ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର
  • ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ ଓ ମେଜରଙ୍କ ସହ ଜମ୍ମୁ କଶ୍ମୀର ପୋଲିସର ଜଣେ ଡିଏସପି ସହିଦ
  • ଏବେ ଉକ୍ତ ଅଞ୍ଚଳରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ବୁଧବାର ଦିନ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସମେତ ଜମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପି ସହିଦ ହୋଇଛନ୍ତି। ଏବେ ବି ଉକ୍ତ ସ୍ଥାନରେ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଏହି ଏନକାଉଣ୍ଟରରେ ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶୀଷ ଧନଚକ ସହିଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ୍ଟ ମଧ୍ୟ ଏହି ଆତଙ୍କବାଦ ବିରୋଧୀ ଅପରେସନରେ ସହିଦ ହୋଇଛନ୍ତି।

ଅନନ୍ତନାଗର ଗାଡୋଲେ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ବିଭାଗର ସୂଚନା ପରେ ବୁଧବାର ଉକ୍ତ ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ୧୯-ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଏହି ଜଏଣ୍ଟ ସିକ୍ୟୁରିଟି ଅପରେସନବେଳେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଅପରେସନର ନେତୃତ୍ଵ ନେଉଥିବା ଅଧିକାରୀଙ୍କୁ ଗୁଳି ଲାଗିଥିଲା। ସେମାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ କିଛି ଯବାନ ଓ ପୋଲିସ କର୍ମୀ ମଧ୍ୟ ଏଥିରେ ଆହତ ହୋଇଥିଲେ।

ବୁଧବାର ରାତିରେ ଘଟଣାସ୍ଥଳରୁ ୩ ଜଣ ଅଧିକାରୀଙ୍କ ମୃତଦେହକୁ ଉଦ୍ଧାର କରାଯିବା ସହ ସେମାନଙ୍କ ଘରକୁ ପଠାଯିବାର ବନ୍ଦୋବସ୍ତ କରାଯାଇଥିଲା। ଡିଏସପି ହୁମାୟୁନ ଭଟ୍ଟଙ୍କୁ ଜମ୍ମୁ କାଶ୍ମୀରର ବଡଗାମସ୍ଥିତ ତାଙ୍କ ଗାଁରେ କବର ଦିଆଯାଇଛି। ବହୁ ଲୋକ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ।

ସହିଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପାର୍ଥିବ ଶରୀରକୁ ହରିୟଣାର ପଞ୍ଚକୁଲା ସ୍ଥିତ ତାଙ୍କ ଘରକୁ ପଠାଯାଇଛି। ସେହିପରି ସହିଦ ମେଜର ଆଶୀଷ ଧନଚକଙ୍କ ପାର୍ଥିବ ଶରୀରକୁ ହରିୟଣାର ପାନିପତ ସ୍ଥିତ ତାଙ୍କ ଗାଁକୁ ପଠାଯାଇଛି। ଗୁରୁବାର ସେମାନଙ୍କ ଅନ୍ତିମ ସଂସ୍କାର ହେବ।

ଅନ୍ୟପଟେ ଜମ୍ମୁ କଶ୍ମୀରଠାରୁ ହରିୟଣା ଯାଏଁ ସମସ୍ତ ସହିଦ ଅଧିକାରୀଙ୍କ ଘରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ସେମାନଙ୍କ ଆତ୍ମୀୟମାନେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।

ବୁଧବାର ଏହି ଏନକାଉଣ୍ଟର ପରେ ଇଣ୍ଡିଆନ ଆର୍ମିର ୧୫ତମ କ୍ରପ୍ସର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଜମ୍ମୁ-କଶ୍ମୀର ପୋଲିସର ଡିଜି ଦିଲବାଗ ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅନନ୍ତନାଗ ଯାଇଛନ୍ତି। ସେମାନେ ଘଟଣାସ୍ଥଳରେ ଅପରେସନର ସ୍ଥିତି ସମୀକ୍ଷା କରିଛନ୍ତି। ଗୁରୁବାର ଦ୍ଵିତୀୟ ଦିନରେ ବି ଏଠାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

Tags: #IndianArmy #TerroristEncounter #JammukashmirPolice #Anantnag #India

Comment