ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏକ ନିଆରା ଢଙ୍ଗରେ ପୁଣିଥରେ ‘ପୁଚୁକି ଗାଲି’ ଗୀତରେ ଝୁମୁଛନ୍ତି ଦର୍ଶକ।         

‘ପୁଚୁକି ଗାଲି, ଫେସନ ବାଲି ଚାଲି ତୋ ବମ୍ବେ ଦିଲ୍ଲୀ…’ ଓଲିଉଡର ଲୋକପ୍ରିୟ ଗୀତମାନଙ୍କ ମଧ୍ୟରୁ ଗୋଟିଏ। ଆଜି ବି ଅନେକ ଏହି ଗୀତକୁ ଗୁଣୁ ଗୁଣୁ ହୋଇଥାନ୍ତି। ୧୯୯୫ରେ ରିଲିଜ ହୋଇଥିବା ଫିଲ୍ମ ‘ସୁନା ପଞ୍ଜୁରୀ’ର ଏହି ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ଦୀର୍ଘ ଦିନର ବ୍ୟବଧାନ ପରେ ଏକ ନୂଆ ଅନ୍ଦାଜ, ନୂଆ ଷ୍ଟାଇଲରେ ଏହି ଗୀତକୁ ଦର୍ଶକଙ୍କୁ ପୁଣି ଭେଟି ଦେଇଛନ୍ତି ସିଙ୍ଗର ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ। ଅଗଷ୍ଟ ୩୦ ତାରିଖରେ ଅସୀମା ପଣ୍ଡାଙ୍କ ଅଫିସିୟାଲ ୟୁଟ୍ୟୁବରେ ଏହି ଗୀତଟି ରିଲିଜ ହୋଇଥିଲା। ଏହି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ ଦେଇଥିଲା ବେଳେ ଗୀତଟିକୁ ରଚନା କରିଛନ୍ତ ତପୁ ନାୟକ।

ଗାଁ ଗହଳିରେ ଧମାଲ ମଚାଇଥିଲା ପୁଚୁକି ଗାଲି

ସୁପରହିଟ ଫିଲ୍ମ ‘ସୁନା ପଞ୍ଜୁରୀ’ରେ ସୁପରଷ୍ଟାର ସିଦ୍ଧାନ୍ତଙ୍କ ସହ ଅଭିନେତ୍ରୀ ଇନ୍ଦୀରା କ୍ରିଷ୍ଣନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ସୋନୁ ନିଗମ ଏହି ଗୀତକୁ ଗାଇଥିଲେ। ଶୀର୍ଷାନନ୍ଦ ଦାସ କାନୁନଗୋ ଗୀତ ଲେଖିଥିଲା ବେଳେ ଅମରେନ୍ଦ୍ର ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ଗୀତର ଏମିତି କ୍ରେଜ ଥିଲା ଯେ ଗାଁରୁ ସହର ସବୁଠି ଚାଲିଥିଲା ଏହି ଗୀତ।

୨୦୧୭ରେ ଏହି ଗୀତର ରିମେକ ଆସିଥିଲା ମାତ୍ର ଏହା ସେତିକି ଲୋକପ୍ରିୟତା ହାସଲ କରି ପାରନଥିଲା। ହେଲେ ଅସୀମା ପଣ୍ଡା ଓ ସତ୍ୟଜିତ ଭିନ୍ନ ଶୈଳୀରେ ଏହି ଗୀତକୁ ପରିବେଷଣ କରି ପୂର୍ବପରି ଲୋକପ୍ରିୟତା ହାସଲ କରିଛନ୍ତି। ୟୁଟ୍ୟବୁରେ ଲକ୍ଷାଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି।

ତେବେ ଏହି ଗୀତକୁ ରିମେକ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇ ଗୀତିକାର ତପୁ ନାୟକ କହିଛନ୍ତି, ‘‘ବଲିଉଡରେ ଏହି ରିମେକ ଧାରା ଅନବରତ ଲାଗି ରହିଛି। ତେଲୁଗୁ, ତାମିଲ, ମାଲାୟାଲମ ଭାଷାରେ ବି ଏହି ଧାରା ରହିଛି। ସେମିତି ଓଡ଼ିଆରେ ବି ଏହି ଧାରା ଚାଲିଲେ ନିଶ୍ଚୟ ଲୋକପ୍ରିୟତା ହାସଲ କରିବ। କାରଣ ଓଡ଼ିଆରେ ଅନେକ ପୁରୁଣା ଗୀତ ରହିଛି ଯାହା ବହୁ ଲୋକପ୍ରିୟତା ହାସଲ କରିଥିଲା।”

Comment