ଓଡ଼ିଶାଲାଇଭ ବ୍ୟୁରୋ

କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ କୋର୍ଟ ଭାରତ ସପକ୍ଷରେ ରାୟ ଦେବା ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି। ଗୁରୁବାର ଆଉ ଜଣେ ଭାରତୀୟଙ୍କୁ ଧରି ପୁଣି ସମାନ ଦାବି କରିଛି ପାକିସ୍ତାନ।

ପାକିସ୍ତାନୀ ଗଣମାଧ୍ୟମ କହିବା ଅନୁସାରେ ଜାସୁସ୍ କହି ଯେଉଁ ବ୍ୟକ୍ତିଙ୍କ ପାକିସ୍ତାନ ଗିରଫ କରିଛି ତାଙ୍କ ନାଁ ରାଜୁ ଲକ୍ଷ୍ମଣ। ଏହି ଭାରତୀୟଙ୍କୁ ପାକିସ୍ତାନ ଅର୍ନ୍ତଗତ ପଞ୍ଜାବର ଡେରା ଗାଜି ଖାନ ଜିଲ୍ଲାରୁ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ନିଜେ ଭାରତୀୟ ଜାସୁସ୍‌ ବୋଲି ସ୍ୱୀକାର କରିଛନ୍ତି।

ପାକିସ୍ତାନ ପୋଲିସର କହିବା ଅନୁସାରେ ରାଜୁ ଲକ୍ଷ୍ମଣ ବେଲୁଚିସ୍ତାନ ଦେଇ ଡେରା ଗାଜି ଖାନ୍ ଜିଲ୍ଲାରେ ପ୍ରବେଶ କରୁଥିଲାବେଳେ ପାକିସ୍ତାନ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ କୌଣସି ଏକ ଅଜଣା ସ୍ଥାନକୁ ନେଇ ପାକିସ୍ତାନ ଏଜେନ୍ସି ଦ୍ୱାରା ପଚରାଉଚୁରା କରାଯାଉଛି ବୋଲି ସୂଚନା ମିଳିଛି।

ପୂର୍ବରୁ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ମଧ୍ୟ ଜାସୁସ ବୋଲି ଆଖ୍ୟା ଦେଇ ପାକିସ୍ତାନରେ ବନ୍ଦୀ କରି ରଖିଥିଲା। ୨୦୧୬ ମସିହା ମାର୍ଚ୍ଚ ମାସରେ କୁଳଭୂଷଣକୁ ବେଲୁଚିସ୍ତାନରୁ ଭାରତର ଜାସୁସ ହେବା ଅଭିଯୋଗରେ ଗିରଫ କରିଥିଲା ପାକିସ୍ତାନ। ଏଥିସହ କୁଳଭୂଷଣଙ୍କୁ ମଧ୍ୟ ଫାଶୀ ଦେବାକୁ ନିଷ୍ପତି ନିଆଯାଇଥିଲା। ପରେ ଭାରତର ହସ୍ତକ୍ଷେପରେ ଆର୍ନ୍ତଜାତୀୟ ନ୍ୟାୟାଳୟ ପୁଣିଥରେ ବିଚାର କରି ଏହି ଫାଶୀ ଦଣ୍ଡାଦେଶକୁ ଖାରଜ କରାଯାଇଥିଲା।

Comment