ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପିନ୍ଧମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, କହେମା ସମ୍ବଲପୁରୀ” କହି ସମ୍ବଲପୁର ଲୋକେ ପାଲନ କଲେ ‘ସମ୍ବଲପୁରୀ ଦିନ୍‌’।

ସାରା ପଶ୍ଚିମ ଓଡ଼ିଶା ଆଜି ପାଳନ କରୁଛି ‘ସମ୍ବଲପୁରୀ ଦିନ୍‌’। ବୁଧବାର ପଶ୍ଚିମ ଓଡ଼ିଶା ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ପାଳିତ ହୋଇଛି ଏକ ନିଆରା ଉତ୍ସବ ‘ସମ୍ବଲପୁରୀ ଦିନ୍‌’। ଆଜିର ଦିନ ସମସ୍ତଙ୍କ ଦେହରେ ଥିଲା ସମ୍ବଲପୁରୀ ପୋଷାକ। ସମ୍ବଲପୁରୀ ନାଚ, ଗୀତରେ ଦୁଲୁକିଥିଲା ପୁରା ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ହଜାର ହଜାର ପୁରୁଷ, ମହିଳା, ଶିଶୁ ଏହି ଉତ୍ସବରେ ସାମିଲ ହୋଇ ଆଜିର ଦିନକୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରିଛନ୍ତି।

ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ସିଂହ, ପୂର୍ବତନ ବିଧାୟିକ ରାସେଶ୍ୱରୀ ପାଣିଗ୍ରାହୀ ତଥା ପଶ୍ଚିମ ଓନିଶାର ବିଭିନ୍ନ ସଂସ୍କୃତି ବିଶେଷଜ୍ଞ ଏହି ଉତ୍ସବରେ ଯୋଗ ଦେଇଥିଲେ। ଜୟନାରାୟଣ ସିଂହ କହିଛନ୍ତି “ଆଜି ସାରା ପଶ୍ଚିମ ଓଡ଼ିଶା ପାଳନ କରୁଛି ସମ୍ବଲପୁରୀ ଦିନ୍‌। ଏହାକୁ ଆହୁରି ବ୍ୟାପକ ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଏହାକୁ କେବଳ ନାଚ ଗୀତରେ ସୀମିତ ନରଖି ଆଗାମୀ ଦିନରେ ବ୍ୟାପକ ଦିଗରେ କାର୍ଯ୍ୟ ହାତକୁ ନିଆଯିବ।

ସେହିପରି ପୂର୍ବତନ ବିଧାୟିକ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ” ଆଜି ସମ୍ବଲପୁରୀ ଦିନ୍‌ରେ ଆମେ ସମସ୍ତେ ସମ୍ବଲପୁରୀ ପିନ୍ଧିବୁ, ସମ୍ବଲପୁରୀ ଖାଇବୁ, ରହିବୁ ସମ୍ବଲପୁରୀ ରହିବୁ ଆଉ ସମ୍ବଲପୁରୀ କହିବୁ। ଏହା ଆମର ଆଗାମୀ ଦିନର ମୋଟୋ ହେବ।”

“୩ ବର୍ଷ ହେବ ପାଳନ ହେଉଛି ‘ସମ୍ବଲପୁରୀ ଦିନ୍‌’ ଉତ୍ସବ। ଓଡ଼ିଶାର ପାଖାପାଖି ୧୮ଟି ସହରରେ ବର୍ତ୍ତମାନ ସମ୍ବଲପୁରୀ ଦିନ୍‌ ପାଳନ ହେଉଛି। ଆଗାମୀ ଦିନରେ ସାରା ପୃଥିବୀରେ ଆମ ସଂସ୍କୃତିର ପ୍ରଚାର ପ୍ରସାର ହେଉ, ଏହା ମା’ ସମଲଶ୍ୱେରୀଙ୍କ ପାଖରେ ପ୍ରାର୍ଥନା କରୁଛୁ”, କହିଛନ୍ତି ଜଣେ ସମ୍ବଲପୁରୀ ସଂସ୍କୃତି ବିଶେଷଜ୍ଞ।

ସେହିପରି ପଦ୍ମଶୀ ହଳଧର ନାଗ କହିଛନ୍ତି, “ସମ୍ବଲପୁରୀ ଭାଷାକୁ ବର୍ତ୍ତମାନ ସାରା ଭାରତ ଚିହ୍ନି ପାରିଛି। ସେହି ସମ୍ବଲପୁରୀ ଭାଷାର ଜନକ ତଥା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ ହେଉଛି। ଏହା ଅତ୍ୟନ୍ତ ଖୁସିର କଥା”

ଅନ୍ୟପକ୍ଷରେ ସମ୍ବଲପୁର ଭାଷା ଓ ମାଟିର ଉନ୍ନତି ପାଇଁ ଯୁବପିଢ଼ୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡା କହିଛନ୍ତି।

ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୭ ତମ ଜନ୍ମ ଦିବସ। ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରାଯାଉଛି। ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ହୋଇଥିଲେ ପଶ୍ଚିମ ଓଡ଼ିଶାବାସୀ। ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍‌।

Comment