ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୂତିଙ୍କ ଆଗରେ ମୁଣ୍ଡ ନୁଆଇଁଲେ ପପୁ
  • ଦୂତିଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗିଛନ୍ତି ପପୁ
  • ପପୁଙ୍କୁ କ୍ଷମା କରି ଦୂତି ଦେଲେ ପରାମର୍ଶ
  • ‘ମହିଳାମାନଙ୍କ ସମ୍ମାନ ପାଇଁ କାମ କର’

ଫିଲ୍ମ ପୋଷ୍ଟରକୁ ନେଇ ଦୂତି ଓ ପପୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପପୁ ପମ୍‌ ପମ୍‌। କହ୍ନେୟା ପୋଷ୍ଟରକୁ ନେଇ ବିରୋଧ କରିଥିବା କ୍ରୀଡ଼ାବିତ୍‌ ଦୂତି ଚାନ୍ଦଙ୍କ ଆଗରେ ନିଜ ବିବାଦୀୟ ବୟାନ୍‌ ପାଇଁ ମୁଣ୍ଡ ନୁଆଇଁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍।

‘ମିଷ୍ଟର କହ୍ନେୟା’ ଫିଲ୍ମର ରିଲିଜ ହୋଇଥିବା ପୋଷ୍ଟରରେ ପପୁ ୭ ଜଣ ନାରୀଙ୍କ ବେକରେ ବନ୍ଧା ହୋଇଥିବା ରଶିକୁ ହାତରେ ଧରି ପୋଜ୍‌ ଦେଇଥିବାରୁ ଦୂତି ନାରୀଙ୍କୁ ଅସମ୍ମାନ କରାଯାଇଥିବା କଥା କହିଥିଲେ। ଦୂତିଙ୍କୁ ଏହାର ପାଲଟା ଜବାବ ଦେଇଥିଲେ ପପୁ। ପପୁ ସିଧାସଳଖ ଅଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖି ଦୂତିଙ୍କ ସମଲିଙ୍ଗି ସମ୍ପର୍କ ଏବଂ ତାଙ୍କ ପରିବାର ଉପରେ ପ୍ରଶ୍ନ ଉଠାଇଥିଲେ। ମାମଲା ବିଗିଡ଼ି ଯାଉଥିବାର ଦେଖି ପପୁ ନିଜେ ପକାଇଥିବା ଛେପକୁ ଢୋକିଥିଲେ। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପପୁ ଏକ ଟେଲିଭିଜନ୍‌ ଚ୍ୟାନେଲ୍‌ ମାଧ୍ୟମରେ ଦୂତିଙ୍କୁ କ୍ଷମା ମାଗିଥିଲେ।

ଦୂତି ପପୁଙ୍କ ବିରୋଧରେ ମାନହାନୀ କେସ୍‌ ଲଗାଇବାକୁ ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ପପୁ କ୍ଷମା ମାଗିବା ପରେ ଦୂତୀ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସୋସିଆଲ ମିଡିଆରେ ତାଙ୍କୁ ପରାମର୍ଶ ଦେଇ କହିଥିଲେ, ‘‘ମହିଳାମାନଙ୍କ ସମ୍ମାନ ପାଇଁ କାମ କର।’’

ଦୂତି ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଥିଲେ, ‘‘ପପୁ ଭାଇଙ୍କ ସହ ମୋର କୌଣସି ଶତୃତା ନାହିଁ। ମୁଁ କେବେ ଲୋକଙ୍କ ଗହଣରେ ପପୁ ଭାଇଙ୍କୁ ଅସମ୍ମାନ କରିନି। ଆପଣ ଯେମିତି ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଛନ୍ତି। ମୁଁ ବି ସେମିତି ଭାରତବର୍ଷ ପାଇଁ ସୁନାମ ଅର୍ଜନ କରିଛି।’’

ଦୂତି ନିଜ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଫିଲ୍ମ କହ୍ନେୟା ପୋଷ୍ଟରରେ ନାରୀମାନଙ୍କୁ ଅସମ୍ମାନ କରୁଥିଲା। ନାରୀ ପୁରୁଷଙ୍କ ପାଇଁ ଉପଭୋଗ୍ୟ ଜିନିଷ, ଯାହା ତାଙ୍କୁ କଷ୍ଟ ଦେଇଥିଲା। ସେଥିପାଇଁ ସେ ସିଦ୍ଧାର୍ଥ ପ୍ରଡକ୍ସନକୁ ପୋଷ୍ଟର ହଟାଇବା ପାଇଁ କହିଥିଲେ। କିନ୍ତୁ ପପୁ ତାଙ୍କ ବ୍ୟକ୍ତିଗତ ଏବଂ ପରିବାର ଉପରେ ଆକ୍ଷେପ କରିଥିଲେ। ଯେଉଁଥିପାଇଁ ଦୂତି ପୋଲିସ୍‌ କମିଶନରେ ମାନହାନୀ କେସ୍‌ ମଧ୍ୟ କରିଥାନ୍ତେ।

‘‘ପପୁ ଭାଇ ନିଜ ଭୂଲ ବୁଝିପାରି ଏକ ଟେଲିଭିଜନ୍‌ ମାଧ୍ୟମରେ ସର୍ବ ସମ୍ମୁଖରେ ମତେ କ୍ଷମା ମାଗିଥିବାରୁ ମୁଁ ତାଙ୍କୁ କ୍ଷମା କରୁଛି’’, ନିଜ ସୋସିଆଲ ମିଡିଆ ପୋଷ୍ଟରେ ଦୂତି ଏହା ଲେଖିଛନ୍ତି।

ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ପପୁ ପମ୍‌ ପମ୍‌ ଦୂତିଙ୍କୁ ଅଡିଓ ମାଧ୍ୟମରେ କ’ଣ କହିଥିଲେ।

‘‘ଘାସ କାଟି ଦୂତିଙ୍କୁ ତାଙ୍କ ମା’ ବଡ଼ କରିଥିଲେ। ହେଲେ ଆଜି ଦୂତି ତାଙ୍କ ମା’ ଏବଂ ଭଉଣୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।’’

‘‘ଦୂତି ଚାନ୍ଦ ହେଉଛି ବହୁତ ଦାମିକା ଲୋକ। ସେ ଏବେ ନିକଟରେ ୩ କୋଟି ଟଙ୍କା ପାଇଛି। ସେ ତ ନିଜେ ବିବାଦରେ ଫସିଛି। ଏଣୁ ସେ ପ୍ରଥମେ ନିଜ କଥା ସମ୍ଭାଳୁ’’, ଦୂତିଙ୍କୁ ଏମିତି ଜବାବ ଦେଇଥିଲେ ପପୁ।

‘‘ଦୂତି ଚାନ୍ଦ ନାରୀ ଜାତିକୁ କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଯଦି ଏଠାରେ ଝିଅ ଝିଅକୁ ବାହା ହେବେ ତାହାଲେ ପୁଅ କାହାକୁ ବାହା ହେବେ? ଏହା ଓଡ଼ିଶାର ସଂସ୍କୃତି ନୁହେଁ’’, ଏମିତି କହି ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ସିଧା ସଳଖ ଆକ୍ଷେପ କରିଥିଲେ ପପୁ ପମ୍‌ ପମ୍‌।

ତେବେ ମାମଲା ଜଟିଳ ହେଉଥିବାରୁ ପପୁଙ୍କୁ ଦୂତୀଙ୍କ ଆଗରେ ମୁଣ୍ଡ ନୂଆଇଁବାକୁ ପଡ଼ିଥିଲା।

ପୋଷ୍ଟରରେ ପପୁ ମହିଳାମାନଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି। ୭ ମହିଳାଙ୍କ ବେକରେ ରଶି ଲାଗିଛି ଏବଂ ସେହି ରଶିକୁ ପପୁ ହାତରେ ଧରିଥିବା ପୋଷ୍ଟରରେ ପ୍ରଦର୍ଶିତ ହୋଇଥିଲା। ଏହାକୁ ପ୍ରଥମେ କ୍ରୀଡାବିତ୍‌ ଦୂତି ଚାନ୍ଦ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ପୋଷ୍ଟର ହଟାଇବାକୁ ସେ ଦାବି କରିଥିଲେ।

ଏହାପରେ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ମହିଳା ଥାନା ପୋଲିସ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଏବଂ ନିର୍ଦ୍ଦେଶକ ରମେଶ ରାଉତଙ୍କ ସମେତ ପପୁଙ୍କୁ ନୋଟିସ୍‌ କରିଛନ୍ତି।

Comment