ଓଡ଼ିଶାଲାଇଭ୍ ବ୍ୟୁରୋ

“ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ, ତେବେ ସେ ମିଛ କହୁଛି କିମ୍ବା ସେ ଜଣେ ଗୋର୍ଖା

“ସମସ୍ତଙ୍କର ମୃତ୍ୟୁକୁ ଭୟ ଥାଏ, ଯଦି କେହି କହୁଥାଏ ମୃତ୍ୟୁକୁ ଭୟ କରେନି ତେବେ ସେ ମିଛ କହୁଥିବ କିମ୍ବା ସେ ନିଶ୍ଚିତ ଭାବେ ଗୋର୍ଖା ହୋଇଥିବ।” ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ଜେନେରାଲ ମାନେକ ସା ଗୋର୍ଖାଙ୍କ ବୀରତ୍ଵକୁ ସମ୍ମାନ ଦେଇ ଏମିତି କହିଥିଲେ।

ସେନାରେ କାମ କରିଥିବା ସୈନିକଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ସମସ୍ତେ ଏହାକୁ ସ୍ଵୀକାର କରନ୍ତି। କିନ୍ତୁ ଧୀରେ ଧୀରେ ଗୋର୍ଖାଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋର୍ଖା ରେଜିମେଣ୍ଟ ଇତିହାସ ପାଲଟିବାର ଆଶଙ୍କା ସୃଷ୍ଟି ହେଲାଣି।

କରୋନା ପୂର୍ବଠାରୁ ସେନାରେ ନିଯୁକ୍ତି ବନ୍ଦ ଥିଲା। ଏହା ପରେ ଅଗ୍ନିପଥ ସ୍କିମ ଆରମ୍ଭ ହେବା ପରଠାରୁ ଜଣେ ହେଲେ ବି ଗୋର୍ଖା ସେନାବାହିନୀରେ ଭର୍ତ୍ତି ହେବାକୁ ଆଗ୍ରହ ଦେଖାଇ ନାହାନ୍ତି। ଗତ ୩ ଥରର ନିଯୁକ୍ତି ପ୍ରକ୍ରିୟାରେ ନେପାଳୀ ଗୋର୍ଖା ସେନା ବାହିନୀରେ ଭର୍ତ୍ତି ହୋଇନାହାନ୍ତି। ଅନ୍ୟପଟେ ସେମାନଙ୍କୁ ଚୀନ ତା’ର ସେନାରେ ଭର୍ତ୍ତି କରିବା ପାଇଁ ଚେଷ୍ଟା ଚଳାଇଛି।

ଇଂରେଜଙ୍କୁ ପାଣି ପିଆଇ ଦେଇଥିଲେ ଗୋର୍ଖା ବାହିନୀ

ଗୋର୍ଖା ବାହିନୀ ବା ଗୋର୍ଖା ରେଜିମେଣ୍ଟ ଗଠନ ପଛରେ ବଡ଼ ଇତିହାସ ରହିଛି। ନେପାଳୀମାନେ କେତେ ବୀର ଓ ଦୁର୍ଦ୍ଧଷ ତାହା ୧୮୧୪ରେ ଦେଖିଥିଲେ ଇଂରେଜ ସେନା। ନେପାଳର ଗୋର୍ଖା ବାହିନୀ ସହ ଭୟଙ୍କର ଲଢ଼େଇ ହୋଇଥିଲା। ତୋପ ଓ ବନ୍ଧୁକ ଭଳି ଅସ୍ତ୍ରଶସ୍ତ୍ର, ୩୫ଶହ ସୈନିକଙ୍କ ଏକ ଦଳକୁ ଧନୁ ତୀରଧାରୀ ମାତ୍ର ୬ ଶହ ସୈନିକ ଥିବା ସେନା ପାଣି ପିଆଇ ଦେଇଥିଲା। ଗୋର୍ଖା ବାହିନୀଙ୍କୁ ହରାଇବା କଥା ଦୂରେ ଥାଉ ଓଲଟା ଇଂରେଜ ସେନାର ମେଜର ଜେନେରାଲ ରବର୍ଟ ରୋଲୋ ଗିଲେସ୍ପିଙ୍କ ସମେତ ୮ ଶହରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ। ପରେ ଅବଶ୍ୟ ନେପାଳୀଙ୍କ ଦୁର୍ଗକୁ ପାଣି ବନ୍ଦ କରିଦେବାରୁ ଗୋର୍ଖା-ଇଂରେଜଙ୍କ ମଧ୍ୟରେ ସନ୍ଧି ହୋଇଥିଲା।

ନେପାଳକୁ କେବେ ବି ଅଧିକାର କରିବା ପାଇଁ ଇଂରେଜମାନେ ଚେଷ୍ଟା କରିନଥିଲେ। କିନ୍ତୁ ନେପାଳୀ ଗୁର୍ଖାଙ୍କ ବୀରତ୍ଵକୁ ଦେଖି ଇଂରେଜମାନେ ବ୍ରିଟିଶ ସେନାରେ ନେପାଳୀ ସୈନିକଙ୍କୁ ନିଯୁକ୍ତି ଦେବା ପାଇଁ ନେପାଳ ସହ ଏକ ଚୁକ୍ତି କରିଥିଲେ। ୨୪ ଏପ୍ରିଲ ୧୮୧୫ରେ ଗୋର୍ଖା ରେଜିମେଣ୍ଟ ପ୍ରତିଷ୍ଠା ହୋଇଥିଲା। ଦେଶ ସ୍ଵାଧୀନ ହେବା ପରେ ମଧ୍ୟ ଏହି ଗୋର୍ଖାରେଜିମେଣ୍ଟ ଭାରତୀୟ ସେନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହି ଆସିଛି।

୧୯୫୦ରେ ପ୍ରତିଷ୍ଠା ହେଲା ଗୋର୍ଖା ରାଇଫଲ୍ସ

୧୯୫୦ରେ ଭାରତ ଗଣରାଜ୍ୟ ଭାବେ ପ୍ରତିଷ୍ଠିତ ହେବା ପରେ ଏହି ରେଜିମେଣ୍ଟର ନାମ ଗୋର୍ଖା ରାଇଫଲ୍ସ ରଖାଗଲା। ସେବେଠାରୁ ଗୋର୍ଖା ବାହିନୀ ଭାରତୀୟ ପ୍ରତିରକ୍ଷାର ଏକ ସମ୍ମାନସ୍ପଦ ଉଚ୍ଚାରଣ ରହିଆସିଛି। ପାକିସ୍ତାନ ସହ ଏକାଧିକ ଯୁଦ୍ଧ ହେଉ କି ଚୀନ ସହ ଯୁଦ୍ଧ ହେଉ, ବୀରତ୍ଵ ଦେଖାଇଛନ୍ତି ଗୋର୍ଖା ରାଇଫଲ୍ସ। ସେଥିପାଇଁ ଗୋର୍ଖା ରେଜିମେଣ୍ଟକୁ ବହୁ ପରମବୀର ଚକ୍ର ଓ ମହାବୀର ଚକ୍ର ମିଳିଛି। ଏହା ସହିତ ଶାନ୍ତି ସେନାରେ ସାମିଲ ହୋଇ ଗୋର୍ଖା ସୈନିକମାନେ ନିଜ ବୀରତ୍ଵର ପରିଚୟ ଦେଇଛନ୍ତି। ଗୋର୍ଖାମାନେ କହନ୍ତି ଭୀରୁ ଭାବେ ବଞ୍ଚିରହିବା ଅପେକ୍ଷା ମରିଯିବା ଭଲ।

ଭାରତୀୟ ସେନାରେ ୪୫ ହଜାର ଗୋର୍ଖା ସୈନିକ

ଭାରତୀୟ ସେନାରେ ୪୪ ଗୋର୍ଖା ବାଟାଲିଅନ ରହିଛି। ଭାରତୀୟ ସେନାର ୭ଟି ରେଜିମେଣ୍ଟରେ ୪୦ରୁ ୪୫ ହଜାର ଗୋର୍ଖା ସୈନିକ କାମ କରୁଛନ୍ତି। ଗତ ୩ଟି ନିଯୁକ୍ତି ପ୍ରକ୍ରିୟାକୁ ଛାଡ଼ିଦେଲେ ପ୍ରତିବର୍ଷ ଅତି କମରେ ୧୪ ଶହ ଗୋର୍ଖା ସେନାବାହିନୀରେ ସାମିଲ ହେଉଥିଲେ। ୨୦୨୧ରେ ୧୨ହଜାରରୁ ଅଧିକ ଗୋର୍ଖା ସୈନିକ ଅବସର ନେଇଥିଲେ। ଏହା ପରେ ପ୍ରତି ଗୋର୍ଖା ବାଟାଲିୟନରେ ୨୫୦ରୁ ୩ ଶହ ଗୋର୍ଖା ସୈନିକ କମ୍ ଅଛନ୍ତି।

ଭାରତୀୟ ସେନା ପାଇଁ ନେପାଳର ନା

୨୦୨୪ ଜୁନ୍‌ ୧୪ରେ ଅଗ୍ନିପଥ ସ୍କିମ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନା ଅନୁସାରେ ସେନାରେ ନିଯୁକ୍ତି ଅସ୍ଥାୟୀ ହୋଇଗଲା। ଅର୍ଥାତ ପୂର୍ବଭଳି ସୁବିଧା ସୁଯୋଗ ଆଉ ସେନା ନିଯୁକ୍ତିରେ ରହିଲା ନାହିଁ। ବିନା ପେନ୍‌ସନ୍‌ ଓ ଗ୍ରାଚ୍ୟୁଟିରେ ନିଯୁକ୍ତି ପାଇଁ ନେପାଳ ତା’ର ଯୁବକଙ୍କୁ ଅନୁମତି ଦେଲା ନାହିଁ। ଜୁଲାଇ ୨୨ରେ ନେପାଳରେ ନିଯୁକ୍ତି ରାଲି ପାଇଁ ଭାରତୀୟ ସେନା ନେପାଳ ସରକାରଙ୍କୁ ଅନୁମତି ମାଗିଥିଲେ ମଧ୍ୟ ନେପାଳ ସରକାର ଅନୁମତି ଦେଇନଥିଲେ।

ଏହା ପରେ ନେପାଳରେ ନୂଆ ସରକାର ଆସିଥିଲେ ମଧ୍ୟ ଭାରତୀୟ ସେନାରେ ନେପାଳର ଯୁବକମାନଙ୍କ ନିଯୁକ୍ତି ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏପରିକି ଏ ସମ୍ପର୍କରେ କିଛି ଚର୍ଚ୍ଚା ବି ହୋଇନଥିବା ସୂଚନା ମିଳିଛି।

ତେବେ ସୂଚନା ଅନୁସାରେ ଅଗ୍ନିପଥ ସ୍କିମରେ ମାତ୍ର ୪ ବର୍ଷିଆ ନିଯୁକ୍ତି ରହିଛି। ଏହା ପରେ ସେମାନଙ୍କୁ ପୁଣି ଘରକୁ ଫେରିବାକୁ ପଡ଼ିବ। ପରେ ସେମାନେ କ’ଣ କରିବେ ସେ ନେଇ କିଛି ଚିନ୍ତା କରିପାରୁନାହାନ୍ତି ନେପାଳ ସରକାର। ଏପରିକି ସେମାନେ ଯୁଦ୍ଧ ତାଲିମ ନେଇ ଫେରୁଥିବାରୁ ସରକାର ବିରୋଧୀ ବିଦ୍ରୋହରେ ବି ସାମିଲ ହେବାର ଆଶଙ୍କା ରହିଛି ବୋଲି ନେପାଳ ସରକାର ଚିନ୍ତା କରୁଛନ୍ତି।

ଗୋର୍ଖାଙ୍କୁ ନିଯୁକ୍ତି ପାଇଁ ଚୀନର ଯୋଜନା!

ଆମ ଦେଶରେ ଅଗ୍ନିପଥ ସ୍କିମ ଆରମ୍ଭ ହେବା ପରେ ଗୋର୍ଖା ଆସୁନାହାନ୍ତି। ଏହାର ଫାଇଦା ନେବା ପାଇଁ ଚୀନ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି। କାରଣ ଅନେକ ବର୍ଷ ଧରି ଚୀନ ଗୋର୍ଖା ବାହିନୀ ପାଇଁ ଚେଷ୍ଟା କରିଆସୁଥିଲା। କିନ୍ତୁ ନେପାଳ ଏହାକୁ ଗ୍ରହଣ କରୁନଥିଲା। କିଛି ଓ୍ଵେବସାଇଟରେ ପ୍ରକାଶିତ ଖବର ଅନୁସାରେ ଚୀନ ପୁଣିଥରେ ଏ ନେଇ ନେପାଳ ସରକାରଙ୍କୁ ଅନୁମତି ମାଗିପାରେ। କିଛି ପୂର୍ବତନ ସେନା ଅଧିକାରୀ କହିଛନ୍ତି ଯେ, ଯଦି ଭାରତ ବିଶ୍ଵର ସବୁଠାରୁ ଲଢୁଆ ଯୁବକ ଗୋର୍ଖାମାନଙ୍କୁ ନିଜ ସେନାବାହିନୀରେ ସାମିଲ କରାଇବାକୁ ବିଫଳ ହୁଏ ତେବେ ଅନ୍ୟ କେହି ଏହାର ଫାଇଦା ନେବାକୁ ଚେଷ୍ଟା କରିପାରେ। ସେ ଚୀନ୍ ବି ହୋଇପାରେ।

ପୂର୍ବରୁ ବ୍ରିଟିଶ ସେନା ଓ ସିଙ୍ଗାପୁର ପୁଲିସ ଫୋର୍ସରେ ଗୁର୍ଖା ସାମିଲ ହୋଇଛନ୍ତି। ଯଦି ଚୀନରେ ଗୋର୍ଖା ବାହିନୀ ଯୋଗ ଦିଅନ୍ତି ତେବେ ଚୀନ ସୀମାରେ ଭାରତକୁ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ପୂର୍ବତନ ସେନା ଅଧିକାରୀ ସମାଲୋଚନା କରିଛନ୍ତି। ଗୋର୍ଖାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରି ଆସୁଛନ୍ତି। ନଚେତ ଉଭୟ ପ୍ରତିରକ୍ଷା ଓ କୂଟନୀତି ଦୃଷ୍ଟିରୁ ଭାରତ କ୍ଷତିଗ୍ରସ୍ତ ହେବର ବୋଲି ବହୁ ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି। ଏମିତି ସମୟ ଆସିବ ଗୋର୍ଖା ବାହିନୀର ବୀରତ୍ଵ କେବଳ ଇତିହାସ ବହିରେ ଲେଖା ହୋଇଥିବ। ଦିନେ ଯେଉଁମାନେ ଭାରତର ଅଖଣ୍ଡତା ପାଇଁ ପ୍ରାଣବଳି ଦେବାକୁ ପଛାଉ ନଥିଲେ ସେମାନେ ଶତ୍ରୁରାଷ୍ଟ୍ରର ସେନା ବାହିନୀରେ ଯୋଗଦେଇ, ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବେ।­­­

Tags: #IndianArmy #GorkhaRegiment #GorkhaSoldier #Agniveer #MinisrtyOfDefence

Comment