ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍‍ଲାଇନ୍‍ ଭିଡିଓ ଗେମ୍‍ ମାୟା ଜାଲରେ ବର୍ତ୍ତମାନର ଛାତ୍ର ଓ ଯୁବପିଢ଼ି ପଡ଼ିଯାଇଛନ୍ତି। ଯେତେ ଚେଷ୍ଟା କଲେ ବି ସେମାନେ ମୁକୁଳି ପାରୁନାହାନ୍ତି। ଏହି ଘାତକ ଗେମ୍‍ର ଶିକାର ହୋଇ ବହୁ ପିଲାଙ୍କ ଜୀବନ ଯାଉଥିବା ପ୍ରତିଦିନ ଖବର ଆସୁଛି। ତେବେ ଏହି ଅନଲାଇନ୍‍ ଭିଡିଓ ଗେମ୍‍ ପିଲାମାନେ କାହିଁକି ଖେଳନ୍ତି ଓ ଏଥିରୁ ସେମାନଙ୍କୁ କେମିତି ମୁକୁଳା ଯାଇପାରିବ ସେ ସମ୍ପର୍କରେ କହିଛନ୍ତି ଡାକ୍ତର ସମ୍ରାଟ କର।

ମଦ, ଗଞ୍ଜେଇ, ଭାଙ୍ଗ ଯେମିତି ଏକ ନିଶା ଠିକ୍‍ ସେମିତି ଅନଲାଇନ୍‍ ଭିଡିଓ ଗେମ୍‍ ମଧ୍ୟ ପିଲାମାନଙ୍କ ପାଇଁ ଏକ ନିଶା। ଏହି ନିଶାରେ ପିଲାମାନେ ଥରେ ପଡ଼ିଗଲେ ସେଥିରୁ ସେମାନେ ସହଜରେ ମୁକୁଳି ପାରି ନଥା’ନ୍ତି। ଥରେ ଏହି ଖେଳର ମଜା ଚାଖିବା ପରେ ପିଲାମାନେ ପୂରା ଏଥିରେ ମଜ୍ଜି ଯାଇଥା’ନ୍ତି।
ଅନଲାଇନ୍‍ ଗେମ୍‍ ସବୁଠୁ ମାରାତ୍ମକ। ଏହି ଖେଳରେ ପିଲାମାନେ ନିଜ ଆବେଗକୁ ନିୟନ୍ତ୍ରଣ କରିପାରିନଥା’ନ୍ତି। ସବୁବେଳେ ମୋବାଇଲରେ ଅନଲାଇନ୍‍ ଭିଡିଓ ଗେମ୍‍ ଖେଳିଥା’ନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆମେ ଜାଣିବା ସେ ଗେମ୍‍ ଆଡିକ୍ଟେଡ(ନିଶାଶକ୍ତ) ହୋଇଯାଇଛି।
ପିଲାମାନେ କାହିଁକି ଏହି ଗେମ୍‍ ଖେଳନ୍ତି?
ଲୋକେ ସିଗାରେଟ୍‍, ଭାଙ୍ଗ, ମଦ ସେବନ କରି ଯେମିତି ଆନନ୍ଦ ପାଇଥାନ୍ତି, ସେମିତି ପିଲାମାନେ ଗେମ୍‍ ଖେଳି ଉତ୍ତେଜିତ ହୋଇଥାନ୍ତି। ଆମ ମସ୍ତିଷ୍କରେ ଥିବା ରିୱାର୍ଡ ସେଣ୍ଟରରେ ରାସାୟନିକ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଯଦି ପିଲାଟି ସବୁବେଳେ ନିୟମିତ ଭାବେ ଭିଡିଓ ଗେମ୍‍ ଖେଳିଲା ତାହାଲେ ରାସାୟନିକ ବିଶୃଙ୍ଖଳା ଲାଗି ରହିବ। ଫଳରେ ସେ ଏଥିରେ ମଜ୍ଜି ରହିବ।
ଏବେ ଆଇନ୍‍ଗତ ପ୍ରତିବନ୍ଧକ ଟିକେ ଜଟିଳ ହୋଇଯାଇଛି। ଯଦି ଗୋଟିଏ ୱେବସାଇଟରେ ଅନଲାଇନ୍‍ ଗେମ୍‍ ନିଷିଦ୍ଧ କରାଯାଉଛି ତାହାଲେ ପିଲାମାନେ ଅନ୍ୟ ୱେବସାଇଟରୁ ଗେମ୍‍ ଡାଉନଲୋଡ କରୁଛନ୍ତି। ଏଣୁ ଅନଲାଇନ୍‍ ଭିଡିଓ ଗେମ୍‍ ବ୍ୟାନ୍‍ କରିବା କଷ୍ଟକର।
ବର୍ତ୍ତମାନ ଇଣ୍ଟରନେଟ୍‍ ଶସ୍ତା ହୋଇ ଯାଇଛି। ଆଗଭଳି ଏହା ଆଉ ବ୍ୟୟସାପେକ୍ଷ ହୋଇ ରହିନାହିଁ। ଏଣୁ ପିଲାମାନେ ମନଇଚ୍ଛା ଇଣ୍ଟରନେଟ୍‍ ବ୍ୟବହାର କରି ଭିଡିଓ ଗେମ୍‍ ଖେଳୁଛନ୍ତି ।

ପିଲାଟି ଅନଲାଇନ୍‍ ଗେମ୍‍ ଖେଳୁଛି ବୋଲି କିପରି ଜାଣିବେ?
ପିଲାମାନେ ଥରେ ଏହି ଭିଡିଓ ଗେମ୍‍ ଭିତରେ ପଶିଗଲେ ଏଥିରୁ ମୁକୁଳିବା ଭାରି କଷ୍ଟ। ତେବେ ପିଲାଟି ସବୁବେଳେ ଭିଡିଓ ଗେମ୍‍ ଖେଳୁଛି ବୋଲି ଜାଣିବେ କିପରି ?
ଅନଲାଇନ୍‍ ଭିଡିଓ ଗେମ୍‍ ଖେଳୁଥିବା ପିଲାଙ୍କ ମନ ସବୁବେଳେ ଅସ୍ଥିର ରହିଥାଏ। ସେମାନଙ୍କୁ ସବୁବେଳେ ଛାନିଆ ବା ଭୟ ଲାଗିଥାଏ। ଏମାନେ ସବୁବେଳେ ବିଶାଦଗ୍ରସ୍ତ ରହିଥା’ନ୍ତି। ନିଦ ଠିକ୍‍ ଭାବେ ହୋଇନଥାଏ। ଭିଡିଓ ଗେମ୍‍ ଖେଳୁଥିବା ପିଲାମାନେ ପାଠ ପଢ଼ିବା ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିବେ ନାହିଁ। ବେଳେବେଳେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହ ହାତ ଓ ଆଙ୍ଗୁଠି ଆଦିରେ ଦରଜ ଅନୁଭବ କରିବେ। ନିଜକୁ ସେମାନେ ନ୍ୟୂନ ଓ ଅସହାୟ ମନେ କରିବେ।
ତା’ଛଡ଼ା ପିଲାଟି ବାପା, ମା’ ଏବଂ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରଖିବାକୁ ଚାହିଁବ ନାହିଁ। ସେ ସମସ୍ତଙ୍କଠୁ ଦୂରେଇ ରହିବାକୁ ପସନ୍ଦ କରିବ। ସବୁବେଳେ ଗୁମସୁମ୍‍ ହୋଇରହିବ। କାହା ସହ ମିଶିବାକୁ ଭଲପାଇବ ନାର୍ହି। ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ପିଲା ଅନଲାଇନ୍‍ ଭିଡିଓ ଗେମ୍‍ ମାୟାରେ ପଡିଯାଇଥାନ୍ତି।
ପାଠପଢ଼ାରେ ପ୍ରତିବନ୍ଧକ
ପିଲାଟି ଚାହୁଁଥିବ ଆଜିର ପାଠ ସେ ଆଜି ହିଁ ଶେଷ କରିବ। ହେଲେ ଅନଲାଇନ୍‍ ଗେମ୍‍ର ମାୟାଜାଲରୁ ସେ ମୁକୁଳିପାରେ ନାହିଁ। ଫଳରେ ପାଢ଼ପଢ଼ାରେ ସମସ୍ୟା ସୃଷ୍ଟି ହୋଇଥାଏ।
ମଧ୍ୟବୟସ୍କ ଲୋକ ବି ବାଦ୍‍ ପଡୁନାହାନ୍ତି
ବିଶେଷକରି ଏକୁଟିଆ ରହୁଥିବା ପିଲା ଓ ବ୍ୟକ୍ତିମାନେ ହିଁ ଅନଲାଇନ୍‍ ଗେମ୍‌କୁ ଆପଣାଇଥା’ନ୍ତି। କାରଣ ଅନଲାଇନ୍‍ ଗେମ୍‍ ସେମାନଙ୍କ ନିୟନ୍ତ୍ରଣ‍ରେ ରହିଥାଏ। ଯେତେବେଳେ ଚାହିଁବେ ସେମାନେ ସେତେବେଳେ ଏହି ଗେମ୍‍ ଖେଳପାରିବେ। ଆଉଟଡୋର ଗେମ୍‍ ପାଇଁ ସାଙ୍ଗସାଥୀ ଆବଶ୍ୟକ ଥିବାରୁ ଅନଲାଇନ୍‍ ଗେମ୍‍ ଖେଳୁଥିବା ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ। ସେମାନେ ନିଜ ନିୟନ୍ତ୍ରଣରେ ଥିବା ଭିଡିଓ ଗେମ୍‍ ଖେଳିବାକୁ ପସନ୍ଦ କରନ୍ତି।
ପିଲାମାନଙ୍କ ଛଡା ମଧ୍ୟ ବୟସ୍କ ବା ଯୁବପିଢ଼ି ବି ଏହି ଖେଳରୁ ବାଦ୍‍ ପଡିନାହାନ୍ତି । ପାଠ ପଢ଼ି ଘରେ ବସିଥିବା ଲୋକ, ବିବାହ ପରେ ସ୍ତ୍ରୀକୁ ନେଇ ମାନସିକ ବିଶାଦରେ ରହୁଥିବା ଲୋକମାନେ ମାନସିକ ଚାପରେ ରହିଥା’ନ୍ତି। ଏଣୁ ସେମାନେ ଏହି ଅନଲାଇନ୍‍ ଗେମ୍‍ର ଶିକାର ହୋଇଥାନ୍ତି ।
ଅନ୍‍ ଲାଇନ୍‍ ଗେମ୍‍ରୁ ଦୂରେଇ ରଖିବାର ଉପାୟ
ପରିବାର ସଦସ୍ୟ, ସମ୍ପର୍କୀୟ ଆନ୍ତରିକତାର ସହ ଉଦ୍ୟମ କଲେ ପିଲାମାନଙ୍କୁ ଅନଲାଇନ୍‍ ଗେମଠାରୁ ଦୂରେଇ ରଖାଯାଇପାରିବ।
-ପ୍ରଥମେ ପିଲାମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦିଅନ୍ତୁ ନାହିଁ।
-ଏକୁଟିଆ ରହିବାକୁ ଚାହୁଁଥିବା ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।
-ପରିବାରର ସଦସ୍ୟ, ଶିକ୍ଷକ ଏବଂ ସମ୍ପର୍କୀୟ ପିଲାମାନଙ୍କୁ କିଛି ସମୟ ଦିଅନ୍ତୁ।
-ପିଲାମାନଙ୍କୁ ସବୁ କ୍ଷେତ୍ରରେ ତ୍ସାହିତ କରନ୍ତୁ।
-ଅନ୍‍ଲାଇନ୍‍ ଗେମ୍‍ଠାରୁ ଦୂରେଇ ଆଉଟଡୋର ଗେମ୍‍ ଖେଳିବାକୁ ପିଲାଙ୍କୁ ଉତ୍ସାହିତ କରନ୍ତୁ
-ପିଲାମାନଙ୍କୁ ସାମୁହିକ କାମରେ ସାମିଲ କରନ୍ତୁ କିମ୍ବା ସେମାନଙ୍କୁ ନୂଆ ନୂଆ ପିକନିକ ସ୍ପଟ ବୁଲାଇବାକୁ ନିଅନ୍ତୁ। ଏହାଦ୍ୱାର ସେମାନେ ବିଭିନ୍ନ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସି ପାରିବେ।
-ଅନଲାଇନରେ କିଛି ଭଲ ଗେମ୍‍ ମୋମୋରି, କାଲକୁଲେଟର ଭଳି ଗେମ୍‍ ଅଛି ସେଗୁଡିକୁ ଖେଳିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପଡିବ।

Comment