ଓଡ଼ିଶାଲାଇଭ ବ୍ୟୁରୋ

  • ସଚେତନତା ପାଇଁ ଛକରେ ଲାଗିବ ପୋଷ୍ଟର, ବ୍ୟାନର
  • ସଜାଗ ହେଲେଣି ସହରବାସୀ
  • ୯୫ ପ୍ରତିଶତ ଟୁ-ହୁଇଲର୍ ଚାଳକଙ୍କ ମୁଣ୍ଡରେ ହେଲମେଟ୍

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆଜିଠାରୁ ହେବ ବାଲେଶ୍ଵର ସହରରେ ଟ୍ରାଫିକ ଧରପଗଡ। ନୂଆ ମୋଟର ଯାନ ଆକ୍ଟ ଓ ସଂଶୋଧିତ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ପଡିବ ପ୍ରହାର। ସଚେତନତା ପରେ ନିୟମ ନମାନିଲେ ଭୋଗିବେ ଅର୍ଥଦଣ୍ଡ। ଏସବୁକୁ ନେଇ ବାଲେଶ୍ଵର ସହରରେ ଚଳପ୍ରଚଳ ହେଉଥିବା ଦୁଇଚକିଆ ଗାଡିର ଚାଳକମାନେ ଛାନିଆ ହେବା ସଙ୍ଗେ ସଙ୍ଗେ ସଚେତନ ହେଉଥିବା ଦେଖାଯାଇଛି। ଆଜି ସହରରେ ବାଇକ୍ ବାବୁଙ୍କ ଭିତରୁ ପ୍ରାୟ ପଞ୍ଚାନବେ ଭାଗ ଲୋକଙ୍କ ମୁଣ୍ଡରେ ହେଲମେଟ୍ ଶୋଭା ପାଉଛି। ଟ୍ରାଫିକ୍ ବ୍ୟବସ୍ଥାରେ ଶିଘ୍ର ସୁଧାର ଆସିବ ବୋଲି ଟ୍ରାଫିକ୍ ଥାନାଧିକାରୀ ପ୍ରଶାନ୍ତ କୁମାର ରଣସିଂହ ଆଶା ବ୍ୟକ୍ତ କରିଛନ୍ତି।

ବାଲେଶ୍ୱର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମୋଟର ଯାନ ନିୟମ ଅନୁପାଳନ ଉପରେ ଏକ ସଚେତନତା ବୈଠକ ମଧ୍ୟ ହୋଇଛି। ଗତ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ଏହି ଆକ୍ଟର ବିଭିନ୍ନ ଧାରା, ଉପଧାରା ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନ ଉପରେ ଜନସାଧାରଣଙ୍କୁ ସଚେତନ କରାଯାଇଛି।

ସରକାର ଟ୍ରାଫିକ୍‌ ନିୟମରେ ଖିଲାଫ୍ ଏବଂ ବିଶୃଙ୍ଖଳାକୁ ନିୟନ୍ତ୍ରଣ ପାଇଁ କରିଥିବା ଏହି ଅର୍ଥ ଦଣ୍ଡ ଏବଂ ନିଶାସକ୍ତ ଯାନ ଚାଳନା ପାଇଁ ଜେଲ୍ ଦଣ୍ଡାଦେଶ ଉପରେ ବିଶେଷ ଭାବେ ଅବଗତ କରାଯାଇଛି। ନାବାଳିକା ନାବାଳକମାନଙ୍କୁ ଯାନବାହନ ଚାଳନା ଉପରେ ପିତାମାତା ଯତ୍ନବାନ ହେବା ଉପରେ ମଧ୍ୟ ପରାମର୍ଶ ଦିଆଯାଇଛି।

ଦ୍ରୁତଗାମୀ ଯାନକୁ ନିୟନ୍ତ୍ରଣ କରିବା, ବିନା ଲାଇସେନ୍ସରେ ଯାନ ଚାଳନା, ଯାତ୍ରୀବାହୀ ଯାନଗୁଡ଼ିକରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ କରିବା, ଆମ୍ବୁଲାନ୍ସ/ଅଗ୍ନିଶମ ଯାନଗୁଡ଼ିକୁ ରାସ୍ତା ନ ଛାଡ଼ିବା ଉପରେ କେତେ ଅର୍ଥ ଦଣ୍ଡ ରହିଛି ସେ ବିଷୟରେ ସବିଶେଷ ଅବଗତ କରାଯାଇଥିଲା। ଏଣିକି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର, ଲିଫଲେଟ୍‌ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ୍‌ ଓ ଦଣ୍ଡ ବିଧାନ ଉପରେ ସଚେତନ କରାଯିବ ବୋଲି ମଧ୍ୟ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର କହିଛନ୍ତି।

ଏହାଛଡ଼ା କେତେକ ସ୍ଥାନରେ ବ୍ଲିଙ୍କରିଂ ଲାଇଟ୍ ଲଗାଯିବା, ହମ୍ପସ୍‌ ନିର୍ମାଣ, ଏକ ପାଖିଆ ଯାନ ଚାଳନା, ପାର୍କିଂ ବ୍ୟବସ୍ଥାରେ ଉନ୍ନତି କରିବା କାର୍ଯ୍ୟକୁ ତ୍ଵରାନ୍ଵିତ କରାଯିବ ବୋଲି ଏହି ବୈଠକରେ ପ୍ରକାଶ କରାଯାଇଥିଲା। ତେବେ ଦୁଇ ଚକିଆ ଯାନ ଚାଳକମାନେ ହେଲମେଟ୍‌ ପିନ୍ଧିବା ଓ ଚାରିଚକିଆ ଯାନଚାଳକ ସିଟ୍‌ ବେଲ୍ଟ ବ୍ୟବହାର ଯେପରି ଅଭ୍ୟାସରେ ପରିଣତ ହେବ ସେଥିପ୍ରତି ସଚେତନ ହେବାକୁ କୁହାଯାଇଥିଲା।

ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ବୈଠକର ଆଭିମୁଖ୍ୟ କହିବା ସହ ବିଭିନ୍ନ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।

Comment