ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲାଇବ୍ରେରୀରର ସମସ୍ତ ପୁସ୍ତକ ଆମ ପାଇଁ ମୂଲ୍ୟବାନ : ଜିଲ୍ଲାପାଳ
  • ଲାଇବ୍ରେରୀର ସମସ୍ତ ପୁସ୍ତକ ହେବ ଡିଜିଟାଇଜେସନ
  • ଭୁଅର୍ଜନ ସମ୍ମିଳନୀ କକ୍ଷରେ ଅସ୍ଥାୟୀ ପାଠାଗାର

ଐତିହାସିକ ଏମାର ମଠର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଶାସନ ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଉଚ୍ଛେଦ ପରେ ଲାଇବ୍ରେରୀର ଭାଗ୍ୟ କ’ଣ ହେବ ସେନେଇ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ଗବେଷକଙ୍କ ମନରେ ଭାଳେଣି ପଡ଼ିଥିଲା।

ତେବେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏହି ଆଶଙ୍କା ଦୂର କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ନୂଆ ରୂପରେ ରଘୁନନ୍ଦନ ଲାଇବ୍ରେରୀ ପୁଣି ଥରେ ସ୍ଥାପନା କରାଯିବ।

‘‘ରଘୁନନ୍ଦନ ଲାଇବ୍ରେରୀ ବିଶ୍ୱ ସ୍ତରୀୟ ହେବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ। ଏଠାରେ ଥିବା ପୁସ୍ତକ, ପୋଥି ଏବଂ ନଥିପତ୍ରର ସଂରକ୍ଷଣ କରାଯିବ। ଏନେଇ ପଦକ୍ଷେପ ନିଆଯାଇଛି। ଲାଇବ୍ରେରୀର ସମସ୍ତ ପୁସ୍ତକ ଡିଜିଟାଇଜେସନ କରାଯିବ’’, କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ।

ବର୍ତ୍ତମାନ ଭୂଅର୍ଜନ ସମ୍ମିଳନୀ କକ୍ଷରେ ଅସ୍ଥାୟୀ ଭାବେ ପାଠାଗାର ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଲାଇବ୍ରେରୀରେ ବହୁ ମୂଲ୍ୟବାନ ବିରଳ ପୁସ୍ତକ, ପୋଥି ଓ ପାଣ୍ଡୁଲିପି ରହିଛି। ଏହିସବୁ ପୁସ୍ତକ ହେଉଛି ଆମର ଜାତୀୟ ସମ୍ପତ୍ତି। ଖଣ୍ଡିଏ ହେଲେ ବହି ଯେପରି ନଷ୍ଟ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ରାଜ୍ୟ ଅଭିଲେଖାଗାର ଅଧିକ୍ଷକ ସୁଚିସ୍ମିତା ମନ୍ତ୍ରୀ କହିଛନ୍ତି, ‘‘ରଘୁନନ୍ଦନ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ, ପୋଥି ଓ ଗ୍ରନ୍ଥାବଳୀ ୧୦୦ ବର୍ଷ ତଳର। ଖଣ୍ଡିଏ ହେଲେ ବି ବହି ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ।’’

ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଅସିତ୍ ମହାନ୍ତି କହିଛନ୍ତି, ‘‘ରଘୁନନ୍ଦନ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ, ପୋଥି ଏବଂ ଅଭିଲେଖାଗାର ଅତି ମୂଲ୍ୟବାନ। ଏହି ପୁସ୍ତକ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ। ତେଣୁ ଏଗୁଡିକର ସୁରକ୍ଷା ନିହାତି ଆବଶ୍ୟକ।’’

ରଘୁନନ୍ଦନ ଲାଇବ୍ରେରୀ ଅସୁରକ୍ଷିତ କୋଠାରେ ରହିଥିଲା। ଲାଇବ୍ରେରୀ ଉଚ୍ଛେଦ ପୂର୍ବରୁ ଏଠାରୁ ସମସ୍ତ ପୁସ୍ତକ, ପୋଥି ଓ ଆସବାବପତ୍ର ଭୂଅର୍ଜନ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ପାଠାଗରର କର୍ମଚାରୀମାନେ ସଂରକ୍ଷଣ ଦାୟିତ୍ୱରେ ନିୟୋଜିତ ଅଛନ୍ତି।

‘‘ରଘୁନନ୍ଦନ ଲାଇବ୍ରେରୀ ଭିତ୍ତିଭୂମିର ବିକାଶ ପାଇଁ କଲିକତା, ବମ୍ବେ ପ୍ରଭୃତି ସହରରେ ଥିବା ଜାତୀୟସ୍ତରୀରର ପାଠାଗାରର ସହଯୋଗ ନିଆଯିବ। ଆବଶ୍ୟକ ପଡ଼ିଲେ ପୁସ୍ତକଗୁଡ଼ିକର ସଂରକ୍ଷଣ ଲାଗି ସେଠାରୁ ବିଶେଷଜ୍ଞମାନଙ୍କୁ ଅଣାଯିବ। ସବୁ ପୁସ୍ତକର ତାଲିକା ପ୍ରସ୍ତୁତ ହେବା ପରେ ଏହାର ଡିଜିଟାଇଜେସନ୍ କରାଯିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଏହି ସବୁ କାମକୁ ତଦାରଖ କରିବେ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ।

Comment