ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇରାଲ୍ ଫିଭରର ଚିକିତ୍ସାର ଚାବିକାଠି ଆମ ରୋଷେଇ ଘରେ ଅଛି|

ଭାଇରାଲ୍ ଫିଭର ବା ଭୁତାଣୁଜନିତ ସଂକ୍ରମଣ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଏହା ମଧ୍ୟ ବଡ଼ମାନଙ୍କଠାରୁ ପିଲାମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଯାଏ।

ଭାଇରାଲ୍ ଫିଭରରେ ଜ୍ୱର, ତଣ୍ଟି ତରଜ, କାଶ, ମୁଣ୍ଡ ବିନ୍ଧା ଏବଂ କ୍ଲାନ୍ତ ଲାଗିବା, ଆଖି ନାଲି ପଡ଼ିବା, ଆଣ୍ଠୁଗଣ୍ଠି ବିନ୍ଧିବା, ଦେହହାତ ବିନ୍ଧିବା, ବାନ୍ତି ହେବା ତଥା ଡାଇରିଆ, ଭୋକ ନ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ।

ଆସନ୍ତୁ ଭାଇରାଲ୍ ଫିଭରର କେତେକ ଘରୋଇ ଉପଚାର ବିଷୟରେ ଜାଣିବା। ଆମେ ଘରେ ବ୍ୟବହାର କରୁଥିବା କେତେକ ସାଧାରଣ ଜିନିଷ ବ୍ୟବହାର କରି ଭାଇରାଲ୍ ଫିଭରର ପ୍ରଭାବକୁ କମ୍ କରିପାରିବା।

ହଳଦୀ ଏବଂ ଅଦା ଛେଚା

ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଜ୍ୱର କମ୍‌ କରିବାରେ ସହାୟକ ହୋଇଥାଏ। ତେଣୁ ଗୋଟିଏ ଚାମଚ ହଳଦୀଗୁଣ୍ଡ ଓ ଗୋଟିଏ ଚାମଚ ଅଦା ଛେଚା ଗୋଟିଏ କପ୍‌ ପାଣିରେ ପକାନ୍ତୁ ଓ ସେଥିରେ ସାମାନ୍ୟ ମିଶିରି ପକାଇ ଫୁଟାନ୍ତୁ। ଏହା ଫୁଟି ଅଧା ହୋଇଯିବା ପରେ ଥଣ୍ଡା କରି ପିଅନ୍ତୁ।

ତୁଳସୀ

ତୁଳସୀ ପତ୍ରରେ ଜୀବାଣୁ ଓ ଭୂତାଣୁରୋଧୀ ଗୁଣ ରହିଥାଏ, ଯାହାକି ଶରୀର ଭିତରେ ଭୁତାଣୁକୁ ଧ୍ୱଂସ କରିଦିଏ। ଗୋଟିଏ ଚାମଚ ଲବଙ୍ଗ ଗୁଣ୍ଡ ଓ ୧୦ରୁ ୧୫ଟି ତୁଳସୀ ପତ୍ର ଗୋଟିଏ ଲିଟର ପାଣିରେ ପକାଇ ଫୁଟାନ୍ତୁ। ଏହା ମୂଳ ପରିମାଣର ଅଧା ହୋଇଯିବା ପରେ ଏହାକୁ ଥଣ୍ଡା କରି ପ୍ରତି ଘଣ୍ଟାରେ ଥରେ ଲେଖାଏଁ ପିଅନ୍ତୁ। ଆପଣଭାଇରାଲ୍ ଫିଭରରୁ ଶୀଘ୍ର ସୁସ୍ଥ ହୋଇଯିବେ।

ଧନିଆ

ଏହା ସ୍ୱାସ୍ଥ୍ୟକର ଉପାଦାନରେ ଭରପୂର। ତେଣୁ ଧନିଆ ଚା’ ଭାଇରାଲ୍ ଫିଭର ଦୂର କରିବାରେ ସାହାଯ୍ୟ କରିଥାଏ। କିଛି ଧନିଆ ପତ୍ର ଓ ଏକ ଚାମଚ ଧନିଆ ମଞ୍ଜି ପକାଇ ଏକ କପ୍‌ ପାଣି ଫୁଟାନ୍ତୁ। ଏହା ଅଧା ହେବା ପରେ ଛାଣି ନଖ ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ।

ମେଥି ପାଣି     

ମେଥି ଆମ ସମସ୍ତଙ୍କ ରୋଷେଇ ଘରେ ରହିଥାଏ। କିଛି ମେଥି ଏକ କପ୍‌ ପାଣିରେ ରାତିସାରା ଭିଜାଇ ଦିଅନ୍ତୁ ଏବଂ ଏହାକୁ ସକାଳୁ ଛାଣି ପିଅନ୍ତୁ। ଆପଣ ଖୁବ୍‌ ଶୀଘ୍ର ଭାଇରାଲ୍ ଫିଭରରୁ ସୁସ୍ଥ ହୋଇଯିବେ।

ଲେମ୍ବୁ ଏବଂ ମହୁ

ଲେମ୍ବୁ ଓ ମହୁ ମଧ୍ୟ ଭାଇରାଲ୍ ଫିଭରର ପ୍ରଭାବ କମ୍ କରିଥାଏ। ଆପଣ ଲେମ୍ବୁ ରସ ଓ ମହୁକୁ ଉଷୁମ ପାଣିରେ ମିଶାଇ ମଧ୍ୟ ପିଇପାରିବେ।

କାଞ୍ଜି

ତୋରାଣି ଓ ଘୋଳଦହିରୁ ପ୍ରସ୍ତୁତ କାଞ୍ଜି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଭାଇରାଲ୍ ଫିଭର ଉପଶମ କରିବାରେ ସହାୟକ ହୋଇଥାଏ।

ଅଦାଘିଅ  ଗୁଡ଼

ଅଧଚାମଚ ଘିଅରେ ଏକ ଚାମଚ ଅଦା ଛେଚା ଭାଜି ଦିଅନ୍ତୁ ଓ ସେଥିରେ ସାମାନ୍ୟ ଗୁଡ଼ ମିଶାଇ ଭାଜନ୍ତୁ ଓ ଉଷୁମ ଉଷୁମ ଚାଟି ଚାଟି ଖାଆନ୍ତୁ। ଏହା ଭାଇରାଲ୍ ଫିଭର ପରବର୍ତ୍ତୀ କାଶରୁ ଆରାମ ଦେଇଥାଏ।

ଭାଇରାଲ୍ ଫିଭର ଚିକିତ୍ସାରେ ଏହି ଘରୋଇ ଉପଚାର ସାମିଲ୍ କରନ୍ତୁ ଏବଂ ଶୀଘ୍ର ସୁସ୍ଥ ହୁଅନ୍ତୁ।

Comment