ଓଡ଼ିଶାଲାଇଭ ବ୍ୟୁରୋ

ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ନିକଟରେ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ‘ଆମ କଟକ’ ନାମକ ଏକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିରେ ବିଭିନ୍ନ ପୂଜା କମିଟି, କ୍ଲବ, ଯୁବକ ସଂଘ, ବ୍ୟବସାୟୀ ସଂଘ, ଛାତ୍ର ସଂଘ ଓ ବୁଦ୍ଧିଜୀବୀ ଅଛନ୍ତି। ଦେଉଳି ସାହିରେ ଏହି ଆନ୍ଦୋଳନର ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା ଓ ଏହି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ନବୀନ ସରକାରଙ୍କ ନୂଆ ୫-ଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କଟକରେ ବଳକା ଯେଉଁ କେତୋଟି ଦପ୍ତର ରହିଛି ସେ ସବୁକୁ ଉଠାଇ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ରହିଛି ଶିଳ୍ପ ନିର୍ଦ୍ଦେଶାଳୟ, ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ବା ଡିଟିଇଟି ,ମତ୍ସ୍ୟ ଓ ଗୋସମ୍ପଦ ନିର୍ଦ୍ଦେଶାଳୟ ଇତ୍ୟାଦି।

ବୁଧବାର ଦିନଠାରୁ ଏହି ସଂଗ୍ରାମ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ସଂଗ୍ରାମ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତି ଦଶ ଦିନରେ ବକ୍ସି ବଜାର ଜିପିଓରୁ ଦସ୍ତଖତ ସମ୍ବଳିତ ପାର୍ସଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯିବ।

ଏହାକୁ ବିରୋଧ କରି ଆମ କଟକର ଆବାହକ ସୁକାନ୍ତ ମହାନ୍ତି କହିଛନ୍ତି, “ଏହାକୁ ଜୋରଦାର ବିରୋଧ କରାଯିବ। କଟକରୁ ସେହି ସବୁ ଅଫିସ ସ୍ଥାନାନ୍ତର ସମ୍ପର୍କିତ ନିଷ୍ପତ୍ତି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଚାଲୁ ରହିବ। କଟକକୁ ଏକ ‘ମୃତ ସହର’ରେ ପରିଣତ କରିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାହାକୁ ପଣ୍ଡ କରାଯିବ। କଟକରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଗଣ ରାଲି ବାହାର କରିବାକୁ ମଧ୍ୟ କମିଟି ସ୍ଥିର କରିଛି।“

Comment