ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ଆମକୁ ଏପରି କିଛି ଲୋକ ମିଳିଯାଇଥାନ୍ତି ଯେଉଁମାନେ ବିନା କାରଣରେ ହସିକରି ପଳାଇଥାନ୍ତି। ପୁଣି ଏଭଳି ବି କିଛି ଲୋକ ମିଳନ୍ତି ଯେଉଁମାନଙ୍କୁ ଦେଖି ଲାଗେ ଯେ ସେମାନେ ହୁଏତ ଜୀବନରେ କେବେହେଲେ ହସିନଥିବେ। କିଛି ଲୋକ ସେମାନଙ୍କୁ ଗର୍ବୀ ବୋଲି ମନେ କରୁଥିବାବେଳେ କିଛି ଲୋକ ଲାଜୁଆ ବୋଲି ମନେ କରନ୍ତି। ଆସନ୍ତୁ ଜାଣିବା କ’ଣ ପାଇଁ ସେମାନେ ଏଭଳି ବ୍ୟବହାର କରନ୍ତି।

ଗବେଷକମାନଙ୍କ ଅନୁସାରେ ଯେଉଁ ଲୋକମାନଙ୍କର ଟେଷ୍ଟୋଷ୍ଟୋରେନ୍ ହରମୋନର ସ୍ତର ଅଧିକ ଥାଏ ସେମାନେ କମ୍ ହସିଥାନ୍ତି। ଏହି କାରଣରୁ ମହିଳାଙ୍କ ତୁଳନାରେ ପୁରୁଷମାନେ କମ୍ ହସନ୍ତି। ଆଉ କିଛି ଅଧ୍ୟୟନ ଅନୁସାରେ ନିର୍ଦ୍ଦିଷ୍ଟ କିଛି ପରିସ୍ଥିତିରେ ହସିବାକୁ ଲୋକେ ନିଜକୁ ଦୁର୍ବଳ ଦର୍ଶାଇବା ବା ଆତ୍ମସମର୍ପଣର ଲକ୍ଷଣ ବୋଲି ମନେକରନ୍ତି।

ଏପରିସ୍ଥଳେ ସେମାନେ କମ୍ ହସିବା ସହିତ ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ଲାଗି ସେମାନଙ୍କ ନିକଟରେ ଶକ୍ତି ଅଛି ବୋଲି ମନେ କରନ୍ତି। ଏଭଳି ଲୋକମାନେ କମ୍ ସମ୍ବେଦନଶୀଳ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କର ବିଚାର ସହ ସହମତ ମଧ୍ୟ ହୁଅନ୍ତି ନାହିଁ। କାହା ସହ ଅଧିକ କଥା ହେବାକୁ ବି ପସନ୍ଦ କରନ୍ତି ନାହିଁ।

ନିଜକୁ କଠୋର ଏବଂ ଦୃଢ ଦେଖାଇବା ଲାଗି ସେମାନେ ଯଥାସମ୍ଭବ ଉଦ୍ୟମ କରିଥାନ୍ତି। ଅନ୍ୟମାନଙ୍କ ଆଗରେ ନିଜର ଗୁରୁତ୍ୱ ଯେପରି କମ୍ ନହେବ ସେଥିଲାଗି ପ୍ରୟାସରତ ଥାନ୍ତି। ନିଜର ଏପରି ସ୍ୱଭାବକୁ ଲୁଚାଇବା ଲାଗି ସେମାନେ ବିଭିନ୍ନ କାରଣ ମଧ୍ୟ ଦର୍ଶାଇଥାନ୍ତି। ଯେପରିକି ଆମେ କ’ଣ ପାଗଳ, ମୁଡ୍ ନ ହେଲେ ସବୁବେଳେ କ’ଣ ହସୁଥିବି, ମିଛରେ କାହିଁକି ହସିବି, ହସିବା ପାଇଁ କିଛି କାରଣ ଦରକାର, ମୋ ନିଜର ଓଜନକୁ କାହିଁକି କମ୍ କରିବି, ଯେତେବେଳେ ମୋର ଇଚ୍ଛା ହେବ ହସିବି, ହସିବା ପାଇଁ କ’ଣ ଜବରଦସ୍ତି କରିବା ଦରକାର, ମୁଁ ତ ଏହିଭଳି, ମୁଁ ନ ହସିଲେ ଆପଣଙ୍କର ସମସ୍ୟା କ’ଣ ଇତ୍ୟାଦି କହିଥାନ୍ତି।

ମନୋବୈଜ୍ଞାନିକ କାରଣ
ମନସ୍ତତ୍ୱବିଦ୍ମାନଙ୍କ ଅନୁସାରେ ସେମାନଙ୍କର ଏପରି ବ୍ୟବହାରର ବହୁ କାରଣ ରହିଛି। ପ୍ରଥମତଃ ସେମାନେ ହୁଏତ ଜୀବନରେ ଏପରି କିଛି ଧକ୍କା ପାଇଥିବେ ଯାହାକି ସେମାନଙ୍କୁ ଭିତରେ ଭିତରେ ଦୁର୍ବଳ କରିଦେଇଥିବ। ଦ୍ୱିତୀୟ କାରଣ ହେଲା ହୀନମନ୍ୟତା। କୌଣସି କାରଣରୁ ସେମାନେ ନିଜକୁ ଅନ୍ୟମାନଙ୍କ ଅପେକ୍ଷା ନିକୃଷ୍ଟ ବୋଲି ମନେ କରୁଥିବେ। ସେଥିଲାଗି ଅନ୍ୟମାନଙ୍କ ସାମ୍ନାରେ ନିଜକୁ ଗୌଣ ନ ଦେଖାଇବା ପାଇଁ ସେମାନେ ଏଭଳି ବ୍ୟବହାର ପ୍ରଦର୍ଶନ କରିଥାନ୍ତି। କିଛି କ୍ଷେତ୍ରରେ ଅହଙ୍କାରୀ ଲୋକମାନେ ମଧ୍ୟ କମ୍ ହସିଥାନ୍ତି।

କିଭଳି ସେମାନଙ୍କୁ ସାମ୍ନା କରିବେ
ଏଭଳି ଲୋକମାନଙ୍କ ସହିତ ଚଳିବାକୁ ଥିଲେ ସେମାନଙ୍କ ପ୍ରତି କ୍ରୋଧ ପ୍ରଦର୍ଶନ ନୁହେଁ, ସହାନୁଭୂତିଶୀଳ ହୁଅନ୍ତୁ। ସେମାନଙ୍କ ସହ ଭଲରେ କଥାବାର୍ତ୍ତା କରି ସେମାନଙ୍କୁ ସହଜ କରାନ୍ତୁ। ହସିବାର ଉପକାରିତା ସଂପର୍କରେ ସେମାନଙ୍କୁ ବୁଝାନ୍ତୁ। ସମୟ ଥିଲେ ସାଙ୍ଗମାନଙ୍କ ସହିତ ତାଙ୍କୁ ନେଇ ବାହାରକୁ ଯାଇପାରିବେ। ମନେରଖନ୍ତୁ ସାମାଜିକ ସଂପର୍କ ବଢ଼ିଲେ ଏହି ସମସ୍ୟାର ସମାଧାନ ସମ୍ଭବପର।

Comment