କପିଳାସ ଭୂୟାଁ

ଯାହା ହେଉ ଶେଷକୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଯେଉଁ ଆଖିବୁଜା ଭଙ୍ଗାରୁଜା କରି ସଫେଇ ଚାଲିଥିଲା ସେଥିରେ କିଛିଟା ରୋକ ଲାଗିଛି। ସ୍ଥାନୀୟ ବିାଜପି ବିଧାୟକଙ୍କ ନେତୃତ୍ଵରେ ଏକ ପନ୍ଦର ଜଣିଆ ସର୍ବ-ଦଳୀୟ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ସର୍ବୋପରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଜନତାଙ୍କ ଠାରୁ କୌଣସି ବିରୋଧ କରାଯାଉ ନଥିବା ଲକ୍ଷ୍ୟ କରି ମଠ ମହନ୍ତ ଓ ସାଧୁ-ସନ୍ଥମାନେ ସରକାରଙ୍କ ଏଭଳି ମନମୁଖୀ ପଦକ୍ଷେପର ବିରୋଧ କରିବାକୁ ଏକାଠି ହୋଇଛନ୍ତି।

ଏହା ଦ୍ଵାରା ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଦୁର୍ଦ୍ଦଶ ଉଚ୍ଛେଦ ପ୍ରକ୍ରିୟାରେ ସାମୟିକ ରୋକ ଲାଗିଥିଲେ ବି ଆଗକୁ ଏହି ପଦକ୍ଷେପ ଜାରି ରହିବ ବୋଲି ଜିଲ୍ଲାପାଳଙ୍କ ସୂତ୍ରରୁ ଘୋଷଣା କରାଯାଇଛି। ଖାଲି ସେତିକି ନୁହେଁ ଏମାର ମଠର ଉଚ୍ଛେଦ ପରେ ସେଠାରେ ରହିଥିବା ବ୍ରିଟିଶ ଅମଳରେ ନିର୍ମିତ ପ୍ରାୟ ଏକଶହ ବର୍ଷ ପୁରୁଣା  ରଘୁନନ୍ଦନ ପାଠାଗାର ଭାଙ୍ଗି ଦିଆ ଯାଇଥିବାରୁ ଆଗକୁ ଏହି ପାଠାଗାର କେଉଁ ନୂଆ ରୂପ ପାଇବ ତାହାର ନକ୍ସା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବା ସହ ଗଣମାଧ୍ୟମରେ ମଧ୍ୟ ପ୍ରକାଶ କରାଯାଇଛି। ଚାରି ମହଲା ବିଶିଷ୍ଟ ଚତୁଷ୍କୋଣାକାର ଏହି ସୁଦୃଶ୍ୟ ଅଟ୍ଟାଳିକାଟିର ନକ୍ସା ବେଶ ମନଲୋଭା ହୋଇଛି। ପୁରୁଣା ହଟାଇ ନୂଆ ତିଆରି କରିବାରେ ବିଶ୍ଵାସ କରୁଥିବା ରାଜ୍ୟ ସରକାରଙ୍କ ପ୍ରଶାସକ ଦଳ ନୂଆ ନକସାର ଘର ତିଆରି କରି ବାହାବା ନେବା ଅପେକ୍ଷାରେ। କିନ୍ତୁ ଏହି ଭଳି ମନଲୋଭା ଆଧୁନିକ କୋଠା ନିର୍ମାଣ କରି ଦେବା ଦ୍ଵାରା କ’ଣ ଶ୍ରୀମନ୍ଦିରର ଶୋଭା ବୃଦ୍ଧି ପାଇବ? ଏହା ହଜାର ବର୍ଷ ପୁରୁଣା ଶ୍ରୀମନ୍ଦିରର ପୁରୁଣା ରୂପ ସହ ମେଳ ଖାଇବ ତ?

ଦଶମ ଶତାବ୍ଦୀ ଠାରୁ ନିର୍ମାଣ ଆରମ୍ଭ ହୋଇ ଦ୍ଵାଦଶ ଶତାବ୍ଦୀରେ ପୂର୍ଣାଙ୍ଗ ରୂପ ପାଇଥିବା ପୁରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଏବକୁ ପ୍ରାୟ ହଜାରେ ବର୍ଷର ପୁରୁଣା। ପୁଣି ଏହି ମନ୍ଦିର ବିଭିନ୍ନ ଅଧୋଗତି ମଧ୍ୟ ଦେଇ ଗତି କରୁଛି। ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ବର୍ଷ ତମାମ ଲୁହା ବାଡା ଦେଇ ମନ୍ଦିରକୁ ଠିଆ କରି ରଖା ଯାଇଛି। ସେଥିପାଇଁ ରାଜକୋଷରୁ ଯଥେଷ୍ଟ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ତେଣୁ ପୁରୁଣା ଭାଙ୍ଗି ନୂଆ ଗଢିବାରେ ବିଶ୍ଵାସ କରୁଥିବା ସରକାରୀ କଳ ଶ୍ରୀମନ୍ଦିରକୁ ମଧ୍ୟ ଭାଙ୍ଗି ଦେଇ ନୂଆ କିଛି କରିବା ପାଇଁ କାହିଁକି ଯୋଜନା କରୁ ନାହାନ୍ତି? ସେପରି ଯଦି କରନ୍ତେ, ତେବେ ଯାଇ ସାଧାରଣ ଜନତା ସରକାରଙ୍କ ନୂଆ ଗଢିବା ପଦକ୍ଷେପକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବାରେ ଆଦୌ ଅମଙ୍ଗ ହେବାର କିଛି ନାହିଁ!

ତେବେ ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଭାଙ୍ଗିବା ଯେତେ ସହଜ ଗଢିବା ସେତିକି ସହଜ ନୁହେଁ। ତେଣୁ ଆଖି ବୁଜି ଭାଙ୍ଗିବା ପୂର୍ବରୁ ଭଲ ରୂପେ ଭାବିବା ଓ ସମସ୍ତଙ୍କ ସହ ବିଚାର ବିମର୍ଶ କରିବା ଅତି ଜରୁରୀ। ଏହା ହେଉଛି ଗଣତାନ୍ତ୍ରିକ ପଦ୍ଧତି। କିନ୍ତୁ ସରକାରଙ୍କ ପକ୍ଷରୁ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯିବା ପରି ମନେ ହେଉନାହିଁ। ଯେଉଁ ଲୋକମାନଙ୍କ ଭୋଟ ବଳରେ ସରକାର ତିଆରି ହୋଇଛି ସେମାନଙ୍କୁ ବିଶ୍ଵାସକୁ ନନେବା ସବୁଠାରୁ ପରିତାପର ବିଷୟ। ଉଭୟ ରାଜ୍ୟ ଓ କେନ୍ଦ୍ରରେ ସର୍ବାଧିକ ଜନାଦେଶ ପାଇ ସରକାର ଗଠିତ ହୋଇଛି। ଏହାର ଅର୍ଥ ନୁହେଁ ଯେ ଯେଉଁ ମାନଙ୍କ ଭୋଟ ବଳରେ ବଳିଆନ ସରକାର ତିଆରି ହୋଇଛି ସେହି ସାଧାରଣ ଲୋକଙ୍କ ଉପରେ ଦାଉ ସାଧିବା, ବା ସେମାନଙ୍କ ଧାର୍ମିକ ବିଶ୍ଵାସ ଉପରେ ପାହାର ପକେଇବା। ଏଭଳି କରିବା ସ୍ଵେଚ୍ଛାଚାରିତାକୁ ପ୍ରୋତ୍ସାହିତ କରେ। ସରକାର ଏ ଦିଗରେ ସତର୍କ ରହିବା ଗୁରୁତ୍ୱପୂର୍ଣ୍ଣ।

ଅବଶ୍ୟ ଶ୍ରୀମନ୍ଦିର ଚତୁଃପାର୍ଶ୍ଵସ୍ଥ ୭୫ ମିଟର ପର୍ଯ୍ୟନ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କିଛି ମାତ୍ରାରେ ଉଚ୍ଛେଦ ଏକ ଭଲ ପଦକ୍ଷେପ। କିନ୍ତୁ ଉଚ୍ଛେଦ ପରେ ସେହି ସ୍ଥାନରେ କଣ ହେବ ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ କିଛି କୁହା ଯାଉନାହିଁ। ପ୍ରକୃତରେ କିଛି ବିଧିବଦ୍ଧ ଯୋଜନା ଅଛି କି ନାହିଁ ତା’ ମଧ୍ୟ ସନ୍ଦେହଘେରରେ।

କାରଣ ଉଚ୍ଛେଦ ପ୍ରକ୍ରିୟା ଯେତେବେଳେ ଅସହ୍ୟ ହେଲା ଓ ଏହା ବିରୁଦ୍ଧରେ ଜନମତ ତିଆରି ହେଲା ତା’ ପରେ ଯାଇ ରଘୁନନ୍ଦନ ପାଠାଗାର କେଉଁ ନୂଆ ରୂପ ନେବ ତାହାର ନକ୍ସା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରାଗଲା ଓ ଗଣମାଧ୍ୟମରେ ପ୍ରକାଶ କରାଗଲା। କିନ୍ତୁ ଉଚ୍ଛେଦ ପରେ ଅନ୍ୟ ସ୍ଥାନଗୁଡିକରେ କଣ କରାଯିବ ତାହାର କୌଣସି ଯୋଜନା ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ।

ପୁଣି, ଉଚ୍ଛେଦ ପୂର୍ବରୁ କୌଣସି ଥଇଥାନ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଥଇଥାନ ପାଇଁ କଣ ପଦକ୍ଷେପ ନିଆଯିବ କେବଳ ତାହାର ପ୍ରତିଶ୍ରୁତି ଦିଆ ଯାଇଛି। ତାହା ପୁଣି କେତେ ମାତ୍ରାରେ ପୂରଣ କରାଯିବ ସେ ବାବଦରେ ସମସ୍ତେ ସନ୍ଦିହାନ। କାରଣ ପୂର୍ବରୁ ହୀରାକୁଦ ବନ୍ଧ ଠାରୁ ଆରମ୍ଭ କରି କଳିଙ୍ଗ ନଗର ପର୍ଯ୍ୟନ୍ତ ଅନେକ ଯୋଜନା ପାଇଁ ହୋଇଥିବା ବିସ୍ଥାପନ ପାଇଁ ଏବେ ସୁଧା ବି କ୍ଷତି ପୂରଣ ଭରଣାକୁ ସଂପୂର୍ଣ୍ଣ କରାଯାଇ ନଥିବା ଅଭିଯୋଗ ଶୁଣିବାକୁ ମିଳେ।

ତେବେ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦର କ୍ଷତିପୂରଣ ମାତ୍ର ଗୋଟିଏ ଦିଗ। ଏହାର ମୁଖ୍ୟ ଦିଗଟି ହେଲା ଯେ ଶହଶହ ବର୍ଷର ପୁରୁଣା ମଠ ସଂସ୍କୃତିର ବିଲୋପ କରିଦେବା ପରେ ତାହାର ଭରଣା କିପରି କରାଯିବ! ଉଲ୍ଲେଖ ଅନାବଶ୍ୟକ ଯେ ଶ୍ରୀକ୍ଷେତ୍ର ପୁରୀ ହେଉଛି ଏକ ସର୍ବ ଧର୍ମ ସମନ୍ଵୟର ଅପୂର୍ବ କ୍ଷେତ୍ର। ତାହାର ପ୍ରକୃଷ୍ଟ ଉଦାହରଣ ହେଉଛି ଏମାର ମଠ ଓ ପଞ୍ଜାବୀ ମଠ ଇତ୍ୟାଦି। ଶ୍ରୀ ଚୈତନ୍ୟ ଓ ରାମାନୁଜଚାର୍ଜ୍ୟଙ୍କ ଭଳି ଭକ୍ତମାନେ ଏକଦା ପୁରୀ ସହରରେ ବାସ କରୁଥିଲେ। ଜାଣିବା ଶୁଣିବା ଲୋକେ କହନ୍ତି କି ହୀରକ ମୁଦ୍ରିକାର କେନ୍ଦ୍ରରେ ଥିବା ହୀରା ଖଣ୍ଡକୁ ଘେରେଇ କରି ଧରି ରଖିଥିବା ଧାତୁର ଆବର୍ତ୍ତ ଭଳି ପୁରୀ ଶ୍ରୀମନ୍ଦିରକୁ ଏକାଧିକ ମଠ ଘେରି ରହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ମଠ ସଂସ୍କୃତି ପରସ୍ପର ସହ ଅଙ୍ଗାଙ୍ଗି ଭାବେ ଜଡିତ। ସେହି ମଠଗୁଡିକୁ ଶ୍ରୀମନ୍ଦିର ସୁରକ୍ଷା ଆଳରେ ବିଚାରହୀନ ଭାବେ ଭାଙ୍ଗି ଦେବା ଅର୍ଥ ଆବହମାନ କାଳରୁ ଏକ ପ୍ରବାହମାନ ସାଂସ୍କୃତିକ ଧାରାକୁ ପ୍ରତିହତ କରିବା। ବିଳମ୍ବରେ ହେଲେ ବି ସରକାର ଏହା ବୁଝିବା ପରେ ମଠଗୁଡିକର ପୀଠ ସବୁକୁ ଉଚ୍ଛେଦ କରାଯିବ ନାହିଁ ବୋଲି କହିଲେଣି। ଏହା କିଛିଟା ଆଶ୍ଵାସନାର କଥା।

କିନ୍ତୁ ଶହ ଶହ ବର୍ଷ ପୁରୁଣା ଐତିହସମ୍ପର୍ଣ୍ଣ ମଠଗୁଡିକୁ ପୁନରୁଦ୍ଧାର ଓ ସଂରକ୍ଷଣ କରିବା ଯେଉଁ ସରକାରଙ୍କର ଏକ ପ୍ରାଥମିକ ଦାୟିତ୍ଵ ହେବା କଥା, ପ୍ରଶାସନ ପକ୍ଷରୁ ତାହାକୁ ସଂପୂର୍ଣ୍ଣ ଅଣଦେଖା କରି କାହିଁକି ଭାଙ୍ଗି ଦିଆ ଯାଉଛି ତାହା ଆଦୌ ବୁଝା ପଡୁନାହିଁ। ସରକାରଙ୍କ ପକ୍ଷରୁ ଏ ବାବଦରେ ତୁରନ୍ତ ସ୍ପଷ୍ଟିକରଣ ଦେବା ଅତ୍ୟନ୍ତ ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment