ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୂତି ନିଜ କଥା ନିଜେ ସମ୍ଭାଳୁ : ପପୁ
  • ‘‘ଦୂତି ନାରୀଙ୍କୁ କେତେ ସମ୍ମାନ ଦିଏ ସମସ୍ତେ ଜାଣନ୍ତି’’
  • ‘‘ନିଜ ମା’ ଭଉଣୀଙ୍କୁ ଖରାପ କହୁଛି ଦୂତି’’
  • ‘‘ପୋଷ୍ଟର ଡିଜାଇନରେ ମୋର ହାତ ନାହିଁ’’

‘‘ଦୂତି ଚାନ୍ଦ ନାରୀ ଜାତିକୁ କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଯଦି ଏଠାରେ ଝିଅ ଝିଅକୁ ବାହା ହେବେ ତାହାଲେ ପୁଅ କାହାକୁ ବାହା ହେବେ? ଏହା ଓଡ଼ିଶାର ସଂସ୍କୃତି ନୁହେଁ’’, ଏମିତି କହି ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ସିଧା ସଳଖ ଆକ୍ଷେପ କରିଛନ୍ତି ପପୁ ପମ୍‌ ପମ୍‌।

ପପୁ ଏବେ ‘ମିଷ୍ଟର କହ୍ନେୟା’ ଫିଲ୍ମ ବିବାଦରେ ଫସିଛନ୍ତି। ଏହି ଫିଲ୍ମର ରିଲିଜ ହୋଇଥିବା ପୋଷ୍ଟରରେ ପପୁ ୭ ଜଣ ନାରୀଙ୍କ ବେକରେ ବନ୍ଧା ହୋଇଥିବା ରଶିକୁ ହାତରେ ଧରି ପୋଜ୍‌ ଦେଇଥିବାରୁ ଦୂତି ନାରୀଙ୍କୁ ଅସମ୍ମାନ କରାଯାଇଥିବା କଥା କହିଥିଲେ। ଦୂତିଙ୍କୁ ଏହାର ପାଲଟା ଜବାବ ଦେଇଛନ୍ତି ପପୁ। ପପୁ ସିଧାସଳଖ ଦୂତିଙ୍କ ସମଲିଙ୍ଗି ସମ୍ପର୍କ ଏବଂ ତାଙ୍କ ପରିବାର ଉପରେ ପ୍ରଶ୍ନ ଉଠାଇଛନ୍ତି।

‘‘ନିଜ ମା’ ଭଉଣୀଙ୍କୁ ଖରାପ କହୁଛନ୍ତି ଦୂତି’’

‘‘ଘାସ କାଟି ଦୂତିଙ୍କୁ ତାଙ୍କ ମା’ ବଡ଼ କରିଥିଲେ। ହେଲେ ଆଜି ଦୂତି ତାଙ୍କ ମା’ ଏବଂ ଭଉଣୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମା’ ଭଉଣୀଙ୍କୁ ସେ ଖରାପ କହୁଛନ୍ତି।’’

ଦୂତିଙ୍କ ବିରୋଧରେ ପପୁ ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି। ନାରୀମାନଙ୍କୁ ଦୂତି କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଏଣୁ ନାରୀ ସମ୍ମାନ ବିଷୟରେ ଦୂତି କହିବା ଅନୁଚିତ।

‘‘ଦଉଡ଼ି ମୁଁ ପକାଇ ନାହିଁ’’

ଯେତେବେଳେ ଗୋଟିଏ ସିନେମାର ପୋଷ୍ଟର ଡିଜାଇନ୍ ହୁଏ ସେଥିପାଇଁ ଜଣେ କଳାକାର ତାର ଫଟୋ ଦେଇଥାଏ। ଡିଜାଇନର ପୋଷ୍ଟର ଡିଜାଇନ କରିଥାନ୍ତି। ନାରୀମାନଙ୍କ ବେକରେ ଯେଉଁ ଦଉଡ଼ି ପକା ଯାଇଛି ସେଥିରେ ମୋର କିଛି ହାତ ନାହିଁ।

‘‘ମୁଁ ଏ ଫିଲ୍ମରେ ନିଜକୁ କୃଷ୍ଣ ଭାବି ନାହିଁ। ଏ ଫିଲ୍ମଟି କୌଣସି ପୌରାଣିକ କଥାବସ୍ତୁ ଉପରେ ବି ଆଧାରିତ ନୁହେଁ। ଏହି ଫିଲ୍ମଟି ହେଉଛି ଭିନ୍ନ ଢଙ୍ଗର। ଫିଲ୍ମରେ ମୋ ନାଁ ହେଉଛି କହ୍ନେଇ। ଏଣୁ ଏଥିପାଇଁ ମୋ ନାଁ ମିଷ୍ଟର କହ୍ନେୟା ରଖାଯାଇଛି। ପୋଷ୍ଟର ଯାହା ହୋଇଛି ସେଥିରେ ଡିଜାଇନର ଏବଂ ପ୍ରଡକ୍ସନ ହାଉସର କାମ’’, କହିଛନ୍ତି ପପୁ।

‘‘ଦୂତି ନିଜ କଥା ନିଜେ ସମ୍ଭାଳୁ’’

‘‘ଦୂତି ଚାନ୍ଦ ହେଉଛି ବହୁତ ଦାମିକା ଲୋକ। ସେ ଏବେ ନିକଟରେ ୩ କୋଟି ଟଙ୍କା ପାଇଛି। ସେ ତ ନିଜେ ବିବାଦରେ ଫସିଛି। ଏଣୁ ସେ ପ୍ରଥମେ ନିଜ କଥା ସମ୍ଭାଳୁ’’, ଦୂତିଙ୍କୁ ଏମିତି ଜବାବ ଦେଇଛନ୍ତି ପପୁ।

ଖାଲି ସେତିକି ନୁହେଁ ପପୁ ଆହୁରି କହିଛନ୍ତି ଯେ ଓଡ଼ିଆ ସିନେମାକୁ କୌଣସି ଉପାୟରେ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଆଗକୁ ଯଦି ଅମ୍ବାନି ଡିଟିଏଚ୍‌ ଲଞ୍ଚ କରନ୍ତି ତାହାଲେ ଓଡ଼ିଆ ସିନେମା କେହି ଦେଖିବାକୁ ଆସିବେ ନାହିଁ। ସେନସର ବୋର୍ଡ ସଂଳାପରେ ‘ଶଳା’ ଉଚ୍ଚାରଣ କରିବାକୁ ବାରଣ କରିଛନ୍ତି। ହେଲେ ‘ଶଳା ବୁଢ଼ା’ ଫିଲ୍ମକୁ ଆୱାର୍ଡ ମିଳୁଥିବା ପପୁ କହିଛନ୍ତି।

ମାନହାନି ମକଦ୍ଦମା କରିବେ ଦୂତି

ଦୂତିଙ୍କ ବିରୋଧରେ ପପୁ ଯେଉଁ ଆକ୍ଷେପ ଆଣିଛନ୍ତି ତାର ଅଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାକୁ ଆଧାର କରି ଦୂତି ପୁଣି ପପୁଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଦୂତି ପପୁଙ୍କୁ ସମାଲୋଚନା କରିବା ସହ ମାନହାନି ମକଦ୍ଦମା କରିବେ ବୋଲି ଧମକ ଦେଇଛନ୍ତି।

‘‘ମତେ ବହୁତ ଖରାପ ଲାଗୁଛି। ମୁଁ କେବେ ବି ପପୁ ଭାଇଙ୍କର ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇ ନାହିଁ। ସେ ଏମିତି ମତେ କାହିଁକି ଖରାପ କହିଲେ? ପପୁ ଭାଇ ମୋ’ ପରିବାର ବିଷୟରେ ଆପଣ କ’ଣ ଜାଣନ୍ତି?’’ ସୋସିଆଲ ମିଡିଆରେ ଏମିତି ପ୍ରଶ୍ନ କରିଛନ୍ତି ଦୂତି।

‘‘ମୁଁ ଆଇନର ସହାୟତା ନେବି। ମତେ ସମସ୍ତଙ୍କ ଆଗରେ ଅପମାନିତ କରାଯାଇଛି। ମୁଁ ପପୁଙ୍କ ନାଁରେ ମାନହାନି ମକଦ୍ଦମା କରିବି। ମୋର ପୋଲିସ ପ୍ରଶାସନ ଉପରେ ଭରସା ଅଛି। ମତେ ନିଶ୍ଚିତ ନ୍ୟାୟ ମିଳିବ’’, କହିଛନ୍ତି ଦୂତି ଚାନ୍ଦ।

ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଏହି ପୋଷ୍ଟର ଏବେ ବିବାଦ ବଢ଼ାଇଛି।

ପୋଷ୍ଟରରେ ପପୁ ମହିଳାମାନଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି। ୭ ମହିଳାଙ୍କ ବେକରେ ରଶି ଲାଗିଛି ଏବଂ ସେହି ରଶିକୁ ପପୁ ହାତରେ ଧରିଥିବା ପୋଷ୍ଟରରେ ପ୍ରଦର୍ଶିତ ହୋଇଥିଲା।

ଏହାକୁ ପ୍ରଥମେ କ୍ରୀଡାବିତ୍‌ ଦୂତି ଚାନ୍ଦ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ପୋଷ୍ଟର ହଟାଇବାକୁ ସେ ଦାବି କରିଥିଲେ।

ଏହାପରେ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ମହିଳା ଥାନା ପୋଲିସ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଏବଂ ନିର୍ଦ୍ଦେଶକ ରମେଶ ରାଉତଙ୍କ ସମେତ ପପୁଙ୍କୁ ନୋଟିସ୍‌ କରିଛନ୍ତି।

LEAVE A REPLY

Please enter your comment!
Please enter your name here