ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଭାରତୀୟ ସେନାର କ୍ୟାମ୍ପରେ ଘଟାଇଥିଲା ବ୍ୟାପକ କ୍ଷୟକ୍ଷତି। ମଙ୍ଗଳବାର ଏହି ବନ୍ୟାରେ ସେନାର ୨୩ ଜଣ ଯବାନ ନିଖୋଜ ଯାଇଥିଲେ। ଏହାସହ ସେନାର ଗାଡ଼ିରେ ଥିବା ଅନେକ ଗୋଳାବାରୁଦ ତୀସ୍ତା ନଦୀରେ ଭାସି ଯାଇଥିଲା। ଏବେ ନଦୀରେ ପଡ଼ିଥିବା ସେସବୁ ଗୋଳାବାରୁଦ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଯାହାକି ଲୋକମାନଙ୍କୁ ବହୁତ ଭୟଭୀତ କରିଛି।

ଗୁରୁବାର ପଶ୍ଚିମବଙ୍ଗର ନିଉଜଲପାଇଗୁଡ଼ିରେ ତୀସ୍ତା ନଦୀ କୂଳରେ ୨ ଜଣ ବ୍ୟକ୍ତି ଏକ ମୋର୍ଟାର ଗୋଳା ସଂସ୍ପର୍ଶରେ ଆସିବାରୁ ଏହା ବିସ୍ଫୋରଣ ହୋଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଆହତ ହୋଇଥିଲେ।

ସେହିପରି ତୀସ୍ତା ନଦୀର ତଳମୁଣ୍ଡରେ ଅନେକ ସ୍ଥାନରେ ଭାସି ଆସିଥିବା ଗୋଳାବାରୁଦ ଫାଟିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫଳରେ ଲୋକମାନେ ଅନେକ ଭୟଭୀତ ରହିଛନ୍ତି।      

ତେବେ ଭାରତୀୟ ସେନା ପକ୍ଷରୁ ଗୋଳାବାରୁଦ ବାବଦରେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ଗୋଳାବାରୁଦ ଦେଖିଲେ, ଏହା ପାଖକୁ ନଯାଇ ତୁରନ୍ତ ସେନା କିମ୍ବା ସ୍ଥାନୀୟ ପୋଲିସକୁ ଖବର ଦେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ସିକ୍କିମ ବନ୍ୟାରେ ନିଖୋଜ ହେଇଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେହିପରି ବନ୍ୟାରେ ଏଯାଏଁ ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତ। ସେମାନଙ୍କୁ ଖୋଜିବାପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି।

ସିକ୍କିମର ଲାଚେନ୍ ଘାଟିରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ତୀସ୍ତା ନଦୀରେ ଜଳସ୍ତର ଅଚାନକ ବଢ଼ିଯାଇଥିଲା। ଏଥିପାଇଁ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ୍‌ ଜଳଭଣ୍ଡାରର ସବୁ ଗେଟ ଖୋଲି ଦିଆଯାଇଥିଲା। ଫଳରେ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଥିଲା।     

Tags: #SikkimFloods #IndianArmy #Explosives #TeestaRiver

LEAVE A REPLY

Please enter your comment!
Please enter your name here