ଓଡ଼ିଶାଲାଇଭ ବ୍ୟୁରୋ

ପେଷାରେ ଅଟୋ ଚାଳକ। କଟକରେ ଅଟୋ ଚଲାଇ ପରିବାର ପୋଷଣ କରନ୍ତି ସନ୍ତୋଷ ସାହୁ। ହେଲେ ତାଙ୍କର ଏକ ସାଧୁ କାର୍ଯ୍ୟ ବର୍ତ୍ତମାନ କଟକ ସହରରେ ଚର୍ଚ୍ଚା ହେଉଛି। ରାସ୍ତାରୁ ପାଇଥିବା ଏକ ପର୍ସକୁ ତା’ର ସଠିକ୍‌ ମାଲିକ ପାଖରେ ପହଞ୍ଚାଇ ସାଧୁତାର ପରିଚୟ ଦେଇଛନ୍ତି ସନ୍ତୋଷ। ଏଭଳି କାର୍ଯ୍ୟ ଯୋଗୁଁ ସେ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ସନ୍ତୋଷ ଅଟୋ ନେଇ କନିକା ଛକରେ ଯାଉଥିବା ବେଳେ ଏକ ମନିପର୍ସ ପାଇଥିଲେ। ଯୋଉଥିରେ ୧୩ହଜାର ଟଙ୍କା, ଏଟିଏମ୍‌ କାର୍ଡ ଓ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ରହିଥିଲା। ଏହାକୁ ପାଇ ସନ୍ତୋଷ ତା’ର ମାଲିକ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ପର୍ସରେ ଥିବା ଏକ ଫୋନ ନମ୍ଵରରେ ଯୋଗାଯୋଗ କରିଥିଲେ।

ଫୋନ କରିବା ପରେ ଜଣାପଡ଼ିଥିଲା ପର୍ସଟି ତୁଳସୀପୁର ମଠ ସାହିର ସରୋଜ ମହାନ୍ତିଙ୍କର। ସରୋଜ ତାଙ୍କ ପତ୍ନୀଙ୍କ ସହ କନିକା ଛକ ଦେି ଘରକୁ ଫେରୁଥିଲେ। ସେଠାରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ଘରକୁ ଫେରିଥିଲେ। ସେଠାରେ ଦେଖିଲା ବେଳକୁ ପକେଟରୁ ପର୍ସ ଗାଏବ୍‌ ଥିଲା। ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ ସରୋଜ।

ପରେ ଅଟୋ ଡ୍ରାଇଭର ସନ୍ତୋଷ ପର୍ସ ପାଇ ତାଙ୍କୁ ଫୋନ କରିବା ସହ ତାଙ୍କ ଘରକୁ ଯାଇ ପର୍ସ ଫେରାଇଥିଲେ। ଏହି କାର୍ଯ୍ୟ ଯୋଗୁଁ ସନ୍ତୋଷଙ୍କୁ ତୁଳସୀପୁର ଲୋକ ପ୍ରଶଂସା କରିଥଲେ।

ସନ୍ତୋଷଙ୍କ ଘର ବାଙ୍କି ଅଞ୍ଚଳରେ ସେ ଦୀର୍ଘ ୧୯ ବର୍ଷ ହେବ କଟକରେ ଭଡ଼ା ରହୁଛନ୍ତି। ପୂର୍ବରୁ ଟାଉନ ବସ୍‌ ଚଲାଉଥିଲେ। ଏହା ବନ୍ଦ ହୋଇଯିବା ପରେ ବର୍ତ୍ତମାନ ଅଟୋ ଚଲାଇ ପରିବାର ପୋଷଣ କରୁଛନ୍ତି।

Comment