ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ : ଶ୍ରୀମନ୍ଦିର ଚରିପଟୁ ଚାଲିଛି ଜବରଦଖଲ ଉଛେଦ। ବେଆଇନ କୋଠା, ଦୋକାନ ଘରକୁ ଭାଙ୍ଗୁଛି ପ୍ରଶାସନ। ଜେସିବି ମାଡ଼ରେ ବଡ଼ ବଡ଼ କୋଠା ଟଳି ପଡ଼ିଛି। ଆଜି ଦ୍ୱିତୀୟ ଦିନରେ ସିଂହଦ୍ୱାର ସମ୍ମୁଖରୁ ଆରମ୍ଭ ହୋଇଥିଲା ଉଛେଦ ପ୍ରକ୍ରିୟା।

ମେଘନାଦ ପାଚେରୀ ସଂଲଗ୍ନ ମଠ, ମନ୍ଦିରକୁ ଛାଡ଼ିଦେଲେ ଅନ୍ୟ ବେଆଇନ କୋଠାକୁ ଭାଙ୍ଗି ଦେଇଥିଲା ପ୍ରଶାସନ।

ଜବରଦଖଲ ଉଛେଦ ବେଳେ ୮ ଜଣ ମାଜିଷ୍ଟ୍ରେଟ୍‌ଙ୍କ ସମେତ ୨୪ ପ୍ଲାଟୁନ୍ ଫୋର୍ସ ଉପସ୍ଥିତ ଥିଲେ। ସିଂହଦ୍ୱାର, ପଶ୍ଚିମଦ୍ୱାର, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ୮ରୁ ଅଧିକ ଜେସିବି ଭଙ୍ଗା କାର୍ଯ୍ୟରେ ଲାଗିଥିଲେ।

ପ୍ରଥମ ଦିନରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନବନିର୍ମିତ କୋଠା, ରାମଦୟା ପରିଷଦ କୋଠା, ସିଂହଦ୍ୱାର ଫାଣ୍ଡି ଘରକୁ ଭାଙ୍ଗିଦିଆଯାଇଥିଲା।

ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସହିତ ଦିବ୍ୟାଙ୍ଗ ରାମ୍ପ, ମୋବାଇଲ୍ ଷ୍ଟାଣ୍ଡ୍ ଓ ଅସ୍ଥାୟୀ ଜୋତାଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କୋର୍ଟରେ ମାମଲା ଥିବାରୁ ସିଂହଦ୍ୱାର ସମ୍ମୁଖ ଜୋତାଷ୍ଟାଣ୍ଡକୁ ଛାଡ଼ି ଦିଆଯାଇଛି। ସେହିଭଳି ଦକ୍ଷିଣ ଦ୍ୱାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚ୍‌ଡି କାର୍ଯ୍ୟାଳୟ, ଶୌଚାଳୟକୁ ଭାଙ୍ଗି ଦିଆଯାଇଥିବା ବେଳେ ‌ଛୋଟମୋଟ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି।

ପଶ୍ଚିମଦ୍ୱାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚ୍‌ଡି କାର୍ଯ୍ୟାଳୟ, ମେଘନାଦ ପାଚେରି ସଂଲଗ୍ନ ସଂକୀର୍ତ୍ତନ ଘର ଓ ଶୌଚାଳୟକୁ ଭାଙ୍ଗି ଦିଆଯାଇଛି। କେବଳ ମଠ, ମନ୍ଦିର ଉଚ୍ଛେଦରୁ ବାଦ୍ ପଡ଼ିଛି। ପର୍ଯ୍ୟାୟକ୍ରମେ ଏହାକୁ ବି ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ମଠ, ମନ୍ଦିରକୁ ବାଦ୍ ଦେଇ ଅନ୍ୟ ସବୁକୁ ଉଚ୍ଛେଦ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

Comment