ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବିଜେଡିର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଶୁଭାରମ୍ଭ ହେଲା ସଦସ୍ୟତା ଅଭିଯାନ। ଜିଲ୍ଲାର ପ୍ରଥମ ସଦସ୍ୟ ଭାବେ ଫର୍ମ ପୂରଣ କଲେ ଇଞ୍ଜିନିୟର ରବୀନ୍ଦ୍ର ଜେନା।

  • ସଦସ୍ୟତା ଅଭିଯାନରେ ସଂଯୋଗ ହେବ ଆଧାର କାର୍ଡ଼
  • ଏକ କୋଟି ସଦସ୍ୟ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ
  • ବାଲେଶ୍ୱର ହେବ ଏକ ବିକଶିତ ଜିଲ୍ଲା

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି) ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ବ୍ରିଟ୍ କଲ୍ୟାଣ ମଣ୍ଡପରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସଦସ୍ୟତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା ଏହି କାର୍ଯ୍ୟମକ୍ରମର ସଭାପତିତ୍ୱ କରିଥିଲେ।

ଏହି ଅବସରରେ ଜିଲ୍ଲାର ପ୍ରଥମ ସଦସ୍ୟ ଭାବେ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ସଦସ୍ୟତା ଫର୍ମ ପୂରଣ କରିଥିଲେ।

ଏଥିସହିତ ରବୀନ୍ଦ୍ର ଜେନା କହିଥିଲେ ଯେ “ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ସଦସ୍ୟତା ଅଭିଯାନ ୧ ତାରିଖରେ ଭୁବନେଶ୍ୱରରେ ଆରମ୍ଭ କରିଥିବା ବେଳେ ୮ ତାରିଖ ମଧ୍ୟରେ ସବୁ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ଆଜି ସଦସ୍ୟତା ଅଭିଯାନ ଆରମ୍ଭ କରାଯାଉଛି।”

ମୁଖ୍ୟଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଗୋଟିଏ ଦିନରେ ବାଲେଶ୍ୱରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିବାରୁ ଜିଲ୍ଲା ସଭାପତିଙ୍କୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ ବାଲେଶ୍ୱରକୁ ଏକ ବିକଶିତ ଜିଲ୍ଲା ଭାବେ ଦେଖିବାକୁ ଚାହାନ୍ତି। ବାଲେଶ୍ୱରର ବିକାଶ ପାଇଁ ଅର୍ଥ କେବେ ବାଧକ ସାଜିବ ନାହିଁ।”

ପୂର୍ବ ଥର ରାଜ୍ୟରେ ୪୭ ଲକ୍ଷ ନୂତନ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିବା ବେଳେ ଏଥର ଏକ କୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ପ୍ରତି ପଞ୍ଚାୟତରେ ୪ ଜଣରୁ ଅଧିକ ସକ୍ରିୟ ସଦସ୍ୟ ରହିବେ। ଯେଉଁଥିରେ ଜଣେ ମହିଳା ରହିବା ବାଧ୍ୟତାମୂଳକ କରାଯାଇଛି।

ଏହି ସକ୍ରିୟ ସଦସ୍ୟମାନେ ଜଣକା ୨୫ ଜଣ ସଦସ୍ୟଙ୍କୁ ନୂତନ ଭାବେ ଦଳରେ ସାମିଲ କରାଇବେ। ପୌର ପରିଷଦରେ ୧୫ ଜଣ ଓ ଏନ୍ଏସିରେ ୫ଜଣ ସକ୍ରିୟ ସଦସ୍ୟ ରହିବେ। ଏମାନଙ୍କ ସହିତ ଜଣେ କୋର୍ଡ଼ିନେଟର ମଧ୍ୟ ରହିବ, ଯାହାକୁ କମ୍ପ୍ୟୁଟର୍ ପ୍ରଦାନ କରାଯିବ। ସେ ସମସ୍ତ ତଥ୍ୟ କମ୍ପ୍ୟୁଟର୍ରେ ଫିଡ଼ିଂ କରିବେ। ଏଥର ସବୁଠାରୁ ବଡ଼ କଥା ହେଉଛି ଯେ ସବୁ ସଦସ୍ୟଙ୍କର ଆଧାର ନମ୍ବର ସଦସ୍ୟତା ଅଭିଯାନ ପୃଷ୍ଠାରେ ରହିବ।

ଏହା ଦ୍ୱାରା ପାର୍ଟିରେ ବାସ୍ତବ ସଦସ୍ୟ ହିଁ ରହିବେ। ସବୁ ବିଧାୟକ ଓ ନେତାମାନେ ଏଥିରେ ନେତୃତ୍ୱ ନେବେ। ଏସବୁ ପାଇଁ ଜିଲ୍ଲାସ୍ତରରେ ଓ ନିର୍ବାଚନ ମଣ୍ଡଳୀରେ କମିଟି ଗଠନ କରାଯିବ। ନିଜ ଅଭିବାଦନରେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା କହିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମାପ୍ରସାଦ ବେହେରା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଗିରୀଶ ଦାଶ, ଶୁଭେନ୍ଦୁ ମଙ୍ଗରାଜ, ମନୋଜ ରାଉତ, ସିମନ ଦାସମହାପାତ୍ର, ଶଶି କୁମାର ସାହୁ, ବ୍ରଜ କିଶୋର ପ୍ରଧାନ, ସତ୍ୟରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଉମିଲତା ଦାସ, ରଞ୍ଜିତା ମହାପାତ୍ର, ଭୁବନାନନ୍ଦ ଦାସ, ଶତ୍ରୁଘ୍ନ ମଲ୍ଲିକ, ତାପସ ପାଣିଗ୍ରାହୀ, ତନ୍ମୟ ମହାନ୍ତି, ଦିଲୀପ କୁମାର ସାହୁ, ଅଜୟ ସାମଲ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଦସ୍ୟ, କର୍ମୀ ଓ ନେତା ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ଜଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Comment