ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି ଚିଦାମ୍ବରମ ଗିରଫ ହୋଇଛନ୍ତି। ଜାଣନ୍ତୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଫସିଥିବା ଏହି ମାମଲାଟି କ’ଣ।

୨୦୦୭ରେ ଯେତେବେଳେ ପି ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିଲେ ସେତେବେଳେ ପିଟର ମୁଖାର୍ଜୀ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆଇଏନ୍‌ଏକ୍ସ ମିଡିଆ କମ୍ପାନିରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଥିଲେ। ପରେ ଏହି କମ୍ପାନିରେ ୩୦୫ କୋଟି ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା।

ଏହି କମ୍ପାନିରେ ୫ କୋଟିର ବିଦେଶୀ ପୁଞ୍ଜି ନିବେଶ ହୋଇପାରିବ ବୋଲି ଅନୁମତି ମିଳିଥିଲା। କିନ୍ତୁ ଅଧିକ ୩୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥିଲା ଏହି କମ୍ପାନିରେ। ଏହା ପଛରେ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ କମ୍ପାନିର ହାତ ରହିଥିବା କୁହାଗଲା।

ଆଇଏନ୍‌ଏକ୍ସ ମିଡିଆ କମ୍ପାନିରେ କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ହୋଇପାରିବ ସେଥିପାଇଁ କାର୍ତ୍ତି ଉଦ୍ୟମ କରିଥିଲେ।

୨୦୧୭ ମେ’ ୧୫ରେ ସିବିଆଇ ପ୍ରାଥମିକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହାସହ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ କରିଥିଲା ସିବିଆଇ।

କେମିତି ସାମ୍ନାକୁ ଆସିଲା ପୂରା ମାମଲା?

ଉପା ସରକାର ଅମଳରେ ଘଟିଥିବା ୨-ଜି ସ୍ପେକ୍ଟ୍ରମ ଦୁର୍ନୀତିର ତଦନ୍ତ ବେଳେ ହିଁ ଆଇଏନ୍‌ଏକ୍ସ ମିଡିଆ ମାମଲା ସାମ୍ନାକୁ ଆସିଥିଲା। ଏୟାରସେଲ୍‌-ମାକ୍‌ସିସ୍‌ କମ୍ପାନି ଭିତରେ ଯେଉଁ ଚୁକ୍ତି ହୋଇଥିଲା ଇଡି ତାର ଖୋଳତାଡ଼ କରିବା ବେଳେ ଆଇଏନ୍‌ଏକ୍ସ ମିଡିଆ କମ୍ପାନି ଏବଂ କାର୍ତ୍ତି ଚିଦାମ୍ବରମଙ୍କ କମ୍ପାନି ଭିତରେ ହୋଇଥିବା ଟଙ୍କା ନେଣଦେଣ ଜଣାପଡ଼ିଥିଲା। ପରେ ଆଇଏନ୍‌ଏକ୍ସ ମିଡିଆର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିଥିଲା। ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜେରା କରୁ କରୁ ଇଡି ଚିଦାମ୍ବରମ୍‌ଙ୍କ ପାଖରେ ପହଞ୍ଚିଗଲା।

Comment