ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ, ଅଗତିର ଗତି ଦୀନ ଦୁଃଖ ନାଶନ’ ପାଲଟିଥିଲା ଏକ କ୍ଲାସିକ୍‍ ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋ‍ଇଥିବା ଏହି ଗୀତ ପଛର କାହାଣୀ

ଦୀର୍ଘ ଚାରି ଦଶକରୁ ଅଧିକ ସମୟ ଧରି ନିଜର ସୁଲଳିତ କଣ୍ଠର ଯାଦୁରେ ଶ୍ରୋତାମାନଙ୍କୁ ବାନ୍ଧି ରଖିପାରିଥିବା ଜଣେ ସୁଗାୟିକା ହେଲେ ଶାନ୍ତିଲତା ବାରିକ ଛୋଟରାୟ। ବିଶେଷକରି ନିଜର ଭଜନ ପାଇଁ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତ ଓ ଦେଶ ବାହାରେ ମଧ୍ୟ ସେ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଛନ୍ତି।

ହୁଏତ ଅନେକ ଲୋକ ଜାଣିନଥିବେ ଯେ ଶାନ୍ତିଲତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମ ଶାନ୍ତିଲତା ବାରିକ ଛୋଟରାୟ, ଅଗତିର ଗତି ଦୀନ ଦୁଃଖ ନାଶନ…’, ଯାହାକି ଆଜି ପର୍ଯ୍ୟନ୍ତ ଶ୍ରୋତାମାନଙ୍କୁ ସଙ୍ଗୀତ ଓ ଆବେଗରେ ଉବୁଟୁବୁ କରିଆସୁଛି। ତେବେ ଏହାପଛରେ ରହିଛି ଏକ ନାଟକୀୟ ଅଧ୍ୟାୟ, ଯାହା ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ!

ସେଦିନ ଓଡ଼ିଆ ସଙ୍ଗୀତ ଜଗତର ପିତାମହ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଶାନ୍ତିଲତାଙ୍କୁ ଧରାଇ ଦେଇଥିଲେ ଏକ ଜଗନ୍ନାଥ ଭଜନ। ସେହି ଭଜନଟି ଥିଲା- ‘ହେ ଚକାନୟନ’। ଏହି ଗୀତର ଗୀତିକାର ଥିଲେ ନଗେନ୍ଦ୍ର ମହାପାତ୍ର। ଏହାର ସ୍ୱର ସଂଯୋଜନ କରିଥିଲେ ନିଜେ ବାଳକୃଷ୍ଣ। ଏହି ଗୀତଟିକୁ ଅତି ଆବେଗଭରା କଣ୍ଠରେ ଶାନ୍ତିଲତା ଗାଇ ଶୁଣାଇଥିଲେ। ଗୀତଟି ଶୁଣୁଶୁଣୁ ବାନ୍ଧିହୋ‍ଇଯାଇଥିଲେ ଗୁରୁ ବାଳକୃଷ୍ଣ ଏବଂ ଶାନ୍ତିଲତାଙ୍କ ପରୀକ୍ଷା ନେଉଥିବା କଲିକତାର ଭି. ବାଲସାରାୟ। ବାଲସାରାୟ ସାହେବ ବାଳକୃଷ୍ଣଙ୍କୁ ତତକ୍ଷଣାତ୍‍ କହିଥିଲେ, “ଇଏତ ବଢ଼ିଆ ଗାଉଛି, ଆଉ ଏହାର କ’ଣ ଇଣ୍ଟରଭ୍ୟୁ ନେବା, ତା’ କଣ୍ଠରେ ଏହି ଗୀତଟି ରେକର୍ଡ କରାଯାଉ”।

ଓଡ଼ିଶାଲାଇଭ୍‍ ସହ କଥାବାର୍ତ୍ତା ବେଳେ ଏହି ଅଜଣା ଅଧ୍ୟାୟକୁ ମନେପକାଇଛନ୍ତି ଗାୟିକା ଶାନ୍ତିଲତା। “ତାହା ଥିଲା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ। କେବଳ ଏଥିପାଇଁ ନୁହେଁ ଯେ ମୋ ସ୍ୱରରେ ଏକ ଗୀତ ରେକର୍ଡିଂ ହେବାକୁ ଯାଉଛି। ବରଂ ମୋର ମେହେଇଥିଲା ମୁଁ ପରୀକ୍ଷାରେ ପାସ୍‌ କରି ମୋ ଗୁରୁ ବାଳକୃଷ୍ଣ ଦାଶଙ୍କୁ ଏକପ୍ରକାର ଗୁରୁଦକ୍ଷିଣା ଦେଇପାରିଛି। କେବଳ ସେତିକି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ଭଜନର ରେକର୍ଡିଂ ସହ ମୋ କ୍ୟାରିଅର ଆରମ୍ଭ ହୋ‍ଇଥିବାରୁ ମୁଁ ଧନ୍ୟ ମନେ କରିଥିଲି”, କହିଛନ୍ତି ଶାନ୍ତିଲତା।

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପାଖରେ ଶାନ୍ତିଲତା ପିଲାଦିନରୁ ସଙ୍ଗୀତ ଶିକ୍ଷା କରୁଥିଲେ। ବେଶ୍ କିଛିବର୍ଷ ଧରି ସଙ୍ଗୀତ ଶିଖିବା ପରେ ଶାନ୍ତିଲତାଙ୍କର ଇଛା ହେବା ସ୍ୱାଭାବିକ ଯେ ତାଙ୍କ ଭଏସ୍‌ରେ କୌଣସି ଗୀତ ରେକର୍ଡ ହେଉ। ଏ କଥା ଜାଣିବାପରେ ବାଳକୃଷ୍ଣ ଦାଶ ଶାନ୍ତିଲତାଙ୍କୁ କହିଥିଲେ, “ତୁ ମୋ’ ସହିତ କଲିକତା ଚାଲ, ସେଠାରେ ଇଣ୍ଟରଭ୍ୟୁ ଦେବୁ। ଯଦି ସେଥିରେ ସଫଳ ହେବୁ, ତା’ ହେଲେ ତୋ’ କଣ୍ଠରେ ଗୀତ ରେକର୍ଡ କରାଯିବ”।

ଏଥିରେ ଉତ୍ସାହିତ ହୋଇଥିଲେ ଶାନ୍ତିଲତା। ସେ ବାଳକୃଷ୍ଣ ଦାଶ ଓ ତାଙ୍କ ପତ୍ନୀ ଅନୀତାଙ୍କ ସହିତ କଲିକତା ଯାଇଥିଲେ। ସେଠାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ଭି. ବାଲସାରାୟ ଶାନ୍ତିଲତାଙ୍କର ସାମନାରେ ପରୀକ୍ଷା ଦେଇ କିଭଳି ସଫଳ ହୋ‍ଇଥିଲେ ସେ କାହାଣୀ ଆପଣ ଉପରେ ପଢ଼ିଲେ।

ସେଦିନର ସେ ଘଟଣା ଅନୁଭୂତି ଶାନ୍ତିଲତାଙ୍କୁ ଏକ ନୂଆ ଅନୁଭୂତି ଆଣିଦେଇଥିଲା। ଏହାପରେ କଲିକତାର ଏମ୍ରିକୋ ଷ୍ଟୁଡିଓରେ ‘ହେ ଚକାନୟନ’ ଗୀତର ରେକର୍ଡିଂ ହୋଇଥିଲା। ଶାନ୍ତିଲତାଙ୍କ କହିବା ଅନୁଯାୟୀ ଯେହେତୁ ତାଙ୍କର ଗୀତ ରେକର୍ଡିଂ ପାଇଁ ପ୍ରବଳ ଇଚ୍ଛା ଥିଲା, ଏଣୁ ତାଙ୍କ ଭିତରେ କୌଣସି ପ୍ରକାରର ଭୟ ନଥିଲା। ଏଥିପାଇଁ ଗୋଟିଏ ଟେକ୍‌ରେ ଜଗନ୍ନାଥଙ୍କର ଏହି ଭଜନ ଓକେ ହୋଇଥିଲା।

ଏହି ଗୀତଟି ୧୯୭୮ ମସିହାରେ ରେକର୍ଡ ହୋଇଥିଲା। ଏହାକୁ ଶ୍ରୋତାମାନେ ଖୁବ୍ ପସନ୍ଦ କରିଥିଲେ ଓ ଗୀତଟି ଶାନ୍ତିଲତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା।

ଏହି ପ୍ରସିଦ୍ଧ ଭଜନକୁ ଶାନ୍ତିଲତା ସର୍ବପ୍ରଥମେ ପୁରୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ଆୟୋଜିତ ଭଜନ ସମାରୋହରେ ପ୍ରଥମେ ଗାଇଥିଲେ। ତା’ର ଅନୁଭୂତି ବି ବେଶ୍ ମଜାଦାର ବୋଲି କହନ୍ତି ଶାନ୍ତିଲତା ବାରିକ ଛୋଟରାୟ।

“ଭଜନ ସମାରୋହକୁ ପରିଚାଳନା କରୁଥାନ୍ତି ସଙ୍ଗୀତ ଜଗତର ଦୁଇ ମହାରଥୀ ସଙ୍ଗୀତକାର ଡକ୍ଟର ଶାନ୍ତନୁ ମହାପାତ୍ର ଓ ପ୍ରଫୁଲ୍ଲ କର। ସନ୍ଧ୍ୟା ସାଢ଼େ ୫ଟା ବେଳୁ ମୁଁ ବସିଥାଏ ମଞ୍ଚରେ। ସେଠି ବାଳକୃଷ୍ଣ ସାର୍ ବି ଥାଆନ୍ତି। ରାତି ଏଗାରଟା ବାଜିଲା, କିନ୍ତୁ ମୋ’ ନାଁ ଡକାଗଲାନି କି ଭଜନ ଗାଇବାର ସୁଯୋଗ ମିଳିଲା ନାହିଁ। ବାଳକୃଷ୍ଣ ସାର୍ ରାତି ଏଗାରଟା ବେଳକୁ ମଞ୍ଚ ଛାଡ଼ି ଚାଲିଗଲେ। ଭୋକ, ଶୋକ ଭୁଲି ମୁଁ ଅପେକ୍ଷା କରିଥାଏ। ମୋ’ ସାଙ୍ଗରେ ଭଉଣୀ ଆରତୀ ଥାଏ। ସମୟ ଗଡ଼ି ଚାଲୁଥାଏ। ସେହି ସମୟରେ ମୋର ଜଣେ ସମ୍ପର୍କୀୟ ମୋତେ ଦେଖିଲେ। ସେ କହିଲେ ତୁ ତ ବଢ଼ିଆ ଗାଉଛୁ, ନିଶ୍ଚିତ ରୂପେ ଭଜନ ଗାଇବୁ”।

“ସେ ଆମ ପାଇଁ ବରା, ମିଠା ଆଦି ଖାଇବାକୁ ଦେଲେ। ମାମୁ ଯାଇ ମୋ’ ବିଷୟରେ ଆୟୋଜକମାନଙ୍କୁ କହିଲେ। ପରିଶେଷରେ ରାତି ସାଢ଼େ ତିନିଟା ବେଳକୁ ମୋର ପାଳି ପଡ଼ିଲା। ମୁଁ ଗାଇବା ଆରମ୍ଭ କଲି। କାର୍ଯ୍ୟକ୍ରମରେ ତବଲା ବାଦନ କରୁଥାନ୍ତି ଆକାଶବାଣୀର ପ୍ରଖ୍ୟାତ ତବଲା ବାଦକ ବାଞ୍ଚଲାଲ୍ ଶର୍ମା। ମୋ’ ଗୀତ ସହିତ ତାଳ ମ୍ୟାଚ୍ କରିଲା ନାହିଁ। ତା’ପରେ ଉମେଶ କର ତବଲା ବଜାଇବାକୁ ଆସିଲେ। ଲୋକେ କହିଲେ, ଏ ଛୁଆଟା ଗୀତ ଗାଇବ, ତା’ ସହିତ କ’ଣ ଠିକ୍ ଭାବେ ତବଲା ବଜାଇ ପାରୁନାହାନ୍ତି ଅଭିଜ୍ଞ ତବଲା ବାଦକମାନେ। ଶେଷରେ ଶରତ ରଥ ତବଲା ବଜାଇଲେ। ତାଙ୍କ ସହିତ ତାଳ ଠିକ୍ ହୋଇଗଲା। ତା’ ପରେ ମୁଁ ଖୁବ୍ ସୁଲଳିତ ସ୍ୱରରେ ଗାଇଥିଲି ହେ ଚକାନୟନ, ଅଗତିର ଗତି ଦୀନ ଦୁଃଖନାଶନ…”, ସେଦିନର ସ୍ମୃତି ବିଷୟରେ କହିଲାବେଳେ ଏବେ ବି ଭାବବିହ୍ୱଳ ହୋ‍ଇଯା’ନ୍ତି ଶାନ୍ତିଲତା।

ଏହି ଗୀତ ଶୁଣି ସେଦିନ ଦର୍ଶକମାନେ ଯେଭଳି ଲମ୍ବା ତାଳି ବଜାଇଥିଲେ, ଆଜି ମଧ୍ୟ ତା’ର ନଜିର ରହିଛି। ଆଜି କୌଣସି ମଞ୍ଚରେ ଶାନ୍ତିଲତା ଯେତେ ଗୀତ ଗାଆନ୍ତୁ ପଛେ, ହେ ଚକାନୟନ ନ ଗାଇବା ଯାଏ ଲୋକମାନେ ତାଙ୍କୁ ଛାଡ଼ନ୍ତି ନାହିଁ।

ଡିଜିଟାଲ୍‍ ମିଡିଆରେ ମଧ୍ୟ ହେ ଚକାନୟନ ଭଜନଟି ବେଶ୍‍ ଲୋକପ୍ରିୟ ହୋ‍ଇଛି। ଓଡ଼ିଶାଲାଇଭର ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଶାନ୍ତିଲତାଙ୍କ ଏହି ଗୀତ ଲକ୍ଷାଧିକ ଦର୍ଶକଙ୍କ ମନ ଛୁଇଁପାରିଛି।

Comment