ଓଡ଼ିଶାଲାଇଭ୍ ବ୍ୟୁରୋ

ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଆସନ୍ତା ନଭେମ୍ବର ୩୦ରେ ଅବସର ଗ୍ରହଣ କରିବେ। ତାଙ୍କ ଜାଗାରେ ନାଲ୍‌କୋ ନିର୍ଦ୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର ସିଏମ୍‌ଡି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଡିସେମ୍ବର ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିବେ।

ଆଜି ନୂଆଦିଲ୍ଲୀରେ ବସିଥିବା ଲୋକ ଉଦ୍ୟୋଗ ଚୟନ ବୋର୍ଡ ବୈଠକରେ ଶ୍ରୀଧର ପାତ୍ରଙ୍କ ନାଁ ନାଲ୍‌କୋ ସିଏମ୍‌ଡି ପଦ ପାଇଁ ସୁପାରିଶ ହୋଇଛି।

ନାଲ୍‌କୋ ସିଏମ୍‌ଡି ପଦ ପାଇଁ ୪ ଜଣ ଆଶାୟୀ ଥିଲେ। ସେଲ୍‌ ନିର୍ଦ୍ଦେଶକ (ବାଣିଜ୍ୟ) ସୋମା ମଣ୍ଡଳ, ମେକନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅତୁଲ ଭଟ୍ଟ, ଉତ୍ତର ପୂର୍ବ ବିଦ୍ୟୁତ ଶକ୍ତି ନିଗମର (ଏନ୍‌ଇଇପିସିଓ) ନିର୍ଦ୍ଦେଶକ (ଅର୍ଥ) ଏମ୍‌ ଶିବ ସନମୁଗନ୍ଥନ ଏବଂ ନାଲ୍‌କୋ ନିର୍ଦ୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର ଆଶାୟୀ ଥିଲେ।

ଆଶାୟୀମାନଙ୍କର ଆଜି ନୂଆଦିଲ୍ଲୀରେ ସାକ୍ଷାତକାର ହୋଇଥିଲା। ଏଥିରେ ଶ୍ରୀଧର ପାତ୍ରଙ୍କ ନାଁକୁ ଲୋକ ଉଦ୍ୟୋଗ ଚୟନ ବୋର୍ଡ ସୁପାରିଶ କରିଥିଲା। ପରେ କେନ୍ଦ୍ର କ୍ୟାବିନେଟ୍‌ ଏଥିରେ ଚୂଡ଼ାନ୍ତ ମୋହର ମାରିବ।

୧୯୬୪ ଅକ୍ଟୋବର ୧୦ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଧର ପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ଗ୍ରାଜୁଏସନ ପାସ୍‌ କରିଥିଲେ। ବିଦ୍ୟାସାଗର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ (ଏଚ୍‌ଆର୍‌ଡି) ପାସ୍‌ କରିଥିବା ଶ୍ରୀ ପାତ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର ସଦସ୍ୟ ଥିଲେ।

ଏହାସହ ଶ୍ରୀ ପାତ୍ର ଓଡ଼ିଶା ଖଣି ନିଗମ, ଇଣ୍ଡିଆନ୍ ରେଆର୍‌ ଆର୍ଥ, ଟିଏଚ୍‌ଡିସି ଇଣ୍ଡିଆ ଭଳି ସଂସ୍ଥାରେ କାର୍ଯ୍ୟ ସମ୍ପାଦନ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here