ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଜାରି ରହିଛି ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ମନ୍ଦିରର ଉତ୍ତର ପାର୍ଶ୍ଵରେ ଥିବା ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ଐତିହାସିକ ଏମାର ମଠର ପାଳି। ଏବେ ଏମାର ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଚାରିମହଲା ବିଶିଷ୍ଟ ଏହି ମଠର ପ୍ରଥମେ ଉପର ମହଲାରୁ ଉଚ୍ଛେଦ କରାଯାଇଛି।

ଏମାର ମଠ ଭାଙ୍ଗିବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ନୋଟିସ୍‌ ପାଇବା ପରେ ମଠରୁ ସମସ୍ତ ଜିନିଷ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ମାଜିଷ୍ଟ୍ରେଟ୍‌, ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ ଓ ୩୦ ପ୍ଲାଟୁନ୍ ପୋଲିସ୍‌ ଫୋର୍ସଙ୍କ ଉପସ୍ଥିତିରେ ଏହି ମଠ ଓ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଘନାଦ ପାଚେରୀଠାରୁ ଅଳ୍ପ ଦୂରରେ ଥିବା ଏହି ଏମାର ମଠକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା।

ପୁରୀର ଏମାର ମଠ ହେଉଛି ଏକ ଐତିହାସିକ ମଠ। ଏହା ୯୦୦ ବର୍ଷର ପୁରୁଣା ମଠ। ସିଂହଦ୍ୱାର ନିକଟରେ ଏହି ମଠ କାହିଁ କେଉଁ କାଳରୁ ରହିଛି। ଏବେ ଏହି ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି।

ରାମାନୁଜ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ସେ ଏହି ମଠ ପ୍ରତିଷ୍ଠା କରିଥିଲେ। ଏହି ମଠର ପ୍ରଥମ ମହନ୍ତ ହେଉଛନ୍ତି ଗୋବିନ୍ଦାଚାର୍ଯ୍ୟ। ପ୍ରଥମେ ଏହି ମଠର ନାଁ ଥିଲା ‘ଏମ୍ପରମାନାରା’। ତାମିଲରେ ଏହାର ଅର୍ଥ ହେଉଛି ‘ମାଇ ଲର୍ଡ’। ପରେ ରାମାନୁଜ ଏହି ମଠର ନାଁ ବଦଳାଇଥିଲେ। ମଠର ନାଁ ରହିଥିଲା ‘ଏମ୍ବାର’। ଲୋକେ ଏହାକୁ ଏମାର ମଠ ନାଁରେ ସମ୍ବୋଧନ କଲେ।

୨୦୧୧ ମସିହାରେ ଏହି ଏମାର ମଠ ଚର୍ଚ୍ଚାରେ ରହିଥିଲା। ମଠରୁ ରୂପା ଇଟା ବାହାରିବା ପରେ ଚାରିଆଡ଼େ ଆଲୋଡ଼ନ ଖେଳି ଯାଇଥିଲା। ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମଠରେ ଖୋଳତାଡ଼ କରି ପ୍ରାୟ ୫୨୨ ଖଣ୍ଡ ରୂପା ଇଟା ଠାବ କରିଥିଲା। ଏହାର ମୂଲ୍ୟ ୯୦ କୋଟି ଟଙ୍କା ହେବ ବୋଲି ସେତେବେଳେ ଆକଳନ କରାଯାଇଥିଲା।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜବରଦଖଲ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଆଧାରରେ ଉଛେଦ କାମ ଚାଲିଛି।

ଏପଟେ ସୁପ୍ରିମକୋର୍ଟ ମଧ୍ୟ ୭୫ ମିଟର ଉଛେଦ କାର୍ଯ୍ୟ ପୁରୀରେ ଜାରି ରହିବ ବୋଲି ରାୟ ଦେଇଛନ୍ତି। ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଉଛେଦ କାର୍ଯ୍ୟ ଚାଲୁଥିବାରୁ ସୁପ୍ରିମକୋର୍ଟ ଆଗତ ହୋଇଥିବା ଦୁଇଟି ମାମଲାକୁ ଖାରଜ କରିଛନ୍ତି। ଏହାସହ ଆମିକସ୍‌ କ୍ୟୁରୀ ଏବଂ ସଲିସିଟର ଜେନେରାଲଙ୍କୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment