ଓଡ଼ିଶାଲାଇଭ ବ୍ୟୁରୋ

  • ପ୍ରଥମେ କହୁଥିଲେ ପାଗଳ ଏବେ ଖୁସିରେ ହାତ ମିଳାନ୍ତି
  • ପରିବେଶକୁ ସବୁଜିମା କରିବା ଲକ୍ଷ୍ୟ
  • ପ୍ରତ୍ୟେକ ଦିନ ଲଗାଉଛନ୍ତି ଗଛ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରତିଦିନ କେଉଁଠି ନା କେଉଁଠି ଗଛଟିଏ ଲଗେଇବା ତାଙ୍କର ନିଶା। ଗଛ ଲଗେଇବା ଛଡା ସେ ଅନ୍ୟ କିଛି କଥା ଭାବନ୍ତିନି। ବର୍ତ୍ତମାନ ସେ ଟ୍ରିମ୍ୟାନ ଭାବେ ପରିଚିତ ହୋଇଛନ୍ତି। ଘର ବାଲେଶ୍ଵର, ଅସ୍ଥାୟୀ କର୍ମଚାରୀ ଭାବରେ ଚାକିରି କରନ୍ତି ଭୁବନେଶ୍ୱର ଆୟକର ଅଫିସରେ। ସେ ହେଲେ ବିଜୟ ଜେନା।

କୋଡିଏ ବର୍ଷ ତଳେ ପରିବେଶକୁ ସବୁଜିମା କରିବାର ପାଇଁ ନିଶା ଘାରିଥିଲା ବିଜୟଙ୍କୁ। ଗାଁରେ ଯାହା ଯାହା ବାଡ଼ିରେ ଫାଙ୍କା ଦେଖୁଥିଲେ କୋଦାଳ ଓ ଗଛ ଧରି ମାଟି ତାଡ଼ି ଗଛଟିଏ ଲଗାଇବା ଆରମ୍ଭ କରୁଥିଲେ। ଚିହ୍ନା ଥାଉ କି ନଥାଉ। ଯଦି ବାଡ଼ି ଖାଲି ଅଛି ତାହେଲେ ଉପଯୁକ୍ତ ଗଛଟିଏ ଲଗାଇବାକୁ ପାଗଳ ପରି ହୋଇଯାଉଥିଲେ ସେ। କାହାର କିଛି ଅନୁମତି ଦରକାର ପଡ଼େନା ତାଙ୍କୁ। ନିଜ ଇଚ୍ଛାରେ ଏମିତି ପ୍ର‌ତ୍ୟେକଙ୍କ ଘରେ ଗଛ ଲଗାଇବା ଆରମ୍ଭ କଲେ ବିଜୟ।

ଏହା ଦେଖି ଗାଁ ଲୋକେ ତାଙ୍କୁ ସତରେ ପାଗଳ ବୋଲି କହିଲେ। ତାଙ୍କ ଉପରେ କେହି କେହି ବିରକ୍ତ ବି ହେଲେ। ମାତ୍ର ଏଥିରୁ ସେ ପଛଘୁଞ୍ଚା ନଦେଇ ଲାଗିରହିଲେ ନିଜ କାମରେ। ୨୦୦୨ ମସିହାରୁ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଗଛ ପ୍ରତ୍ୟେକ ଦିନ ଲଗାଉଛନ୍ତି ବିଜୟ। ରାସ୍ତା କଡ଼ ହେଉ କି କୌଣସି ସରକାରୀ ଜମି ଅବା କାହା ବାଡ଼ିରେ, ସେ ପ୍ରତ୍ୟେକ ଦିନ ଗୋଟିଏରୁ ଅଧିକ ଗଛ ନିହାତି ଲଗାନ୍ତି। ସେଥିପାଇଁ ସେ ଏବେ ଟ୍ରି-ମ୍ୟାନ୍‌ ନାମରେ ବେଶ୍ ପରିଚିତ ବି ହୋଇଗଲେଣି।

ବିଜୟ ଭୁବନେଶ୍ଵରସ୍ଥିତ ଆୟକର ବିଭାଗରେ କାଜୁଆଲ୍ କର୍ମଚାରୀ ଭାବେ ଦୀର୍ଘ ୨୨ ବର୍ଷ ଧରି କାମ କରୁଛନ୍ତି। କିନ୍ତୁ ଗଛ ଲଗାଇବା ତାଙ୍କର ଏକ ପ୍ରକାର ନିଶା ପାଲଟି ଯାଇଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ଗଡ଼ପୋଖରୀ ଗ୍ରାମରେ ବିଜୟଙ୍କ ଘର। ବାପା ଚିନ୍ତାମଣି ଜେନା।

ପ୍ରତ୍ୟେକ ଦିନ ସକାଳ ୬ ରୁ ୮ ଟା ପର୍ଯ୍ୟନ୍ତ କେଉଁଠିକୁ ବି ଯାଇ ସେ ଗଛ ଲଗାଇବା ବିଧିନିର୍ଦ୍ଦିଷ୍ଟ। କାହାର ଘର ହେଉ କିମ୍ବା ରାସ୍ତା କଡ଼ ଜାଗା, ସବୁଠି ଗଛ ଲଗାନ୍ତି ବିଜୟ। ଏଥିସହିତ ପ୍ରତ୍ୟେକ ଶନିବାର ଓ ରବିବାରରେ ସେ ବାଲେଶ୍ଵରରେ ଗଛ ଲଗାନ୍ତି। ଭୁବନେଶ୍ୱରରୁ ସାଙ୍ଗରେ ଗଛ ନେଇକି ଆସିଥାନ୍ତି। ଖାଲି ଏତିକି ନୁହେଁ, ଗଛର ସୁରକ୍ଷା ପାଇଁ ସେ ବାଡବତା ଓ ଅଖା ଗୁଡ଼ାଇ ଦିଅନ୍ତି। ଯାହା ଦ୍ଵାରା ଗୋରୁଗାଇ ଗଛଟିକୁ ନଷ୍ଟ କରିପାରନ୍ତି ନାହିଁ। ଏହାବ୍ୟତୀତ ସେ ରାତିରେ ୧୦ ରୁ୧୧ ଟା ସମୟରେ  ଡ୍ରମରେ ପାଣି ଧରି ସାଇକେଲରେ ବୁଲି ବୁଲି ଲଗାଇଥିବା ଗଛରେ ପାଣି ଦିଅନ୍ତି।

ବିଜୟ ଭୁବନେଶ୍ଵର ଅଫିସ ଓ ବାଲେଶ୍ଵର ଗଡ଼ପୋଖରୀରେ ନିଜେ ନର୍ସରୀ ପ୍ଲାଣ୍ଟ କରିଛନ୍ତି। ଯେଉଁଥିରେ ପରିବାର ଲୋକ ସହଯୋଗ କରନ୍ତି। ଛୋଟ ଛୋଟ ଗଛ ସଂଗ୍ରହ କରି ତାକୁ ଚକୋଲେଟ୍‌ ଡବା କିଣି ସେଥିରେ ବାଲି ମାଟି ଦେଇ ଗୋଟିଏ ବର୍ଷ ରଖନ୍ତି। ବାକି ଗଛ ଡିଏଫ୍‌ଓ ଅଫିସରୁ ଆଣିଥାନ୍ତି। କହିବାକୁ ଗଲେ ସେ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି।

ତାଙ୍କର ଗୋଟେ ଗ୍ରୁପ ବି ରହିଛି, ଯେଉଁମାନେ ଏଥିରେ ସହଯୋଗ କରନ୍ତି। ବିଜୟ ବିଶେଷକରି ଗାଁ ଗହଳି ଅଞ୍ଚଳକୁ ଯାଇ ଲୋକକଙ୍କୁ ସଚେତନ କରାଇଥାନ୍ତି।  କେବଳ ଏତିକିରେ ରେ ସରିନି ବିଜୟଙ୍କ କଥା। ତାଙ୍କ ମୃତ୍ୟୁ ପରେ ନିଜ ଶରୀରକୁ ସେ ଦାନ କରିଦେଇଛନ୍ତି। ତାଙ୍କ ଶରୀରକୁ ନେଇ ମେଡିକାଲ ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ। ଏଥିପାଇଁ କୋର୍ଟରେ ଏଗ୍ରିମେଣ୍ଟ ବି ହୋଇଛି। ଏଥିସହିତ ସେ ସହାୟତା ପାଇଁ ଲୋକଙ୍କୁ ୨୦ ଥରରୁ ଅଧିକ ରକ୍ତଦାନ କରିଛନ୍ତି।

ଏସମ୍ପର୍କରେ ବିଜୟ କହନ୍ତି, “ସହରରେ ଗଛପତ୍ର କମି ଗଲାଣି। ଖାଲି କଂକ୍ରିଟ ସହର ମୁଣ୍ଡ ଟେକିଲାଣି। ଅମ୍ଳଜାନ କମି କମି ଆସିଲାଣି। କିଛି ଦିନ ପରେ ଆମେ ସମେସ୍ତ ନାକରେ ଥଳି ବାନ୍ଧିକି ବୁଲିବା। ଏଗୁଡ଼ା କେହି ବୁଝୁ ନାହାଁନ୍ତି। ମୁଁ ଲଗାଇଥିବା ଶହେ ଗଛରୁ ୨୦ ଟି ବଞ୍ଚିଲେ ବି ମୁଁ ଖୁସି। ମୋର ଉଦ୍ଦେଶ୍ୟ ଏତେ ପ୍ରଚାର କରିବାର ନୁହେଁ। ବିଭାଗ ‌ମୋତେ ଏଥିପାଇଁ ସମ୍ବର୍ଦ୍ଧିତ କରିବା ପରେ ସମସ୍ତେ ଜାଣିଲେ। ଯେଉଁ ଲୋକମାନେ ମୋତେ ସେତେବେଳେ ପାଗଳ କହୁଥିଲେ ଏବେ ‌ମୋ ସହ ହାତ ମିଳାଉଛନ୍ତି।”

Comment