ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଥିବା ପବିତ୍ର କର୍ତ୍ତାରପୁର ସାହିବ ଗୁରୁଦ୍ୱାରକୁ ଦୂରବୀକ୍ଷଣ ଯନ୍ତ୍ରରେ ଦର୍ଶନ କରନ୍ତି ଭାରତୀୟ ଶିଖ୍ ଶ୍ରଦ୍ଧାଳୁ।
କର୍ତ୍ତାରପୁର ସେହି ସ୍ଥାନ, ଯେଉଁଠି ଶିଖ୍ମାନଙ୍କ ପ୍ରଥମ ଗୁରୁ ଶ୍ରୀ ନାନକ ଜନ୍ମ ଗ୍ରହଣ କରିଥଲେ। ଏଠାରେ ଗୁରୁ ନାନକ ତାଙ୍କ ଜୀବନର ଶେଷ ୧୮ ବର୍ଷ ବିତାଇଥିଲେ। ଏଥିସହ ଗୁରୁ ନାନକ ତାଙ୍କର ଶେଷ ନିଶ୍ଵାସ ଏଠାରେ ତ୍ୟାଗ କରିଥିଲେ। କୁହାଯାଏ, ୧୫୩୯ ମସିହା ସେପ୍ଟେମ୍ବର ୨୨ତାରିଖରେ ଯେଉଁ ସ୍ଥାନରେ ନାନକ ମୃତ୍ୟୁବରଣ କରିଥିଲେ, ସେହି ସ୍ଥାନରେ ହିଁ ଗୁରୁଦ୍ଵାର ନିର୍ମିତ ହୋଇଥିଲା।
ହେଲେ ଏହି ପବିତ୍ର କର୍ତ୍ତାରପୁର ସାହିବ ଗୁରୁଦ୍ୱାର ପାକିସ୍ତାନର ନରୱାଲ ଜିଲ୍ଲାରେ ରାବି ନଦୀ କୂଳରେ ରହିଛି। ଏହି ପବିତ୍ର ଗୁରୁଦ୍ୱାର ଦର୍ଶନ ପାଇଁ ଶିଖ୍ ଶ୍ରଦ୍ଧାଳୁ ଦୂରବୀକ୍ଷଣ ଯନ୍ତ୍ରର ସାହାଯ୍ୟ ନେଇଥାନ୍ତି, ଅର୍ଥାତ ଦୂରବୀକ୍ଷଣ ଯନ୍ତ୍ରରେ ହିଁ ପବିତ୍ର ଗୁରୁଦ୍ୱାରର ଦର୍ଶନ କରିଥାନ୍ତି ଶିଖ୍ ଶ୍ରଦ୍ଧାଳୁ।
ଏହି ଗୁରୁଦ୍ଵାର ଲାହୋରଠାରୁ ପ୍ରାୟ ୧୨୦ କିମି ଦୂରରେ ରହିଛି। ଏଥିସହ ଏହି ଗୁରୁଦ୍ଵାର ଭାରତ ସୀମାରୁ ମାତ୍ର ୩ କିମି ଦୂରରେ ରହିଛି।
ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ତିକ୍ତତା ଯୋଗୁଁ ତୀର୍ଥଯାତ୍ରୀ ଦୂରରୁ ଦର୍ଶନ କରିଥାନ୍ତି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଲଗାଯାଇଛି। ଯାହା ସାହାଯ୍ୟରେ ଶିଖ୍ ଶ୍ରଦ୍ଧାଳୁମାନେ ଗୁରୁଦ୍ଵାର ଦର୍ଶନ କରିଥାନ୍ତି।
ରାବି ନଦୀରେ ବନ୍ୟା ଆସିବା କାରଣରୁ ଗୁରୁଦ୍ଵାରର ଅନେକ କ୍ଷତି ହୋଇଥିଲା। ଏହାପରେ ୧୯୨୦-୧୯୨୯ ଭିତରେ ପଟିଆଲା ମହାରାଜା ଭୂପିନ୍ଦର ସିଂହ ଏହାକୁ ପୁନର୍ବାର ନିର୍ମାଣ କରିଥିଲେ। ଏଥିସହ ୧୯୯୫ରେ ପାକିସ୍ତାନ ସରକାର ଗୁରୁଦ୍ୱାରର କିଛି ଅଂଶକୁ ମରାମତି କରିଥିଲେ।
ତେବେ ଏ ସମ୍ପର୍କରେ ପ୍ରଥମ ଥର ୧୯୯୮ ମସିହାରେ ଭାରତ-ପାକିସ୍ତାନ ଭିତରେ ଆଲୋଚନା ହୋଇଥିଲା। ପୁଣି ୨୦ ବର୍ଷ ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।
ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ କର୍ତ୍ତାରପୁର କରିଡର ନିର୍ମାଣ ଚାଲିଛି। ଏହି କରିଡର ନିର୍ମାଣ ହେବା ପରେ ଭାରତୀୟ ଶିଖ୍ ଶ୍ରଦ୍ଧାଳୁ କର୍ତ୍ତାରପୁର ଯାଇ ଗୁରୁଦ୍ୱାର ଦର୍ଶନ କରିପାରିବେ।
ଚଳିତବର୍ଷ ନଭେମ୍ବରରେ ପଡ଼ୁଛି ଗୁରୁ ନାନକଙ୍କ ଜନ୍ମଦିନ। ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି।