ଓଡ଼ିଶାଲାଇଭ ବ୍ୟୁରୋ

ପ୍ରବଳ ବର୍ଷାରେ ବେହାଲ ବ୍ରହ୍ମପୁର ସହର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ବ୍ରହ୍ମପୁର-ଆସିକା ଜାତୀୟ ରାଜପଥ ୫୯ ଉପରେ ୬ଟି ସ୍ଥାନରେ ବର୍ଷା ଜଳ ଲହଡ଼ି ଖେଳୁଛି। ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମାଠାରେ ଜାତୀୟ ରାଜପଥ ଉପରେ ୩ ରୁ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ଗଜପତି ନଗର ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି। ସେହିପରି ଅନନ୍ତ ନଗର, ନୀଳାଦ୍ରି ବିହାର, ଲକ୍ଷ୍ମୀନୃସିଂହ ସାହି, ଗାନ୍ଧୀ ନଗର, ଆଙ୍କୁଲି ଓ ଲାଞ୍ଜିପଲ୍ଲୀ ଆଦି ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ନହୋଇ ଜମି ରହିଛି।

ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରେ ରେଡ୍‌ ଏବଂ ଦକ୍ଷିଣ ଓଡ଼ିଶାର ଅନ୍ୟ ସମସ୍ତ ସ୍ଥାନରେ ଅରଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନ ରହିଛି ବୋଲି ଗୋପାଳପୁର ଡପଲର ରାଡାର ପକ୍ଷରୁ ସୂଚନା ମିଳିଛି।

ଗୋପାଳପୁରଠାରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁର ସହରରେ ୧୦୭ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।

Comment