ଓଡ଼ିଶାଲାଇଭ ବ୍ୟୁରୋ

ଗାଡ଼ି ଚେକିଂ ବାହାନାରେ ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ପୋଲିସ କର୍ମଚାରୀ। ପରେ ଧରା ପଡ଼ିଯିବା ବାହାନାରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବ୍ୟବସାୟୀ ଜଣକ ଟାଙ୍ଗି ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାରେ ୩ଜଣ ପୋଲିସ କର୍ମଚାରୀଙ୍କୁ ଟାଙ୍ଗି ଥାନାରେ ଅଟକ ରଖାଯାଇଛି।

ଗୁରୁବାର ରାତିରେ ତିନି ଜଣ ବ୍ୟବସାୟୀ କୋଲକତାରୁ ପୁରୀ ଯାଉଥିବା ବେଳେ ନିର୍ଗୁଣ୍ଡି ଟୋଲ ଗେଟ୍‌ ପାଖରେ କାର ରଖି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ସେହି ସମୟରେ ୩ଜଣ ପୋଲିସ କର୍ମଚାରୀ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ। ମଦ ପିଇଛ ବୋଲି ମିଛ ଅଭିଯୋଗ କରି ଗାଡ଼ି ଚାବି ଛଡ଼ାଇ ନେବା ସହ ଗାଡ଼ିରେ ଥିବା ଦେଢ଼ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ସେମାନେ ନିଜକୁ କମିସନରେଟ ପୋଲିସ ବୋଲି ପରିଚୟ ଦେଇଥିଲେ।

ପରେ ଲୁଟର ଶିକାର ହୋଇଥିବା ଯୁବକମାନେ ଟାଙ୍ଗି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଟାଙ୍ଗି ପୋଲିସ ତଦନ୍ତ ଆରମ୍ଭ କରିଛି। ଟାଙ୍ଗି ଥାନାର ୩ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ହୋଇଥିବା ପୋଲିସଙ୍କ ମଧ୍ୟରୁ ଦୁଇ ଜଣ ହୋମଗାର୍ଡ ଓ ଜଣେ କନେଷ୍ଟବଳ ବୋଲି ଜଣାପଡ଼ିଛି।

Comment