ଓଡ଼ିଶାଲାଇଭ୍ ବ୍ୟୁରୋ

ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ। ଏବେ ତାଙ୍କ ଖେଳ ଜୀବନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଡୋପ୍ ଟେଷ୍ଟରେ ବିଫଳ ପରେ ମୁହଁ ଖୋଲିଛନ୍ତି ଦୂତୀ। ତାଙ୍କୁ କର୍କଟ ରୋଗ ହୋଇଥିବା କଥା ଏବେ ସାମ୍ନାକୁ ଆସିଛି। ଏବେ ସେ ନିଜ ବାସନ୍ଦ ବିରୋଧରେ ଆବେଦନ କରିବେ।

ଦୂତୀ ଚାନ୍ଦଙ୍କ କହିବା ଅନୁସାରେ ୨୦୨୧ ମସିହାରେ ତାଙ୍କ ଜଙ୍ଘ ଓ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଟୋକିଓ ଅଲିମ୍ପିକ୍ସର ଠିକ ପୂର୍ବରୁ ତାଙ୍କର ଏହି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାସତ୍ତ୍ଵେ ସେ ଅଲିମ୍ପିକ୍ସରେ ଭାଗ ନେଇଥିଲେ।

ଅଲିମ୍ପିକ୍ସ ପରେ ଦୂତୀଙ୍କ ମାଂସପେଶୀ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ଏହାପରେ ସେ ଅଲଟ୍ରାସାଉଣ୍ଡ କରାଇଥିଲେ। ହେଲେ ଏଥିରୁ କିଛି ସ୍ପଷ୍ଟ ହୋଇନଥିଲା। ଏହାପରେ ଏମଆରଆଇ କରିବା ପରେ ତାଙ୍କୁ ଲେଭଲ-୧ କର୍କଟ ହୋଇଥିବା ଜଣାପଡ଼ିଥିଲା। କର୍କଟ ରୋଗ ତାଙ୍କ ଶରୀରରେ କୌଣସି ଟିସୁକୁ ବ୍ୟାପିନଥିଲା।

ଦୂତୀ ଡାକ୍ତରଙ୍କଠାରୁ ପରାମର୍ଶ କରି ମେଡିସିନ ଖାଇଥିଲେ। ଭଲହେବା ଯାଏଁ ଡାକ୍ତର ତାଙ୍କୁ କ୍ରୀଡ଼ା ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ। ଔଷଧ ଖାଇବା ପରେ ତାଙ୍କ ଯନ୍ତ୍ରଣା କମ୍‌ ହୋଇଥିଲା ଓ ଧୀରେ ଧୀରେ ରୋଗ ଭଲ ହୋଇଥିଲା। ହେଲେ ଏହି କର୍କଟ ରୋଗର ଔଷଧରେ ବିଶ୍ଵ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ଦ୍ଵାରା ଜାରି ହୋଇଥିବା ନିଷିଦ୍ଧ ଉପାଦାନ ଥିବା ସେ ଜାଣି ପାରିନଥିଲେ। ଏକଥା ଦୂତୀ ଚାନ୍ଦ ସ୍ୱୀକାର କରିଛନ୍ତି।

ଦୂତୀ କର୍କଟ ରୋଗର ଔଷଧ ଖାଇବା ଜାରି ରଖିଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ତାଙ୍କର ଡୋପ୍ ଟେଷ୍ଟ କରିଥିଲା, ଯେଉଁଥିରେ ସେ ବିଫଳ ହୋଇଥିଲେ।

ଏବେ ଦୂତୀ ଚାନ୍ଦ ନିଜ ବିରୋଧରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରି ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି)ରେ ଆବେଦନ କରିବେ। ତାଙ୍କର ବାସନ୍ଦକୁ ପ୍ରତ୍ୟାହାର ବା କୋହଳ କରିବା ନେଇ ସେ ଆବେଦନ କରିବେ ବୋଲି କହିଛନ୍ତି।

Tags: #DuteeChand #DopeTest #Athletics #NADA #WADA #Sports

 

Comment