ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ବିଲବଳରାମପୁର ଗାଁର ଭେଣ୍ଡି କିଆରିରେ ପଡିଥିବା ଅଚିହ୍ନା ମହିଳାଙ୍କ ଶବ ଚିହ୍ନଟ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡା ସଦରଥାନା ଛକନା ଗାଁର ସସ୍ମିତା ବିଶ୍ଵାଳ। ଶବକୁ ଚିହ୍ନଟ କରିଛନ୍ତି ସସ୍ମିତାଙ୍କ ଝିଅ ଅନୀତା ବିଶ୍ଵାଳ।

ସସ୍ମିତାଙ୍କୁ ହତ୍ୟାକରି ବନ୍ୟା ପାଣିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଝିଅ ଅନୀତା। ଅନିତାଙ୍କ ସାବତ ଭାଇ ସନ୍ତୋଷ ବିଶ୍ଵାଳ ଓ ତାଙ୍କ ସ୍ତ୍ରୀ ସଞ୍ଜୁ ବିଶ୍ଵାଳ କିଛି ଲୋକଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ନରହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସସ୍ମିତାଙ୍କ ମୃତଦେହରେ ଏକ ବେଡସିଟ୍ ଗୁଡାଯାଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡକୁ ଇଙ୍ଗିତ କରୁଛି।

ଗତ ୧୧ ତାରିଖରୁ ସସ୍ମିତା ନିଖୋଜ ହୋଇଥିବା କେନ୍ଦ୍ରାପଡା ସଦରଥାନାରେ ତାଙ୍କ ବାପା ଅଭିଯୋଗ କରିଥିଲେ। ଜମିବାଡି ଓ ଇନ୍ସୁରାନ୍ସ ଟଙ୍କାକୁ ନେଇ ସସ୍ମିତା ଓ ତାଙ୍କ ସାବତ ପୁଅ ଓ ବୋହୂଙ୍କ ଭିତରେ କଳି ଲାଗିଥିଲା।

ସସ୍ମିତାଙ୍କ ସ୍ଵାମୀ ଅଲେଖ ବିଶ୍ଵାଳଙ୍କ ପ୍ରଥମ ସ୍ତ୍ରୀଙ୍କ ବିୟୋଗ ପରେ ଅଲେଖ ସସ୍ମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କର ପୁଅ ସନ୍ତୋଷ ଥିବା ବେଳେ ଦ୍ଵିତୀୟ ପତ୍ନୀଙ୍କର ଝିଅ ଅନିତା ଅଛନ୍ତି। ଇତି ମଧ୍ୟରେ ଅଲେଖଙ୍କ ଦେହାନ୍ତ ପରେ ଜମିବାଡି ଓ ଅଲେଖଙ୍କ ନାମରେ ଥିବା ଜୀବନବୀମା ଟଙ୍କାକୁ ନେଇ ସାବତ ମା ସସ୍ମିତା ଓ ସାବତ ପୁଅ ସନ୍ତୋଷଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା।

ଅନିତାଙ୍କ ଅଭିଯୋଗ ପରେ ପୋଲିସ  ଅଭିଯୁକ୍ତ ସନ୍ତୋଷ ଓ ତାଙ୍କ ପତ୍ନୀ ସଞ୍ଜୁଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ୩୦୨, ୨୦୧, ୧୨୦ବି ଓ ୩୪ ଧାରାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Comment