ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଠଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। କଣ ଏ ସବୁ?

୧- ଦେଶର ଅର୍ଥନୀତିକୁ ଆଗେଇ ନେବା ପାଇଁ ସରକାର ଆଗାମୀ ଦିନରେ ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ। ଏଥି ସହିତ ଆର୍ଥିକ ସଂସ୍କାର ବି ଚାଲୁ ରହିବ। ଭାରତର ଅର୍ଥନୀତିକୁ ସମୃଦ୍ଧ କରିବା ତାଙ୍କ ସରକାରର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।

୨- ସରକାର ଜଳ ଜୀବନ ମିଶନ ଆରମ୍ଭ କରିବେ। ପ୍ରତ୍ୟେକ ଘରକୁ ପାଇପ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ମାନେ ମିଶି ଏହାକୁ କାର୍ଯ୍ୟକାରୀ କରିବେ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି।

୩- ଦେଶରେ ଜଣେ  ପ୍ରତିରକ୍ଷା ମୁଖ୍ୟ ବା ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ରହିବେ। ତିନୋଟି ଯାକ ବିଭାଗର ସେ  ପ୍ରମୁଖ ରହିବେ। ଏହି ପଦର ଲକ୍ଷ୍ୟ ହେଉଛି ସେନା, ବାୟୁସେନା ଓ ନାଭାଲ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା।

୪- ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ସମସ୍ୟାଗୁଡିକୁ ତାଙ୍କ ସରକାର ନା ପାଳନ ପୋଷଣ କରେ ନା ସେଗୁଡ଼ିକୁ ସମାଧାନ ନକରି ପକାଇ ରଖେ। ଧାରା ୩୭୦ ଓ ଜାମ୍ମୁ କାଶ୍ମୀରର ବିଭାଜନ ନେଇ ସେ କହିଲେ ଯେ ଏବେ ଦେଶରେ ଗୋଟିଏ ସମ୍ବିଧାନ ଗୋଟିଏ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତା ଛଡ଼ା କ୍ଷମତାକୁ ଆସିବାର ଦଶ ସପ୍ତାହ ମଧ୍ୟରେ ତାଙ୍କ ସରକାର ତିନି ତଲାକ ଭଳି ଆଇନ ଆଣିପାରିଛନ୍ତି।

୫- ମୋଦି କହିଲେ ଯେ ଭାରତର ଲୋକଙ୍କ ଆକାଂକ୍ଷା ବହୁତ ବଢ଼ିଛି। ଲୋକଙ୍କ ମନୋଭାବ ମଧ୍ୟ ଢ଼େର ପରିମାଣରେ  ବଦଳିଛି। ଖାଲି ଗୋଟିଏ ରେଳ ଷ୍ଟେସନ କି ଏୟାର ପୋର୍ଟରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ଭଲ ବିମାନ ବନ୍ଦର, ଭଲ ରେଳ ଷ୍ଟେସନ, ଭଲ ବସ ଷ୍ଟାଣ୍ଡ ଇତ୍ୟାଦି ଚାହୁଁଛନ୍ତି। ଏ ସମ୍ପର୍କରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କଥା ସେ ଉଲ୍ଲେଖ କରିଥିଲେ।

୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଦେଶର ପର୍ଯ୍ୟଟନର ଜବରଦସ୍ତ ବିକାଶ। ଏଥି ସହିତ ପ୍ରତି ଜିଲ୍ଲାରେ ଯେଉଁ ଜିନିଷ ପତ୍ର ଉତ୍ପାଦନ ହେଉଛି ତାହାକୁ ବିଦେଶକୁ କିପରି ରପ୍ତାନୀ କରାଯାଇ ପାରିବ ସେ ନେଇ ଚିନ୍ତା କରିବା ଆବଶ୍ୟକ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ। ଦରଦାମ ନିୟନ୍ତ୍ରଣ ସହ ବିକାଶର ଧାରା ଜାରି ରହିବ ବୋଲି ସେ କହିଛନ୍ତି।

୭- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କଥା ଦୋହରାଇଛନ୍ତି। ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେବା ଦରକାର ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହା ହେଲେ ଦେଶର ଉପକାର ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

୮- ମୋଦି ଦେଶର ଜନସଂଖ୍ୟା ବୃଦ୍ଧି ପାଇବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି। ଆଗାମୀ ପିଢ଼ି ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି କହିବା ସହ ଏହା ପରିବାରର ସୁଖ ଶାନ୍ତି ନଷ୍ଟ କରିଥାଏ ବୋଲି ଉଲ୍ଲେଖ କରିଛନ୍ତି। ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ସେ ଦେଶପ୍ରେମ ସହିତ ତୁଳନା କରିଛନ୍ତି।

Comment