ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁ ଅଧିକାରକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ-୨୦୧୯’ର ପଞ୍ଚମ ସଂସ୍କରଣର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୟୁନିସେଫ୍ ଓଡିଶା ସହଭାଗୀତାରେ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ କରାଯାଉଛି। ଚଳିତ ବର୍ଷ ଏହି ଚଳଚ୍ଚିତ୍ର ପ୍ରତିଯୋଗିତାର ବିଷୟ ବସ୍ତୁ ରହିଛି ‘ସୁପୋଷଣ’ – ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର।

ସୁପୋଷଣ – ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ଉପରେ ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କାରିବାକୁ ‘କଲ୍ଲୋଳ ୨୦୧୯’ ଆହ୍ୱାନ କରୁଛି। ଏହି ପ୍ରତିଯୋଗିତାର ଉପ-ବିଷୟବସ୍ତୁଗୁଡିକ ହେଲା ବଢୁଥିବା ଶିଶୁମାନଙ୍କ ନିମନ୍ତେ ସନ୍ତୁଳିତ ଆହାର ଏବଂ ସୁପୋଷଣ ପ୍ରଦାନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି।

ଆସନ୍ତା ସେପ୍ଟେମ୍ବର ୮ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେବ ଏହାର ବିଷୟଗତ ଓ ବୈଷୟିକ କର୍ମଶାଳା। ଏହି କର୍ମଶାଳାରେ ଯୋଗଦେବାକୁ ଇଚ୍ଛୁକ ଥିବା ଅଂଶଗ୍ରହଣକାରୀମାନେ http://aaina.org.in/kallola/registration.asp ୱେବସାଇଟ୍‌ରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ।

ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଆବେଦନ କରିବାର ଶେଷ ତାରିଖ ୧୧ ଅକ୍ଟୋବର ୨୦୧୯ ଅଟେ। ପ୍ରତିଯୋଗିତାରେ ବାର୍ଷିକ ୫ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୫ ଜଣ ଚଳଚ୍ଚିତ୍ର ନିର୍ମାତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି ଏବଂ ୨୦ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି।

ଏହି ଅବସରରେ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ କହିଛନ୍ତି, “ଆମେ ଖାଉଥିବା ପୋଷଣଯୁକ୍ତ ଖାଦ୍ୟ ଆମର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିବା ସହିତ ଆମକୁ ଶକ୍ତି ପ୍ରଦାନ କରିଥାଏ ଏବଂ ସୁସ୍ଥ ରଖିଥାଏ। ହେଲେ କିଛି ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି। ‘କଲ୍ଲୋଳ ୨୦୧୯’ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ମାଧ୍ୟମରେ ଉଚିତ୍ ପୋଷଣ ସମ୍ପର୍କିତ କିଛି ମହତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ।”

ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ରଶ୍ମି ରଞ୍ଜନ ନାୟକ, ଅଳଙ୍କାର ଓ ତରଙ୍ଗ ମ୍ୟୁଜିକର ମୁଖ୍ୟ ଶ୍ୟାମାପ୍ରସାଦ ମିଶ୍ର, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ପ୍ରମୁଖ ଏହି ଉନ୍ମୋଚନ ସଭାରେ ଉପସ୍ଥିତ ଥିଲେ।

Comment