଲା। ସେଥିପାଇଁ ଆମେ ଏହି ବନ୍ଧକକୁ ଚଳାଇବାରେ ସଫଳ ହୋଇଥିଲୁ। ଫଳରେ ପାକିସ୍ତାନର ଅନେକ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଥିଲା। ପାକିସ୍ତାନ ପାଇଁ ଅନ୍ୟ ଗନ୍ ଆଣିବା ପଣ୍ଡୁ ହୋଇଥିଲା’’, କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ।
ଏହା ଭାରତୀୟ ସେନା ପାଇଁ ଏକ ବିରାଟ ବଡ଼ ସଫଳତା ଥିଲା। ଏହି ଯୁଦ୍ଧରେ ତୋପର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଅନେକ ଅସୁବିଧା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ବଞ୍ଚାଇ ଦେଇଥିଲା ବୋଫର୍ସ।