ଓଡ଼ିଶାଲାଇଭ୍ ବ୍ୟୁରୋ

କାରଗିଲ୍ ହିରୋ କ୍ୟାପଟେନ୍‌ ବିକ୍ରମ ବତ୍ରା। ତାଙ୍କ ସାହସ ଓ ବୀରତ୍ୱର କାହାଣୀ କିଏ ନ ଜାଣେ। ଭାରତୀୟ ସେନାର ସେ ଏମିତି ଜଣେ ଯବାନ ଥିଲେ ଯିଏ ଏଲ୍‌ଓସି ଟୋଲୋଲିଙ୍ଗ୍ ରେଞ୍ଜ୍‌ର ସର୍ବୋଚ୍ଚ ମିଲିଟାରୀ ପଏଣ୍ଟ ୫୧୪୦ ପୋଷ୍ଟକୁ ଶତ୍ରୁଠାରୁ କବ୍‌ଜା କରିବା ପରେ ବି କହିଥିଲେ ‘ୟେ ଦିଲ ମାଙ୍ଗେ୍‌ ମୋର୍‌’, ଆଉ ଏହାପରେ ଉତ୍ତର ରେଞ୍ଜ୍‌ର ୪୮୭୫ ପୋଷ୍ଟରେ ତ୍ରିରଙ୍ଗା ଉଡ଼ାଇ ସହିଦ ହୋଇଥିଲେ। ୧୯୭୪ ମସିହା ଆଜିର ଦିନରେ ହିମାଚଳ ପ୍ରଦେଶରେ ପାଲମପୁରରେ ଜନ୍ମ ହୋଇଥିଲେ ବୀର ଯବାନ ବିକ୍ରମ ବତ୍ରା।

ତେବେ ଯେତେବେଳେ ବିକ୍ରମଙ୍କ କଥା ଆସେ ସେତେବେଳେ ଯେ କେବଳ ତାଙ୍କ ବୀରତ୍ୱର କାହାଣୀ କୁହାଯାଏ ତାହା ନୁହେଁ। ତାଙ୍କ ଜୀବନର ଆଉ ଏକ ବଡ଼ କଥା ଥିଲା ତାଙ୍କ ପ୍ରେମ।ବିକ୍ରମ ଯେତେବେଳେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପାଠପଢୁଥିଲେ ସେତେବେଳେ ତାଙ୍କର ଏକ ଝିଅ ସହ ଦେଖା ହୋଇଥିଲା। ଦୁହେଁ ଭଲ ସାଙ୍ଗ ଥିଲେ। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା। ତା’ପରେ ୧୯୯୬ରେ ବିକ୍ରମଙ୍କୁ ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମଏ) ରେ ମନୋନୀତ କରାଯାଇଥିଲା। ଏହାରି ମଧ୍ୟରେ ଆରମ୍ଭ ହୋଇଥିଲା କାରଗିଲ୍ ଯୁଦ୍ଧ। ଯୁଦ୍ଧ ସରିବା ପରେ ବିକ୍ରମ ତାଙ୍କ ପ୍ରେମିକାକୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ହୋଇପାରିଲା ନାହିଁ।

ଥରେ ବିକ୍ରମଙ୍କ ପ୍ରେମିକା ତାଙ୍କୁ ବିବାହ କରିବାକୁ କହିଥିଲେ। ଏହାପରେ ବିକ୍ରମ କିଛି ନଭାବି ନିଜ ହାତକାଟି ପ୍ରେମିକା ମଥାକୁ ସିନ୍ଦୂର ବଦଳରେ ରକ୍ତରେ ଭରିଥିଲେ। ହେଲେ ଏ ସମ୍ପର୍କ ଅଧାରେ ରହି ଯାଇଥିଲା।କଲେଜ ପଢ଼ା ପରେ ବଡ଼ ବଡ଼ ଚାକିରିକୁ ପଛ କରି ଦେଶସେବା ପାଇଁ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିକ୍ରମ। ମାତ୍ର ଦୁଇ ବର୍ଷ ମଧ୍ୟରେ ସେ ଲେଫ୍ଟନାଣ୍ଟରୁ କ୍ୟାପେଟନ୍ ମାନ୍ୟତା ପାଇଥିଲେ।୧୯୯୯ ମସିହା ଜୁନ ୧୯ରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ନେତୃତ୍ଵରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲା। ଏହାର ମାସେ ପରେ ଜୁଲାଇ ୭ରେ ଉତ୍ତର ରେଞ୍ଜ୍‌ର ୪୮୭୫ ପୋଷ୍ଟରେ ନିଜର ଜଣେ ସାଥୀଙ୍କୁ ବଞ୍ଚାଇବାକୁ ଯାଇ ଶତ୍ରୁ ଗୁଳିରେ ଟଳି ପଡ଼ିଥିଲେ ବିକ୍ରମ। ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବିକ୍ରମ ଦେଶ ପାଇଁ ଲଢ଼ିଥିଲେ, ଆଉ ଭାରତୀୟ ସେନା ବିଜୟୀ ହୋଇଥିଲା। ସହିଦ ବିକ୍ରମଙ୍କ ଏହି ବୀରତା ପାଇଁ ତାଙ୍କୁ ମରଣତ୍ତୋର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।

Comment