ଓଡ଼ିଶାଲାଇଭ୍‌ ବ୍ୟୁରୋ

ତମ କାରଗିଲ ବିଜୟ ଦିବସରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି।

କେବଳ ଭାରତ ପାଇଁ ନୁହେଁ, ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ପଦ୍ମପାଣି ଆଚାର୍ଯ୍ୟ ଆଣି ଦେଇଥିଲେ ଅଶେଷ ଗୌରବ ଓ ସମ୍ମାନ। ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ତ୍ୟାଗ ଓ ଉତ୍ସର୍ଗରେ ଆଜି ଓଡ଼ିଶା ଗର୍ବିତ। ତାଙ୍କୁ ଯେତେବେଳେ ମହାବୀର ଚକ୍ର ଉପାଧି ମିଳିଲା, ଓଡ଼ିଶା ମାଟି ଧନ୍ୟ ହୋଇଯାଇଥିଲା। କାରଗିଲ ବିଜୟ ଦିବସ ଅବସରରେ ମେଜର ଆଚାର୍ଯ୍ୟଙ୍କୁ ଦେଶ ମନେ ପକାଉଛି।

୨୩ ବର୍ଷ ତଳେ ଡ୍ରାସ ସେକ୍ଟରର ଟୋଲଲିଙ୍ଗଠାରେ ଗ୍ରେନେଡ଼ ମାଡ଼ରେ ମେଜର ଆଚାର୍ଯ୍ୟ ପ୍ରାଣ ହରାଇଥିଲେ। ତାଙ୍କର ସେହି ସାହସ ଓ ସ୍ୱାଭିମାନ ଅଦ୍ଵିତୀୟ ଓ ଏହାର ପଟାନ୍ତର ନାହିଁ।

ବାପାଙ୍କୁ ଚିଠି

୧୯୯୯ ଜୁନ ୧୯ ତାରିଖରେ ସେ ବାପାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଥିଲେ। ସେଥିରେ ସେ ଲେଖିଥିଲେ ଯୁଦ୍ଧର ଅନୁଭୂତି ଓ ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ କାର୍ଗିଲ ପରିଦର୍ଶନ, ସେଠି କ’ଣ ଖାଇବାକୁ ଦିଆଯାଉଛି, ଭେସଲିନ କ୍ରିମ, ବଙ୍ଗାଳି ଡାକ୍ତର, ତାଙ୍କର ସାଥି ଲଢ଼ୁଆ ସୈନିକ ଓ ମହାଭାରତ ଯୁଦ୍ଧ ଏଭଳି ବହୁ କଥା।

ଚାରୁଲତା ଜାଣିବ…

ବାପାଙ୍କ ପାଖକୁ ଅତି ସୁନ୍ଦର ହସ୍ତାକ୍ଷରରର ଲେଖା ଯାଇଥିବା ଏହି ଇନ୍ଲାଣ୍ଡ ଚିଠିରେ ସେ ଲେଖିଥିଲେ, ମୃତ୍ୟୁ ବରଣ କରିବା ଆମ ସେନା ବୃତ୍ତିର ଅଂଶ ବିଶେଷ। ଭଲ କାମଟିଏ କରିବାକୁ ହେଲେ ଜୀବନ ଦେବାରେ ଆମର କୌଣସି କୁଣ୍ଠାବୋଧ ନଥାଏ। ପତ୍ନୀ ଚାରୁଲତା ଯିଏ ସେତେବେଳକୁ ଛଅ ମାସ ଗର୍ଭବତୀ ଥିଲେ ତାଙ୍କୁ ପଦ୍ମପାଣି ଉପଦେଶ ଦେଇଥିଲେ ପ୍ରତିଦିନ ମହାଭାରତ କାହାଣୀ ପଢ଼ ଯାହା ଫଳରେ ପେଟରେ ଥିବା ଛୁଆଟି ଉତ୍ତମ ମୂଲ୍ୟବୋଧ ନେଇ ଜନ୍ମ ହେବ।ରାଜପୁତନା ରାଇଫଲ

ମେଜର ଆଚାର୍ଯ୍ୟଙ୍କୁ ରାଜପୁତନା ରାଇଫଲରେ କମିସନ କରାଯାଇଥିଲା। ତାଙ୍କ ଭାଇ ମଧ୍ୟ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନାରେ ଜଣେ କର୍ଣ୍ଣେଲ ଥିଲେ। ୧୯୯୯ ଜୁନ ୨୧ ତାରିଖରେ ମେଜର ଆଚାର୍ଯ୍ୟ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଦିନ ବି ଥିଲା ତାଙ୍କର ଜନ୍ମ ଦିନ। ସପ୍ତାହେ ପରେ ଖବର ଆସିଲା ଯେ, ଜୁନ ୨୮ରେ ସେ ପ୍ରାଣତ୍ୟାଗ କରିଛନ୍ତି। ୧୯୯୯ ସ୍ୱାଧୀନତା ଦିବସ ଅବସରରେ ଭାରତର ଦ୍ୱିତୀୟ ବଡ଼ ମିଲିଟାରୀ ସମ୍ମାନ ମହାବୀର ଚକ୍ରରେ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ଆଭୂଷିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here