ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟରେ ୧୧ ବର୍ଷ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ରବିବାର ତାଙ୍କର ଏହି ସ୍ମରଣୀୟ ଦିନ ଅବସରରେ କୋହଲି ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କୋହଲି ତାଙ୍କର ପୋଷ୍ଟରେ କହିଛନ୍ତି, “ଯୁବାବସ୍ଥାରେ ୨୦୦୮ ମସିହାରେ ମୁଁ ମୋ କ୍ୟାରିଅର ଆରମ୍ଭ କରିଥିଲି। ଆଜିର ଦିନରେ ୨୦୧୯ ମସିହାରେ ମୋ କ୍ୟାରିଅରର ୧୧ବର୍ଷ ପୂରଣ ହୋଇଗଲା। ମୋତେ ଭଗବାନଙ୍କ ଏପରି ଆର୍ଶୀବାଦ ମିଳିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ଆପଣ ସମସ୍ତଙ୍କୁ ମଧ୍ୟ ନିଜ ସ୍ୱପ୍ନ ସାକାର କରିବା ପାଇଁ ସବୁବେଳେ ସଠିକ୍ ରାସ୍ତାରେ ଯିବାକୁ ଶକ୍ତି ମିଳୁ।”


କୋହଲିଙ୍କ କ୍ୟାରିଅର

ବର୍ତ୍ତମାନର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୨୦୦୮ ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ନିଜର ପ୍ରଥମ ଡେବ୍ୟୁ ମ୍ୟାଚରେ ସେ ମାତ୍ର ୧୨ରନ୍ କରିପାରିଥିଲେ। ବିରାଟ ନିଜର ଅନ୍ତର୍ଜାତୀୟ କ୍ୟାରିଅର ପ୍ରଥମ ଶତକ ୨୦୦୯ ମସିହାରେ ମାରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆରେ ମୋଟ ୪୩ଟି ଶତକ କରିଛନ୍ତି। ଏହାସହ ବିରାଟ କୋହଲି ଆଇସିସି ଦିନିକିଆ ଓ ଟେଷ୍ଟ ବ୍ୟାଟ୍ସମ୍ୟାନ ରାକିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି।

ଅଧିନାୟକ ଭାବେ କୋହଲି ମୋଟ ୨୧ଟି ଶତକ ମାରିସାରିଛନ୍ତି। ଏହି ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ପରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିଭଳି ଟି-୨୦ ରେ କୋହଲି ୨୦୧୦ ମସିହାରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ୨୦୧୧ ମସିହାରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୨୩୯ ଦିନିକିଆରେ ୧୧ ହଜାର ୫୨୦ରନ୍, ୭୭ଟି ଟେଷ୍ଟରେ ୬ହଜାର ୬୧୩ ରନ୍ ଏବଂ ଟି-୨୦ରେ ୨ହଜାର ୩୬୯ ରନ୍ ସଂଗ୍ରହ କରିସାରିଛନ୍ତି । ଗତ ଦଶବର୍ଷ ମଧ୍ୟରେ ୨୦ ହଜାର ରନ କରିବାରେ କୋହଲି ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଏହି ଗତ ଦଶବର୍ଷ ମଧ୍ୟରେ ୨୦ ହଜାର ୧୮ରନ୍ କରିସାରିଛନ୍ତି।

Comment